ବ୍ରହ୍ମପୁର: ବ୍ରହ୍ମପୁର ଦେଇ ବିଭିନ୍ନ ସମୟରେ ଗଂଜେଇ ଚାଲାଣ ହେଉଛି। କରୋନା ପାଇଁ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇ ନ ଥିବାରୁ ମାଫିଆମାନେ ବିଭିନ୍ନ ଯାନବାହନରେ ଗଂଜେଇ ଅନ୍ୟ ରାଜ୍ୟକୁ ଚାଲାଣ କରୁଛନ୍ତି। ଏଭଳି ଏକ ବଡ଼ ଧରଣର ଗଂଜେଇ ଚାଲାଣ ରାକେଟ୍ ଠାବ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ। ଗୋ’ ଖାଦ୍ୟ ବୋଝେଇ ଟ୍ରକ୍ରେ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ୧୮କ୍ବିଣ୍ଟାଲ୍ ୫୯କେଜି ଗଂଜେଇ ଧରିଛି ଅବକାରୀ ବିଭାଗ। ଏ ସଂକ୍ରାନ୍ତରେ ଟ୍ରକ୍ ଡ୍ରାଇଭର୍ କିଷନ କୁମାରକୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି।
/sambad/media/post_attachments/wp-content/uploads/2021/01/ganja-1-1-1024x575.jpg)
ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିସନର୍ ଶାନ୍ତନୁ କୁମାର ନାୟକଙ୍କ ତତ୍ତ୍ବାବଧାନରେ ଏକ ଟିମ୍ ୧୬ନମ୍ବର ଜାତୀୟ ରାଜପଥ ହଳଦିଆପଦର ଜଙ୍କସନ୍ରେ ପାଟ୍ରୋଲିଂ କରୁଥିଲା। ବିଭିନ୍ନ ଗାଡ଼ି ଅଟକାଇ ଯାଞ୍ଚ କରାଯାଉଥିଲା। ଏହି ସମୟରେ ଗୋଳନ୍ଥରା ପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ (ୟୁପି୩୦ଟି ୦୩୦୪)କୁ ସନ୍ଦେହରେ ଅଟକାଇ ଥିଲା। ଗାଡ଼ି ଯାଞ୍ଚ ପରେ ସେଠାରେ ଗୋ’ ଖାଦ୍ୟ ଥିବା ଜଣାପଡ଼ିଥିଲା। ଅଧିକ ଯାଞ୍ଚ କରିବା ପରେ ଗୋ’ ଖାଦ୍ୟ ପ୍ୟାକେଟ୍ ମଝିରେ ପ୍ଲାଷ୍ଟିକ୍ ବସ୍ତାରେ ଗଂଜେଇ ଭର୍ତ୍ତି ରହିଥିବା ଜଣାପଡ଼ିଥିଲା। ଏଣୁ ଅବକାରୀ ବିଭାଗ ଟ୍ରକ୍କୁ ଜବତ କରି ଡ୍ରାଇଭର୍ କିଷନଙ୍କୁ ଗିରଫ କରିଥିଲା।
ସମସ୍ତ ଗୋ’ ଖାଦ୍ୟ ଗାଡ଼ିରୁ ଓହ୍ଲାଇବା ପରେ ମଝିରେ ଥିବା ବିପୁଳ ପରିମାଣ ଗଂଜେଇ ଜବତ ହୋଇଥିଲା। ଜବତ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨କୋଟି ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଏହି ଗଂଜେଇ ମାଲକାନଗିରିରୁ ଆଣି ଉତ୍ତର ପ୍ରଦେଶ ଚାଲାଣ କରାଯାଉଥିଲା ବୋଲି ଜଣାପଡ଼ିଛି। ଯାଞ୍ଚ ସମୟରେ ଅବକାରୀ ଗୁଇନ୍ଦା ବିଭାଗ ଇନ୍ସ୍ପେକ୍ଟର୍ ହୃଦୟ ଚନ୍ଦ୍ର ସାମନ୍ତ, ଏସ୍ଆଇ ବିଶ୍ବଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/ganja-2-1.jpg)