ବ୍ରହ୍ମପୁର : ଡାକ ବିଭାଗର ଗ୍ରାମୀଣ ଡାକ ସେବକ(ଜିଡିଏସ୍‌) ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ବ୍ରହ୍ମପୁର ପୋଷ୍ଟାଲ୍‌ ଭିଭିଜନ୍‌ରେ ମୋଟ ୫୭ ପଦବି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୮ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ଚୟନ କରାଯାଇଛି। ଚୟନ ତାଲିକାରେ ଆନ୍ଧ୍ର ବୋର୍ଡରୁ ପାସ୍‌ ପିଲା ଆଗରେ ରହିଥିବା ବେଳେ ପଛରେ ପଡ଼ିଯାଇଛନ୍ତି ଓଡ଼ିଶା ବୋର୍ଡ ପିଲା। ଚୂଡ଼ାନ୍ତ ତାଲିକାରେ ମୋଟ୍‌ ୭ଜଣ ଆନ୍ଧ୍ର ସ୍କୁଲ ପିଲା ରହିଥିବା ବେଳେ ୪ଜଣ ଓଡ଼ିଶା ବୋର୍ଡ(ବିଏସ୍‌ଇ) ଓ ୭ଜଣ ସିବିଏସ୍ଇ ପିଲା ରହିଥିବା ସୂଚନା ମିଳିଛି।

Advertisment

ବ୍ରହ୍ମପୁର ପୋଷ୍ଟାଲ୍‌ ଡିଭିଜନ୍‌ରେ ଜିଡିଏସ୍‌ ପାଇଁ ମୋଟ ୫୭ଟି ପଦବି ପୂରଣ ନିମନ୍ତେ ବିଜ୍ଞାପ୍ତି ପ୍ରକାଶ ପାଇଥିଲା। ମାଟ୍ରିକ୍‌ରେ ରଖିଥିବା ମାର୍କ ଅନୁସାରେ ଯୋଗ୍ୟତା ଆଧାରରେ ନିଯୁକ୍ତି ପ୍ରକ୍ରିୟା ହେବ ବୋଲି ବିଜ୍ଞାପନରେ ଉଲ୍ଲେଖ ରହିଥିଲା। ଏଣୁ ମାଟ୍ରିକ୍‌ ପରୀକ୍ଷାରେ ଯିଏ ଯେତିକି ଅଧିକ ନମ୍ବର ରଖିଥିବେ, ସିଏ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ହେବେ। ବିଜ୍ଞାପନ ପ୍ରକାଶ ପରେ ବହୁସଂଖାରେ ପିଲା ଆବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟ ସାର୍ଟିଫିକେଟ୍‌ ଯାଞ୍ଚ ପାଇଁ ପୋଷ୍ଟାଲ୍‌ ବିଭାଗ ତାଲିକା ପ୍ରକାଶ କରିଥିଲା। ସେହି ତାଲିକାରେ ୧୫ଜଣ ବାହାର ରାଜ୍ୟର ଦଶମ ଶ୍ରେଣୀ ସାର୍ଟିଫିକେଟ୍‌ ଦାଖଲ କରିଥିଲେ। ତନ୍ମଧ୍ୟରୁ ୧୦ଜଣ ଆନ୍ଧ୍ର ବୋର୍ଡର ଦଶମ ଶ୍ରେଣୀ ଶିକ୍ଷା ପ୍ରମାଣପତ୍ର ଦାଖଲ କରିଥିବା ବେଳେ ୨ଜଣ ଛତିଶଗଡ଼ ଓ ୩ଜଣ ଉତ୍ତରପ୍ରଦେଶ ବୋର୍ଡ଼ର ଦଶମ ‌ଶ୍ରେଣୀ ସାର୍ଟିଫିକେଟ୍‌ ଦାଖଲ କରିଥିଲେ। ଯାଞ୍ଚ ପରେ ଆନ୍ଧ୍ର ସାର୍ଟିଫିକେଟ୍‌ ଠିକ୍‌ ରହିଥିବା ବେଳେ ଛତିଶଗଡ଼ ସାର୍ଟିଫିକେଟ୍‌ ଦାଖଲ କରିଥିବା ଦୁଇ ପ୍ରାର୍ଥୀଙ୍କ ଆବେଦନ ନାକଚ ହୋଇଯାଇଥିଲା। କିନ୍ତୁ, ଉତ୍ତରପ୍ରଦେଶର ଦଶମ ଶ୍ରେଣୀ ସାର୍ଟିଫିକେଟ୍‌ ଦାଖଲ କରିଥିବା ୩ଜଣ ପ୍ରାର୍ଥୀ ଯାଞ୍ଚ ପାଇଁ ଆସି ନଥିଲେ। ଏବେ ଦୁଇଟି ପର୍ଯ୍ୟାୟରେ ସାର୍ଟିଫିକେଟ୍‌ ଯାଞ୍ଚ ପ୍ରକ୍ରିୟା ସରିଛନ୍ତି। ସେଥିମଧ୍ୟରୁ ୧୮ଜଣ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ୧୮ଜଣଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲ୍ଲା ମଞ୍ଜୁଷାର ହାଇସ୍କୁଲରୁ ୨୦୨୦ରେ ଦଶମ ‌ଶ୍ରେଣୀ ପାସ୍‌ କରି ଶହେ ପ୍ରତିଶତ(୬ଶହରୁ ୬ଶହ) ମାର୍କ ରଖିଥିବା ଜଣେ ଛାତ୍ର ଅଛନ୍ତି।

ସେହିପରି, ଦ୍ବିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ ପରେ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ଚାଲିଛି। ଏହି ତାଲିକାରେ ମଧ୍ୟ ୬ଜଣ ଆନ୍ଧ୍ର ସ୍କୁଲରୁ ମାଟ୍ରିକ୍‌ ପାସ୍‌ କରିଥିବା ପ୍ରାର୍ଥୀ ରହିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି, ଅଧିକ ମାର୍କ ପାଇ ଓଡ଼ିଶାରେ ଚାକିରି ହାତେଇବା ପାଇଁ ଆନ୍ଧ୍ର ସ୍କୁଲରେ ପିଲା ନାମ ଲେଖାଇବା ଧାରା ବଢ଼ି ଚାଲିଛି। ଗଞ୍ଜାମ ଜିଲ୍ଲାରେ ଏଭଳି ବହୁ ଉଦାହରଣ ମିଳିଲାଣି। ଏଭଳିକି ଶିକ୍ଷକ ଚାକିରିରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ବିଭାଗରେ ବହୁ କର୍ମଚାରୀ କର୍ମଚାରୀ ଆନ୍ଧ୍ର ସାର୍ଟିଫିକେଟ୍‌ ଦାଖଲ କରି ଚାକିରି ହାତେଇଛନ୍ତି।