୧୯ ମୃତ୍ତିକା ପରୀକ୍ଷାଗାର କାର୍ଯ୍ୟକ୍ଷମ

୩ ବର୍ଷରେ ହେବ ୧୩.୫ ଲକ୍ଷ ମୃତ୍ତିକା ନମୁନାର ପରୀକ୍ଷା

ଭୁବନେଶ୍ବର : ରାଜ୍ୟରେ ୧୯ଟି ମୃତ୍ତିକା ପରୀକ୍ଷାଗାର କାର୍ଯ୍ୟକ୍ଷମ କରାଯାଇଛି। ଆଉଟସୋର୍ସିଂ ମାଧ୍ୟମରେ ଏହାର ପରିଚାଳନା ହେବ। ପୂର୍ବରୁ ପୁରୀ, କେନ୍ଦୁଝର ବ୍ୟତୀତ ଅବିଭକ୍ତ ୧୧ଟି ଜିଲ୍ଲାରେ ମାଟି ପରୀକ୍ଷାଗାର ରହିଥିଲା। ବର୍ତ୍ତମାନ ମୃତ୍ତିକା ପରୀକ୍ଷାଗାର ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଏଥିସହିତ ୩୦ଟି ଭ୍ରାମ୍ୟ ମୃତ୍ତିକା ପରୀକ୍ଷାଗାର ଜରିଆରେ ୩ ବର୍ଷରେ ୧୩.୫ ଲକ୍ଷ ମୃତ୍ତିକା ନମୁନା ପରୀକ୍ଷା କରାଯାଇ ପାରିବ ବୋଲି ରାଜ୍ୟ କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଚାଷୀମାନଙ୍କୁ ଠିକ ସମୟରେ ମାଟି ସ୍ବାସ୍ଥ୍ୟ କାର୍ଡ ଦିଆଯାଇ ପାରିବ। ଯାହା ସେମାନଙ୍କ ଚାଷ କାର୍ଯ୍ୟରେ ବିଶେଷ ସହାୟକ ହୋଇ ପାରିବ। ଏଥି ଅନ୍ତର୍ଗତରେ ଜଳସେଚିତ ଅଞ୍ଚଳରେ ୨.୫ ହେକ୍ଟର, ଅଣଜଳସେଚିତ ଜମି ପାଇଁ ୧୦ ହେକ୍ଟର ଜମିରୁ ମୃତ୍ତିକା ସଂଗ୍ରହ କରାଯାଇ ପରୀକ୍ଷାର ବ୍ୟବସ୍ଥା ରହିଛି।

ଓୟୁଏଟି ଗବେଷକଙ୍କ ଅନୁସାରେ, ଓଡ଼ିଶାର ୮୦ ପ୍ରତିଶତ ମାଟି ଅମ୍ଳ ହେଲାଣି। ୨୦୦୮ ମସିହାରେ ଏହା ଥିଲା ୬୯ ପ୍ରତିଶତ। ଅର୍ଥାତ ମାତ୍ର ୧୨ ବର୍ଷ ମଧ୍ୟରେ ମାଟି ଅମ୍ଳତା ୧୦ ପ୍ରତିଶତରୁ ଅଧିକ ସ୍ଥାନରେ ବ୍ୟାପିସାରିଛି। ଏଥିଯୋଗୁଁ ଉତ୍ପାଦନ ହ୍ରାସ ପାଇଛି। ମାଟି ପରୀକ୍ଷାଗାରରେ ମାଟି ନମୁନା ପରୀକ୍ଷଣ ହୋଇ ମାଟିର ସ୍ଥିତି ଯଥା କେଉଁ ସାର କେତେ ପରିମାଣର ରହିଛି ଏହାର ଏକ ରିପୋର୍ଟ ଦିଆଯାଏ। କେଉଁ ମାଟିରେ କେଉଁ ସାର କମ ରହିଛି ଏବଂ କେଉଁ ପ୍ରକାର ସାର ସିଞ୍ଚନ କରାଯିବା ଉଚିତ ଏସମ୍ପର୍କରେ ଏହି ରିପୋର୍ଟରେ ସୂଚନା ଦିଆଯାଏ। ମାଟି ପରୀକ୍ଷାଗାରରେ ୧୨ଟି ପାରାମିଟର ଏବଂ ମୋବାଇଲ ୟୁନିଟରେ ୫ଟି ପାରାମିଟରରେ ମାଟି ପରୀକ୍ଷା ହୋଇ ପାରୁଛି। ପରୀକ୍ଷାଗାରରୁ ରିପୋର୍ଟ ଆସିବା ପରେ ଦିଆଯାଉଥିବା ସ୍ବାସ୍ଥ୍ୟ କାର୍ଡ ୩ ବର୍ଷ ପର୍ଯ୍ୟନ୍ତ ବୈଧ ରହିଥାଏ। ସମନ୍ବିତ କୃଷି ପୋର୍ଟାଲରେ କୃଷି ଏବଂ ଆନୁଷଙ୍ଗିକ ଶସ୍ୟ, ପରିବା, ଫଳ, ଫୁଲ, ମାଛ, ଫସଲ, ଛତୁ, ମହୁ ଆଦିକୁ ସମନ୍ବିତ କୃଷି ପଦ୍ଧିତରେ ସାମିଲ କରାଯାଇ ଏକ ପାରସ୍ପରିକ ସନ୍ତୁଳିତ ବ୍ୟବସ୍ଥା ସୃଷ୍ଟି କରାଯାଇଛି। ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଇମେଜରେ ୩୨ କକ୍ଷ ବିଶିଷ୍ଟ କୃଷକ ନିବାସ, ୨ଟି ପ୍ରଶିକ୍ଷଣ ହଲ, ୬୦ ଜଣଙ୍କ ବସିବା ଭଳି ଏସି ରୁମ ଉଦଘାଟିତ ହୋଇଛି।

ସମ୍ବନ୍ଧିତ ଖବର