ଭୁବନେଶ୍ବର, (ବିଶ୍ବଜିତ ଦାଶ): ରାଜ୍ୟ ସରକାର ପୁଞ୍ଜିନିବେଶ ପାଇଁ ବିଭିନ୍ନ ସହରରେ ପୁଞ୍ଜିନିବେଶକାରୀଙ୍କ ସହ ବୈଠକ କରୁଛନ୍ତି। ପୁଞ୍ଜିପତି ଓଡ଼ିଶାରେ ପୁଞ୍ଜି ପ୍ରତିଶ୍ରୁତି ଦେଉଛନ୍ତି। ବହୁ ବିଶ୍ବସ୍ତରୀୟ ସଫ୍ଟୱେର କମ୍ପାନି ଓଡ଼ିଶାରେ ସେମାନଙ୍କ ଶାଖା ଖୋଲିବା ପ୍ରକ୍ରିୟା ଆରମ୍ଭ କରିଦେଲେଣି। ଯେଉଁ ପ୍ରଶ୍ନଟି ଏବେ ବୁଦ୍ଧିଜୀବୀଙ୍କ ଠାରୁ ଶିଳ୍ପପତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆନ୍ଦୋଳିତ କରୁଛି ତାହା ହେଲା- ସେମାନେ ଅବଶିଷ୍ଟ ଭାରତର ଯେ କୌଣସି ସହରରୁ ସିଧାସଳଖ ଓଡ଼ିଶାକୁ ଆସିପାରିବେ ନା ନାହିଁ? ସେମାନଙ୍କ ବରିଷ୍ଠ କର୍ମଚାରୀଙ୍କୁ ଏଠାରେ ରହଣି, ଯାତାୟତ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ମିଳିବ ତ? ଭୁବନେଶ୍ବର ବିମାନବନ୍ଦରକୁ ବିଶ୍ବର କେଉଁ କେଉଁ ସହରରୁ ବିମାନ ଚଳାଚଳ କରୁଛି?
ତଥ୍ୟ କହୁଛି ଯେ ଦୀର୍ଘ ୯ବର୍ଷ ହେଲା ଅନ୍ତର୍ଜାତୀୟ ବିମାନବନ୍ଦରର ମାନ୍ୟତା ହାସଲ କରିଥିବା ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏବେ ବିଦେଶକୁ ଗୋଟିଏ ବି ବିମାନ ଉଡ଼ୁନି। ଆସନ୍ତା ୫ରୁ ୬ମାସ ମଧ୍ୟରେ ଅନ୍ତର୍ଜାତୀୟ ସିଡ୍ୟୁଲ୍ ବିମାନ ଉଡ଼ାଣ ଆରମ୍ଭ ହେବାର ସମ୍ଭାବନା ବି ନାହିଁ। କେବଳ ଏତିକି ନୁହେଁ, ଭୁବନେଶ୍ବରରୁ ଏବେ ସୁଦ୍ଧା ୧୦ଟି ରାଜ୍ୟର ମାତ୍ର ୧୩ଟି ସହରକୁ ବିମାନ ଉଡ଼ାଣ ହେଉଛି। ଏବେବି ୧୮ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳକୁ ଓଡ଼ିଶାରୁ ସିଧା ବିମାନରେ ଯାତ୍ରା ସୁବିଧା ନାହିଁ। ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ, ପୁଣେ, ବାରଣାସୀ, ଆହ୍ଲାବାଦ, ପାଟଣା, ଅହମ୍ମଦାବାଦ, ଜୟପୁର, ରାୟପୁରକୁ ଛାଡ଼ି ଦେଶର ଆଉ କୌଣସି ପ୍ରମୁଖ ସହରକୁ ସିଧା ବିମାନ ବ୍ୟବସ୍ଥା ନାହିଁ। ବାହାର ରାଜ୍ୟରୁ ଆସି ଯେଉଁମାନେ ଓଡ଼ିଶାରେ କାମ କରୁଛନ୍ତି ବା କରିବେ ସେମାନଙ୍କୁ ଆକୃଷ୍ଟ କଲା ଭଳି ସବୁ ପ୍ରମୁଖ ସହରକୁ ବିମାନ ସେବା ନାହିଁ। ଏପରିକି ବିଶାଖାପାଟଣା ବି ଯିବାକୁ ହେଲେ ଭାୟା ହାଇଦ୍ରାବାଦ କି କୋଲକାତା ହୋଇ ବିମାନରେ ଯିବାକୁ ପଡ଼ୁଛି। ଉପରୋକ୍ତ ୧୩ଟି ସହର ବାଦ୍ ଦେଶର ଅନ୍ୟ କୌଣସି ସହରକୁ ଯାତାୟତ କଲେ ବିମାନରେ ଯିବା ଆସିବାରେ ୨୪ ଘଣ୍ଟା ଅଥବା ଦିନଟିଏ ବରବାଦ ହେଉଛି। ଏପରିସ୍ଥଳେ ବିମାନ ସେବା ଭିତ୍ତିଭୂମି ଦୃଷ୍ଟିରୁ ଦୁର୍ବଳ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଶ୍ବର ପ୍ରମୁଖ ଶିଳ୍ପସଂସ୍ଥାମାନେ କେତେ ଦୂର ଆଗ୍ରହୀ ହେବେ, ସେ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ।
ସଫ୍ଟୱେର ବୃତ୍ତିଧାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନାହାନ୍ତି
ଅନ୍ୟପକ୍ଷରେ ପର୍ଯ୍ୟଟନ ଦୃଷ୍ଟିରୁ ଦେଖିଲେ ଆହୁରି ବିକଳ ଚିତ୍ର ସାମ୍ନାକୁ ଆସୁଛି। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଭୁବନେଶ୍ବରରୁ ସିଧା ବିମାନ ସେବା ନାହିଁ। ଓଡ଼ିଶାରୁ ସପ୍ତାହକୁ ହଜାର ହଜାର ଲୋକ ଶିରିଡ଼ି ସାଇ ମନ୍ଦିର ଯାଉଛନ୍ତି। ଅଥଚ ଏବେବି ଲୋକଙ୍କୁ ଭୁବନେଶ୍ବରରୁ ଭାୟା ମୁମ୍ବାଇ ହୋଇ ଶିରିଡ଼ି ଯିବାକୁ ପଡ଼ୁଛି। ଶିରିଡ଼ିକୁ ବିମାନ ଚଳାଚଳ କଲେ ବିମାନରେ ସିଟ୍ ଖାଲି ପଡ଼ିବାର ସମ୍ଭାବନା ନଥିଲେ ହେଁ ଏ ଦିଗରେ ବି ରାଜ୍ୟ ସରକାରଙ୍କ ଉଦ୍ୟମ ନାହିଁ। କେବଳ ଏହି ଗୋଟିଏ ଅଞ୍ଚଳ ନୁହେଁ, ପର୍ଯ୍ୟଟନ ଦୃଷ୍ଟିରୁ ଗୋଆ, କେରଳ, ଜମ୍ମୁ କଶ୍ମୀର, ଉତ୍ତରାଖଣ୍ଡ, ପଞ୍ଜାବ ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୌଣସି ସ୍ଥାନକୁ ବି ଭୁବନେଶ୍ବରରୁ ବିମାନ ଉଡ଼ାଣ କରୁନି। ଫଳରେ ଓଡ଼ିଶା ଲୋକ ଅନ୍ୟ ରାଜ୍ୟକୁ ବୁଲିବାକୁ ଗଲେ ଅଯଥାରେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଏପରିକି ବହୁ ପ୍ରମୁଖ ସହରକୁ ବିମାନ ସେବା ନଥିବାରୁ ଘରୋଇ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରାଯାଇପାରୁନି।
ବିଶେଷଜ୍ଞମାନେ ଏସବୁକୁ ଲକ୍ଷ୍ୟ କରି କହୁଛନ୍ତି ଯେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପର୍ଯ୍ୟଟନ ବିଭାଗ ଦେଶ ବିଦେଶରେ ରୋଡ୍ ସୋ’ କରୁଛି। ହେଲେ ବିମାନ ଚଳାଚଳ ପାଇଁ କୌଣସି ପ୍ରକାରର ପଦକ୍ଷେପ ନିଆଯାଉନାହିଁ ବା ଏଥିପ୍ରତି କାହାର ନିଘା ନାହିଁ। ଗୋଟିଏ ସମୟରେ କ୍ବାଲାଲମ୍ପୁରକୁ ବିମାନ ଉଡ଼ାଣ ପାଇଁ ଏୟାର ଏସିଆକୁ ସବ୍ସିଡି ଦିଆଯାଉଥିଲା। ତାହାକୁ ବନ୍ଦ କରିଦିଆଗଲା ଓ ବିଦେଶକୁ ବିମାନ ବନ୍ଦ ହୋଇଗଲା। ଏପଟେ କିନ୍ତୁ ଏୟାର ଏସିଆକୁ ପୁଣେକୁ ବିମାନ ଚଳାଚଳ କରିବାକୁ ସବ୍ସିଡି ଦିଆଯାଉଛି। କେରଳର ଥିରୁବନ୍ତପୁରମ୍, ଶିରିଡି, ଗୋଆ ଭଳି ବିମାନବନ୍ଦରକୁ ସିଧା ବିମାନ ଉଡ଼ାଣ ପାଇଁ ସବ୍ସିଡି ଦେବା କ୍ଷେତ୍ରରେ ସରକାର ଆଗ୍ରହ ପ୍ରକାଶ କରୁନାହାନ୍ତି କାହିଁକି? ଏହାଦ୍ବାରା ରାଜ୍ୟ ସରକାର ବହୁ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ବି ଓଡ଼ିଶା ପର୍ଯ୍ୟନ୍ତ ଆକୃଷ୍ଟ କରିପାରନ୍ତେ। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଯେମିତିକି ଆସାମ, ହିମାଚଳପ୍ରଦେଶ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, ସିକିମ୍ କଥା ତଦ୍ରୁପ। ଏସବୁ ରାଜ୍ୟକୁ ବିମାନ ସଂଯୋଗରେ ଓଡ଼ିଶା ବହୁ ଦୂରରେ।
କ୍ରୀଡ଼ା ବିଶେଷଜ୍ଞମାନଙ୍କର ମତ ହେଉଛି, ରାଜ୍ୟ ସରକାର ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ବକପ୍ ମ୍ୟାଚ୍ କରିବାକୁ ଯାଉଛନ୍ତି। ହେଲେ ଦେଶ ଓ ଦେଶ ବାହାରର ହକି କ୍ରାଡ଼ା ପ୍ରେମୀଙ୍କୁ ଆକୃଷ୍ଟ କରିବା ଭଳି ଯୋଗାଯୋଗ ବ୍ୟବସ୍ଥା ପ୍ରତି ଆଖିବୁଜି ଦେଇଛନ୍ତି। ଏହି ଆଳରେ ରାଜ୍ୟ ସରକାର କେନ୍ଦ୍ର ଉପରେ ଚାପ ସୃଷ୍ଟି କରି ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଅନେକ କିଛି ପରିବର୍ତ୍ତନ କରିପାରନ୍ତେ। ଏପରିକି ଯେଉଁ ଯେଉଁ ରାଜ୍ୟର ଖେଳାଳି ଅଛନ୍ତି ସେମାନଙ୍କ ରାଜ୍ୟରୁ ପ୍ରଶଂସକଙ୍କୁ ଆକୃଷ୍ଟ କଲାଭଳି ବିମାନ ବ୍ୟବସ୍ଥା କରିପାରନ୍ତେ। ଏ କ୍ଷେତ୍ରରେ ବି ଉଦ୍ୟମ ଶୂନ। ଗୋଟିଏ କଥା ଏବେଠୁ କୁହାଯାଇପାରିବ ଯେ ଯେଉଁ ଦେଶ ମ୍ୟାଚ୍ ଖେଳିଲେ ବି ଷ୍ଟାଡିୟମରେ କାଁ ଭାଁ ବାହାର ରାଜ୍ୟ ଓ ଦେଶର ଦର୍ଶକଙ୍କୁ ଦେଖିବାକୁ ମିଳିବ। ଅନ୍ତର୍ଜାତୀୟ ମ୍ୟାଚ୍ ଯୋଗୁଁ ରାଜ୍ୟର ପର୍ଯ୍ୟଟକଙ୍କ ହାରରେ ଯେଉଁ ବୃଦ୍ଧି ହୋଇଥାନ୍ତା ସେତିକି ସମ୍ଭାବନା କ୍ଷୀଣ।
/sambad/media/post_attachments/wp-content/uploads/2021/01/flight-1-750x430.jpg)
ବିଡମ୍ବନାର ବିଷୟ ରାଜ୍ୟ ସରକାରଙ୍କ ପାଇଁ ବିଦେଶକୁ ବିମାନ ଉଡ଼ାଣ ପାଇଁ ‘ପ୍ରିଫରେନ୍ସିଆଲ୍ ଆସେସ୍’ ଭଳି ଅସୁବିଧା ନାହିଁ। ଏହା ସତ୍ତ୍ବେ ଘରୋଇ ବିମାନ ଉଡ଼ାଣ ବଢ଼ାଇବାରେ ରାଜ୍ୟ ସରକାର ସଫଳ ହୋଇପାରୁନାହାନ୍ତି। କେବଳ ବିମାନ ଉଡ଼ାଣକାରୀ ସଂସ୍ଥାକୁ ମନାଇ/ପ୍ରଲୋଭନ ଦେଖାଇପାରିଲେ ଏହା ସମ୍ଭବ ହୋଇପାରନ୍ତା। ଏସବୁ ଘଟଣା କେଉଁଠି ନା କେଉଁଠି ସଙ୍କେତ ଦେଉଛି ଯେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀମାନଙ୍କର ଉଦାସୀନତା ଓଡ଼ିଶା ସ୍ବାର୍ଥ ପରିପନ୍ଥୀ। ମୁଖ୍ୟମନ୍ତ୍ରୀ ଏକଥା ହେଜିଲେଣି ନା ନାହିଁ? ସୂଚନାଯୋଗ୍ୟ ଯେ, ଏବେ ଭୁବନେଶ୍ବର ବିମାନବନ୍ଦରରେ ଦୈନିକ ପ୍ରାୟ ୭୦ରୁ ୭୫ଟି ବିମାନ ଯାତାୟତ କରୁଥିବାବେଳେ ଏଥିରେ ୯ରୁ ୧୦ହଜାର ଲୋକ ଯାତାୟତ କରୁଛନ୍ତି।