ସୁନ୍ଦରଗଡ଼: ୧୦ ବର୍ଷ ତଳେ ଭୂଷଣ ପାୱାର କମ୍ପାନିର ଜାମକାନି କୋଇଲା ଖଣିରେ ଝାରପଲମ, ଗିରିସୀମା, ଜାମକାନି ଓ ମେଣ୍ଡ୍ରା ଗାଁ ବିସ୍ଥାପିତ ଜମି ସହ ଜୀବନଜୀବିକା ହରାଇଥିଲେ। ଖଣି ଆବଣ୍ଟନ ଦୁର୍ନୀତିରେ ଭୂଷଣ ଖଣି ହରାଇଥିବା ବେଳେ ତାହା ଏବେ ବେଦାନ୍ତ ହାତକୁ ଚାଲିଯାଇଛି। ଏସ୍ଥିତିରେ ଏବେ ୧୮ ବର୍ଷ ବୟସ ଛୁଇଁଥିବା ବା ଅତିକ୍ରମ କରିଥିବା ଯୁବକଯୁବତୀଙ୍କୁ ବିସ୍ଥାପିତ ପରିବାରର ମାନ୍ୟତା ଦେଇ ବିସ୍ଥାପନ ନୀତି ଅନୁଯାୟୀ ପୁନର୍ବାସ, ଥଇଥାନ ସହ ଚାକିରି ଦେବାକୁ ଦାବି ହୋଇଛି।
ଏହି ଅବସରରେ ମେଣ୍ଡ୍ରା ଗାଁର ଡିଲେଶ୍ବର ଦେହେରୀ, ଗିରୀଶ ଦେହେରୀ, କାଳାଚନ୍ଦ କିସାନ, ରକେଶ ଦେହେରୀ, ନବୀନ ଦେହେରୀ, ସଚିନ ମେହେର, ମନବୋଧ ଧୃଆ, ରୋହିତ ପଶାୟତ, ବଂଶୀଧର ମହାନନ୍ଦିଆ, ଲାଲବାହାଦୂର ସେଠ ପ୍ରମୁଖ ଯୁବକ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଭେଟି ୧୮ ବର୍ଷରୁ ଅଧିକ ବୟସର ଯୁବକଯୁବତୀଙ୍କୁ ବର୍ଗ-୧ର ମାନ୍ୟତା ଦେଇ ଚାକିରି, ଘରଡିହି ସହ ଘର ଯୋଗାଇଦେବାକୁ ଦାବି କରିଛନ୍ତି। ଜମି ଅଧିଗ୍ରହଣ ପରେ ୧୦ ବର୍ଷ ସେମାନଙ୍କ ଜୀବନଜୀବିକା ଗମ୍ଭୀର ଭାବେ ପ୍ରଭାବିତ ହୋଇଥିବାରୁ ସେମାନେ ଏସବୁ ସୁବିଧା ପାଇବା ପାଇଁ ଯୋଗ୍ୟ ବୋଲି ପ୍ରକାଶ କରିଛନ୍ତି।