ରଥଯାତ୍ରାରେ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ

ପୁରୀ: ଆଗାମୀ ଜୁନ୍ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାରେ ପୁରୀ ସହରକୁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ଜଗିବେ। ଏଥିସହ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଦାୟିତ୍ୱରେ ରହିବେ। ଏଥିପାଇଁ ପୁରୀ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି।

ଚଳିତବର୍ଷ ରଥଯାତ୍ରାରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁମାନଙ୍କର ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ବ୍ୟବସ୍ଥାକୁ ପରିଚାଳନା ନେଇ ଆଜି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ତଥା ଟ୍ରାନ୍ସପୋର୍ଟ କମିଶନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ, ଏସ୍‌ଆଇଡବ୍ଲ୍ୟୁ ଡିଆଇଜି ଅଖିଳେଶ୍ବର ସିଂହ, ଭୁବନେଶ୍ବର ଅତିରିକ୍ତ କମିଶନର ଉମାଶଙ୍କର ଦାଶ, ପୁରୀ ଏସ୍‌ପି ଡା.‌ କନୱର. ବିଶାଳ ସିଂହ, ହେଡ୍‌କ୍ବାଟର ଏସ୍‌ପି ରାହୁଲ ଜେନ୍‌ ପ୍ରମୁଖ ଯୋଗ ଦେଇଥିଲେ।

ଏହି ବୈଠକରେ ରଥଯାତ୍ରା ଟ୍ରାଫିକ୍‌ ବ୍ୟବସ୍ଥାର ନୋଡାଲ ଅଫିସର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପାୱାର ପଏଣ୍ଟ ମାଧ୍ୟମରେ ଟ୍ରାଫିକ୍‌ ବ୍ୟବସ୍ଥା ସମ୍ପର୍କରେ ଯୋଜନା ଉପସ୍ଥାପନ କରିଥିଲେ। ଚଳିତବର୍ଷ ମୋଟ ୩୦ଟି ପାର୍କିଂ ସ୍ଥଳୀ ବ୍ୟବସ୍ଥା କରାଯାଇଛି। ସେହିପରି ଟ୍ରାଫିକ୍‌ ବ୍ୟବସ୍ଥା ପରିଚାଳନା ପାଇଁ ପୁରୀକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ପୁରୀ ସହରାଞ୍ଚଳ ଏବଂ ଦ୍ବିତୀୟଟି ସହରାଞ୍ଚଳ ବାହାର ଅର୍ଥାତ ସାତପଡ଼ାରୁ ମଙ୍ଗଳାଘାଟ ଛକ, ଉତ୍ତରା ଛକରୁ ମାଳତୀପାଟପୁର ବସ୍‌ଷ୍ଟାଣ୍ଡ ଓ କୋଣାର୍କରୁ ଗ୍ରିଡ୍‌‌ ଷ୍ଟେସନ ଛକ ଅନ୍ତର୍ଭୁକ୍ତ। ସେହିପରି ସହରାଞ୍ଚଳର ବଡ଼ଦାଣ୍ଡର ଉଭୟପାର୍ଶ୍ବକୁ ଦୁଇ ଭାଗରେ ବିଭକ୍ତ କରି ୧୨ଟି ଜୋନ୍‌, ୩୦ଟି ସେକ୍ଟରରେ ବିଭକ୍ତ କରାଯାଇଛି। ଏହି ଟ୍ରାଫିକ୍‌ ବ୍ୟବସ୍ଥାକୁ ପରିଚାଳନା କରିବାକୁ ୧୨ଟି ଆଉଟ୍‌ପୋଷ୍ଟ କରାଯାଇଛି। ସମସ୍ତ ଜୋନ୍‌ଗୁଡ଼ିକ ଦାୟିତ୍ବରେ ଡିଏସ୍‌ପି ଓ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ରହିବେ। ସେହିପରି ସେକ୍ଟରଗୁଡ଼ିକ ଦାୟିତ୍ବରେ ଇନ୍‌ସ୍ପେକ୍ଟର ବା ସୁବେଦାରମାନେ ରହିବେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର ପଣ୍ଡା, ପ୍ରଫୁଲ୍ଲ ବଡ଼ଜେନା, ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ଜିତେନ୍ଦ୍ର ଦେହୁରୀ, ଟ୍ରାଫିକ୍‌ ଡିଏସ୍‌ପି ନିରଞ୍ଜନ ସବର, ଡିଏସ୍‌ପି ଜିବିଏସ୍‌ ନନ୍ଦ, ରିଜର୍ଭ ଇନ୍‌ସ୍ପେକ୍ଟର ଚନ୍ଦ୍ରଶେଖର ଦାଶ, ଟ୍ରାଫିକ୍‌ ଇନ୍‌ସ୍ପେକ୍ଟର ସଂଗୀତା ଦାଶ, ପ୍ରତିମା ସାହୁ, ଡିଆଇବି ଇନ୍‌ସ୍ପେକ୍ଟର ଗାୟତ୍ରୀ ମିଶ୍ର ଓ କୁମ୍ଭାରପଡ଼ା ଥାନା ଆଇଆଇସି ଦିଲୀପ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର