ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଡିୟମ୍‌ରେ ୧୮୧ଟି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍‌ ଯାନର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଅଧୀନରେ ଏହି ଯାନଗୁଡ଼ିକ ରାଜ୍ୟବ୍ୟାପୀ ପ୍ରାଣୀଧନ ସେବା ଯୋଗାଇବେ। ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରାଣୀଧନଙ୍କ ସହ ଗ୍ରାମାଞ୍ଚଳରେ ରହୁଥିବା ଚାଷୀମାନଙ୍କ ରୋଜଗାରକୁ ବହୁଗୁଣିତ କରିବା ସହିତ ସେମାନଙ୍କ ମୁହଁରେ ହସ ଆଣିବା ପାଇଁ ରାଜ୍ୟ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। କୃଷକ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀମାନଙ୍କ ପାଇଁ ପଶୁ ସଂପଦ ଏକ ବିକାଶ କ୍ଷେତ୍ରଭାବେ ଚୟନ କରାଯାଇଛି। ପୂର୍ବରୁ ଏହି ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ୍‌କୁ ଭଡ଼ା ସୂତ୍ରରେ ଆଣି ସେବା ଦିଆଯାଉଥିଲା।

Advertisment

ମାତ୍ର ଏବେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଖର୍ଚ୍ଚ କରିବା ସହିତ ୧୮୧ଟି ଭ୍ରାମ୍ୟମାଣ ୟୁନିଟ୍‌ ଯୋଗାଇଦେଇଛନ୍ତି। ଏହି ଯାନଗୁଡ଼ିକ ଚାଷୀମାନଙ୍କ ପାଇଁ ସଚେତନତା କ୍ୟାମ୍ପ ଆୟୋଜନ କରିବା ସହିତ ପଶୁଙ୍କ ଜଟିଳ ଅସ୍ତ୍ରୋପଚାର, ଟିକାକରଣ, ଡାଏଗ୍ନୋଷ୍ଟିକ୍ ସେବା ପ୍ରଦାନ କରିବ। ଏହି ଯାନଗୁଡ଼ିକର ଲୋକେସନ୍‌ ବା ସ୍ଥାନ ଜିପିଏସ୍‌ ଦ୍ବାରା ଟ୍ରାକ୍ କରାଯିବ। ଯାହାଳଫରେ ସେବାରେ ସ୍ବଚ୍ଛତା ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମତ୍ସ୍ୟ ଓ ପଶୁସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଭାଗୀୟ ଅଧିକାରୀ ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ।