ବ୍ରିଟେନ୍‌ରୁ ଫେରିଲେଣି ୧୮୧, ୪ ବର୍ଷର ଝିଅ ପଜିଟିଭ୍‌

ଭୁବନେଶ୍ବର: ଓଡ଼ିଶାକୁ ଫେରିଥିବା ବ୍ରିଟେନ୍‌ ଫେରନ୍ତାଙ୍କ ତାଲିକା ଗତକାଲି ସ୍ବାସ୍ଥ୍ୟ ବିଭାଗ ଜାରି କରିବା ପରେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଯାଇଛି। ରାଜଧାନୀଠାରୁ ଆରମ୍ଭ କରି ଜିଲ୍ଲାସ୍ତରରେ ଫେରନ୍ତାଙ୍କୁ ଚିହ୍ନଟ ଓ ସେମାନଙ୍କ ଆରଟି-ପିସିଆର ନମୁନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜଧାନୀରେ ୪ ବର୍ଷର ଜଣେ ଶିଶୁ କନ୍ୟା ପଜିଟିଭ୍ ଚିହ୍ନଟ ହୋଇଛି। ଏହାକୁ ମିଶାଇ ରାଜଧାନୀରେ ୨ଜଣ ବ୍ରିଟେନ୍‌ ଫେରନ୍ତା କରୋନା ସଂକ୍ରମିତ ହୋଇସାରିଲେଣି। ଆଜି ପଜିଟିଭ୍ ଚିହ୍ନଟ ହୋଇଥିବା ନାବାଳିକାର ନମୁନା ମଧ୍ୟ ପରୀକ୍ଷା
ପାଇଁ ପୁନେସ୍ଥିତ ନାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଭାଇରୋଲୋଜିକୁ ପଠାଯାଇଛି। ଦୁହିଁଙ୍କ ନମୁନାର ଜିନ୍ ଅନୁଶୀଳନ ହେବା ପରେ ଦୁହେଁ ବ୍ରିଟେନ୍‌ରେ ଦେଖାଦେଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍(ବି.୧.୧.୭)ରେ ସଂକ୍ରମିତ ହୋଇଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇପାରିବ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୨୧ ତାରିଖ ମଧ୍ୟରେ ରାଜ୍ୟକୁ ସମୁଦାୟ ୧୮୧ଜଣ ବ୍ରିଟେନ୍‌ ଫେରନ୍ତା ଆସିଛନ୍ତି। ଗତକାଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗତ ୧୪ ଦିନ (୭ ତାରିଖଠାରୁ) ଭିତରେ ବ୍ରିଟେନ୍‌ରୁ ଓଡ଼ିଶା ଫେରିଥିବା ୬୧ ଜଣଙ୍କ ସଂପର୍କରେ ତାଲିକା ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର ଓ ସିଡିଏମ୍‌ଓଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ବ୍ରିଟେନ୍‌ରୁ ଲୋକ ଫେରିଥିବା ବେଳେ ଭୁବନେଶ୍ବରରେ ୨୧ରୁ ଅଧିକ ଫେରନ୍ତା ରହିଛନ୍ତି। ବ୍ରିଟେନ୍‌ ଫେରନ୍ତାଙ୍କ ଲାଗି ଆଇସିଏମ୍‌ଆର ପକ୍ଷରୁ ଆରଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ ରହିଥିବାରୁ ସେମାନଙ୍କୁ ଚିହ୍ନଟ କରି ନମୁନା ସଂଗ୍ରହ କରିବା ଲାଗି ଜିଲ୍ଲାସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୬୩ ବ୍ରିଟେନ୍‌ ଫେରନ୍ତାଙ୍କ ନମୁନା ସଂଗ୍ରହ କରାଯାଇଛି। ଏଥିରେ କଟକର ୧୨ ନମୁନା ପରୀକ୍ଷା ହୋଇଥିବା ବେଳେ ସବୁତକର ରିପୋର୍ଟ ନେଗେଟିଭ୍‌ ଆସିଥିବା ସୂଚନା ମିଳିଛି। ଏହାବାଦ୍‌ କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର, ନୂଆପଡ଼ାରୁ ବ୍ରିଟେନ୍‌ ଫେରନ୍ତାଙ୍କ ନମୁନା ସଂଗ୍ରହ କରାଯାଇଛି। ଏଥିରେ ଫେରନ୍ତାଙ୍କ ସମେତ ତାଙ୍କ ପରିବାରଲୋକଙ୍କର ମଧ୍ୟ ନମୁନା ସଂଗ୍ରହ କରାଯାଇଛି।

ରାଜଧାନୀକୁ ସର୍ବାଧିକ ସଂଖ୍ୟକ ବ୍ର‌ିଟେନ୍‌ ଫେରନ୍ତା ଆସିଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୫ଜଣଙ୍କୁ ଟ୍ରେସିଂ କରାଯାଇଛି। ଅନ୍ୟମାନେ ରାଜ୍ୟ ବାହାରକୁ ଚାଲି ଯାଇଥିବା ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏଭଳି ପରିସ୍ଥିତିରେ କିଭଳି ସେମାନଙ୍କର ନମୁନା ସଂଗ୍ରହ ହେବ, ଏହା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେବେ ନମୁନା ସଂଗ୍ରହ ପାଇଁ ସେମାନଙ୍କୁ ଯୋଗାଯୋଗ କରାଯାଇଥିବା ଜଣାପଡ଼ିଛି। ସେହିପରି ବିଦେଶରୁ ଫେରିବା ପରେ କେତେକ ନିଜର କୋଭିଡ ପରୀକ୍ଷା କରିଥିଲେ। ମାତ୍ର ସେମାନେ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ରେ ନିଜର ପରୀକ୍ଷା କରିଥିବାରୁ ସେମାନଙ୍କୁ ଆରଟି-ପିସିଆର ପରୀକ୍ଷା କରିବା ଲାଗି କୁହାଯାଇଛି।

ଅପରପକ୍ଷରେ ରାଜଧାନୀରେ ଚିହ୍ନଟ ୪ବର୍ଷର ଶିଶୁକନ୍ୟାଟି ନିଜ ବାପା ମା’ଙ୍କ ସହ ଗତ ୨୦ ତାରିଖରେ ରାଜଧାନୀକୁ ଫେରିଥିଲା। ଶିଶୁକନ୍ୟାଟି ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବାପା ମା’ଙ୍କ ରିପୋର୍ଟ ନେଗେଟିଭ୍ ରହିଛି। ସେମାନଙ୍କୁ ସରକାରୀ କୋଭିଡ୍‌ ହସ୍ପିଟାଲରେ ପୃଥକାବାସରେ ରଖାଯାଇଛି। ପୁନର୍ବାର ଦୁହିଁଙ୍କର ଆରଟି-ପିସିଆର ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ‌ତେବେ ରାଜଧାନୀ‌ରେ ସର୍ବାଧିକ ବ୍ରିଟେନ୍‌ ଫେରନ୍ତା ରହିଥିବାରୁ ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଯଦି ପୁନର୍ବାର ସଂକ୍ରମଣ ବ୍ୟାପେ, ତାହାଲେ କାଳେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍ ଫେରିବ, ଏହି ଚିନ୍ତା ରାଜଧାନୀବାସୀଙ୍କୁ ଘାରିଛି।

ସମ୍ବନ୍ଧିତ ଖବର