କଟକ : ୧୮୧୯ କୋଟି ଟଙ୍କାର ଜାଲ୍ ବିଲ୍ ରୢାକେଟର ପର୍ଦ୍ଦାଫାସ କରିଛି ରାଜ୍ୟ ଜିଏସ୍‌ଟି ଏନଫୋର୍ସମେଣ୍ଟ୍ ସ୍କ୍ବାଡ୍। ଏହି ଜାଲିଆତିର ମାଷ୍ଟରମାଇଣ୍ଡ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଅମିତ ଅଗ୍ରୱାଲଙ୍କୁ ଝାରସୁଗୁଡାରୁ ଓ ସତୀନ୍ଦ୍ର କୁମାର ଯାଦବଙ୍କୁ ଭୁବନେଶ୍ବରରୁ ଗିରଫ କରାଯାଇଛି। ଏମାନେ ଜାଲ୍ ବିଲ୍ ବଳରେ ୩୨୩ କୋଟି ଟଙ୍କାର ଜାଲ୍ ଇନପୁଟ୍ ଟ୍ୟାକ୍ସ୍ କ୍ରେଡିଟ୍ (ଆଇଟିସି) ହାତେଇଛନ୍ତି।

Advertisment

ଆଜି ବାଣିଜ୍ୟକର ଏବଂ ଜିଏସଟି କମିସନରେଟ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଦୁଇ ଜଣ ଅନ୍ୟ କେତେକଙ୍କ ସହିତ ମିଶି ୧୩ଟି ଜାଲ୍ ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲିବା ସହିତ ଜାଲ୍ କିଣା ବିଲ୍ ମାଧ୍ୟମରେ ଆଇଟିସି ହା‌ତଉଥିଲେ। ଏହି ଜାଲ୍ ପ୍ରତିଷ୍ଠାନର ଚେର ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଦିଲ୍ଲୀକୁ ବ୍ୟାପିଛି।

ଏହି ଦୁଇ ଅଭିଯୁକ୍ତ କୋଲକାତାରେ ରହୁଥିବା ଝୋଟ କଳ ଶ୍ରମିକ, ଝାଡୁଦାର ଏବଂ ସେହି ଶ୍ରେଣୀର ଅନ୍ୟ ଲୋକଙ୍କୁ ଟାର୍ଗେଟ କରୁଥିଲେ। ସେମାନଙ୍କୁ ଚାକିରି ଦେବାକୁ କହି ସେମାନଙ୍କର ଫଟୋ, ଭୋଟର ପରିଚୟପତ୍ର, ପ୍ୟାନ କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ଇତ୍ୟାଦି ‌ହାତେଇ ନେଉଥିଲେ। ସେମାନଙ୍କ ନାମରେ କଂପାନି ଖୋଲୁଥିଲେ। ସେମାନଙ୍କ ପରିଚୟପତ୍ର ବ୍ୟବହାର କରି ଜିଏସଟି ପଂଜୀକରଣ ସହିତ ବ୍ୟାଙ୍କରେ କରେଣ୍ଟ ଆକାଉଣ୍ଟ ଖୋଲୁଥିଲେ। ଜାଲ୍ କଂପାନିରେ କୌଣସି ସାମଗ୍ରୀ ଆଦାନ ପ୍ରଦାନ ହେଉ ନଥିଲେ ବି ଜାଲ୍ ବିଲ୍ କିନ୍ତୁ ପ୍ରସ୍ତୁତ କରାଯାଉଥିଲା। ଏହି ପ୍ରକ୍ରିୟାରେ ୧୮୧୯ ‌କୋଟିର ଜାଲ୍ ବିଲ୍ ପ୍ରସ୍ତୁତ ହୋଇଥିବା ବେଳେ ସେଥିରୁ ୩୨୩ କୋଟିର ଆଇଟିସି ଫାଇଦା ଏମାନେ ନେଇ ଯାଇଥିଲେ।

ଓଡ଼ିଶା ଜିଏସଟି ଆଇନ ୨୦୧୭ର ବିଭିନ୍ନ ଧାରା ଅନୁଯାୟୀ ଏଭଳି କାରବାର ଜାମିନବିହୀନ ଧର୍ତ୍ତବ୍ୟ ଅପରାଧ। ଗଲା କିଛି ମାସ ଭିତରେ ଏଭଳି କାରବାରରେ ସଂପୃକ୍ତ ୨୩ ଠକ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିବା ବେଳେ ଏଯାଏ ମୋଟ ୨୯ ହଜାର ୨ ଜଣ ବ୍ୟବସାୟୀଙ୍କ ପଞ୍ଜୀକରଣ ରଦ୍ଦ କରାଯାଇଛି। ଏଭଳି ‌ଜାଲିଆତି ରୋକିବା ପାଇଁ ସାଧାରଣ ଲୋକଙ୍କୁ ସେମାନଙ୍କ ପରିଚୟପତ୍ର ଏବଂ ଅନ୍ୟ ପ୍ରମାଣପତ୍ର କୌଣସି ଲୋକଙ୍କୁ ନ ଦେବା ପାଇଁ ଅନୁରୋଧ କରାଯାଇଛି। ଏଭଳି ଜାଲିଆତି ବିରୋଧରେ ଚଢଉ ଅଭିଯାନ ଆଗକୁ ଆହୁରି ବ୍ୟାପକ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।