ବାଲେଶ୍ବର : ପ୍ରତ୍ୟେକ ଜାତିର ଭାଷା ହେଉଛି ତାର ଜୀବନୀଶକ୍ତି। ଯେଉଁ ଜାତି ଭାଷାହୀନ, ସେ ଜାତି ବର୍ବର ଓ ସମ୍ବେଦନହୀନ। ଗାନ୍ଧିଜୀ ଯେପରି ଦେଶ ସ୍ବାଧୀନତା ପାଇଁ ଆନ୍ଦୋଳନ କରିଥିଲେ, ଓଡ଼ିଆ ଭାଷାକୁ ସୁରକ୍ଷା ଦେବା ପାଇଁ ଫକୀରମୋହନଙ୍କ ଆହ୍ବାନ ସେହିପରି ଥିଲା। ନିଜ କଲମମୁନରେ ତତ୍କାଳୀନ ଶାସନତନ୍ତ୍ରକୁ ସେ ସତର୍କ କରାଇ ଦେଇଥିଲେ। ଆଜି ବାଲେଶ୍ବର ସହର ମଲ୍ଲିକାଶପୁରରେ ଥିବା ସାରସ୍ବତ ତୀର୍ଥକ୍ଷେତ୍ର ଶାନ୍ତିକାନନ ପରିସରରେ ବ୍ୟାସକବି ଫକୀରମୋହନ ସେନାପତିଙ୍କର ୧୮୧ତମ ଜୟନ୍ତୀ ଉତ୍ସବ ଏବଂ ଫକୀରମୋହନ ସାହିତ୍ୟ ପରିଷଦର ରତ୍ନୋତ୍ସବରେ ଯୋଗଦେଇ ଏପରି ବକ୍ତବ୍ୟ ରଖିଛନ୍ତି ଆନ୍ଧ୍ରପ୍ରଦେଶର ମହାମହିମ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ।

Advertisment

ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମହାମହିମ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇ ଆହୁରି କହିଲେ ଯେ, ଯେତେବେଳେ ଭାଷାଜନିତ କୌଣସି ସଂକଟ ଦେଖାଦେବ, ସେତେବେଳେ ଆମେ ସମସ୍ତେ ଦୃଢ଼କଣ୍ଠରେ ତାର ପ୍ରତିବାଦ କରିବା ଉଚିତ। ଫକୀରମୋହନ ଯଦି ନଥାନ୍ତେ ଇଂରେଜମାନଙ୍କ ହୀନ ଚକ୍ରାନ୍ତ ଯୋଗୁ ଓଡ଼ିଆ ଭାଷା ଲୋପ ପାଇବା ସହ ଓଡ଼ିଆ ଜାତି ପରିଚୟ ହରାଇଥାନ୍ତା। ଭାଷା ସୁରକ୍ଷା ପାଇଁ ସେ ତାଙ୍କ ଜୀବନରେ ଯେତିକି କଷ୍ଟ, ଯନ୍ତ୍ରଣା, ନିନ୍ଦା ଓ ଅପବାଦ ସହିଛନ୍ତି; ଭାରତବର୍ଷରେ ଅନ୍ୟ କେଉଁ ସାହିତ୍ୟିକଙ୍କ କ୍ଷେତ୍ରରେ ସେଭଳି ଦେଖିବାକୁ ମିଳି ନାହିଁ। ତେଣୁ ଫକୀରମୋହନ କେବଳ ଓଡ଼ିଆ ଭାଷା ସାହିତ୍ୟର ସେନାପତି ନୁହନ୍ତି, ସେ ଭାରତୀୟ ସାହିତ୍ୟର ସେନାପତି। ସେହିପରି ମୁଖ୍ୟବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମିର ଓଡ଼ିଶା ଉପଦେଷ୍ଟା ବୋର୍ଡର ଆବାହକ ଡ. ବିଜୟାନନ୍ଦ ସିଂହ ଏବଂ ସମ୍ମାନିତ ଅତିଥି ଭାବେ ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ମଞ୍ଚାସୀନ ହୋଇ ଫକୀରମୋହନଙ୍କ ଅବଦାନକୁ ସ୍ମରଣ କରିଥିଲେ।

ଏହି ଅବସରରେ ଫକୀରମୋହନ ସାହିତ୍ୟ ପରିଷଦର ମୁଖପତ୍ର ‘ସାହିତ୍ୟ ବାହିକା ଉନ୍ମୋଚିତ ହୋଇଥିଲା। ପରିଷଦର ସର୍ବୋଚ୍ଚ ପୁରସ୍କାର ‘ଫକୀରମୋହନ ସାହିତ୍ୟଶ୍ରୀ ଯଶସ୍ବୀ ସାରସ୍ବତ ସାଧକ ରାଜେନ୍ଦ୍ର କିଶୋର ପଣ୍ତା ଏବଂ ‘ହାଜି ଅସରଫ୍ ଅଲ୍ଲୀ ଉଦୟ ପ୍ରତିଭା ପୁରସ୍କାର ପ୍ରତ୍ୟାଶା ଧଳଙ୍କୁ ପ୍ରଦାନ କରାଯାଇଥିଲା। ଗୀତିକାର ରମାକାନ୍ତ ଦାସ ‘ପରିଷଦ ଗୌରବ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏତଦ୍‌ବ୍ୟତୀତ ସାହିତ୍ୟର ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ବସନ୍ତ କୁମାର ପଣ୍ତା, ଡ. ରବୀନ୍ଦ୍ର କୁମାର ବିହାରୀ, ମମତା ଦାଶ, ସତ୍ୟ ମିଶ୍ର, ଡ. ମୌସୁମୀ ପରିଡ଼ା, ମନ୍ମଥ ଶତପଥୀ, ବସନ୍ତ କୁମାର ଦାସ, ଅରୁଣ ହୋତା, ବ୍ୟଙ୍ଗବାରୁଦ ଶ୍ରୀଅବାଗିଆ, ଡ. ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ପ୍ରୀତୀଶ ଆଚାର୍ଯ୍ୟ, ଲାବଣ୍ୟ ଶବର, ଚନ୍ଦ୍ରମୋହନ ମହାପାତ୍ର, ରମାକାନ୍ତ ଜେନା, ପ୍ରଦୀପ କୁମାର ମିଶ୍ର, ଡ. ସୁରେନ୍ଦ୍ର ପ୍ରସାଦ ମହାନ୍ତି ଓ ପ୍ରିୟବ୍ରତ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂପାଦକ ଦୀପକ ବୋଷ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ଯୁଗ୍ମ ସଂପାଦକ ଡ. ସାରଙ୍ଗଧର ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ସେହିପରି ଓଡ଼ିଶା ସାହିତ୍ୟ ଏକାଡେମି ଓ ଫକୀରମୋହନ ସାହିତ୍ୟ ପରିଷଦ ମିଳିତ ଆନୁକୂଲ୍ୟରେ ଏକ ଆଲୋଚନା ସଭା ମଧ୍ୟ ହୋଇଥିଲା। ଯେଉଁଥିରେ ଭରତ ଚନ୍ଦ୍ର ଦାଶ ଅଧ୍ୟକ୍ଷତା କରିଥିଲେ।