ବଳକା ଲ୍ୟାପ୍ଟପ୍ ଉଚ୍ଚଶିକ୍ଷା ବିଭାଗକୁ ଫେରିବ
ଏଣିକି ଲ୍ୟାପ୍ଟପ୍ ବଦଳରେ ଆକାଉଣ୍ଟକୁ ଯିବ ଟଙ୍କା
ଭୁବନେଶ୍ବର : ଥରେ କି ଦୁଇ ଥର ନୁହେଁ। ଅନେକ ଥର ଚିଠି ଲେଖାଯିବା ପରେ ବି ମେଧାବୀ ଛାତ୍ରଛାତ୍ରୀ ଲ୍ୟାପଟପ୍ ନେଉନାହାନ୍ତି। ସେମାନଙ୍କୁ ଅବଗତ କରାଯିବା ସହ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲେ ମଧ୍ୟ ୨୦୧୯-୨୦ ଶିକ୍ଷାବର୍ଷରେ ୧୮୨ ଜଣ ଯୁକ୍ତ୨ ମେଧାବୀ ଛାତ୍ରଛାତ୍ରୀ ଲ୍ୟାପ୍ଟପ୍ ଗ୍ରହଣ କରିଲେ ନାହିଁ। ଯେଉଁଥିପାଇଁ ଏବେ ଲ୍ୟାପ୍ଟପ୍ଗୁଡ଼ିକ ଫେରାଇ ନେବାକୁ ଉଚ୍ଚଶିକ୍ଷା ଉଦ୍ୟମ ଆରମ୍ଭ କରିଛି। ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତ୨ ପରୀକ୍ଷାରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲ୍ୟାପ୍ଟପ୍ ବଣ୍ଟନ ହେଉଥିଲେ ମଧ୍ୟ କେଉଁ କାରଣ ପାଇଁ ପିଲାମାନେ ଆଗ୍ରହ ପ୍ରକାଶ କଲେ ନାହିଁ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।
ଉଚ୍ଚଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ ୨୦୧୯-୨୦ ଶିକ୍ଷାବର୍ଷରେ ୧୮୨ ଜଣ ମେଧାବୀ ଲ୍ୟାପ୍ଟପ୍ ଗ୍ରହଣ କରିନାହାନ୍ତି। ଏବେ ଲ୍ୟାପ୍ଟପ୍ଗୁଡ଼ିକ ଜିଲ୍ଲାସ୍ତରୀୟ ନୋଡାଲ ସେଣ୍ଟରରେ ରହିଛି। ୩୦ଟି ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲାରେ ସମସ୍ତ ଲ୍ୟାପ୍ଟପ୍ ବଣ୍ଟନ ହୋଇଥିବା ବେଳେ ବାକି ୧୭ଟି ଜିଲ୍ଲାର ନୋଡାଲ ସେଣ୍ଟରରେ ବଳକା ଲ୍ୟାପ୍ଟପ୍ ରହିଛି। ଯେଉଁଥିରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୩୬ ଜଣ ମେଧାବୀ ରହିଛନ୍ତି। ବାଲେଶ୍ବରରେ ୩୪, ପୁରୀରେ ୨୭, କେନ୍ଦ୍ରାପଡ଼ାରେ ୨୬, ଯାଜପୁରରେ ୧୧, ମୟୂରଭଞ୍ଜରେ ୧୦, ଭଦ୍ରକରେ ୯, ଅନୁଗୁଳରେ ୭, ଖୋର୍ଧାରେ ୬, ସୁନ୍ଦରଗଡ଼ରେ ୫, ଗଜପତିରେ ୪, ଜଗତସିଂହପୁରରେ ୨ଟି ଲ୍ୟାପ୍ଟପ୍ ରହିଛି। ଏହା ବ୍ୟତୀତ କନ୍ଧମାଳ, କୋରାପୁଟ, ମାଲକାନଗିରି, ନୂଆପଡ଼ା ଓ ସୋନପୁର ଜିଲ୍ଲା ନୋଡାଲ ସେଣ୍ଟରରେ ଗୋଟିଏ ଲେଖାଏଁ ଲ୍ୟାପ୍ଟପ୍ ରହିଛି।
ବଣ୍ଟନ ହୋଇପାରି ନ ଥିବା ୧୮୨ଟି ଲ୍ୟାପ୍ଟପ୍ର ଆନୁମାନିକ ମୂଲ୍ୟ ୫୪ ଲକ୍ଷ ଟଙ୍କା ହେବ। ଦୁଇ ବର୍ଷ ହେଲା ଏହି ଲ୍ୟାପ୍ଟପ୍ଗୁଡ଼ିକ ପଡ଼ି ରହିଥିବାରୁ କିଛି ଖରାପ ହୋଇଯାଇଥିବା ସୂଚନା ମିଳିଛି। ଏ ନେଇ ଅଭିଯୋଗ ଆସିବା ପରେ ଏବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉକ୍ତ ଲ୍ୟାପ୍ଟପ୍ଗୁଡ଼ିକୁ ଲୋକସେବା ଭବନରେ ଥିବା ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟାଳୟକୁ ଫେରାଇ ଆଣିବାକୁ ସ୍ଥିର ହୋଇଛି। ନୋଡାଲ କଲେଜର ଅଧ୍ୟକ୍ଷମାନେ ଏଦିଗରେ ପଦକ୍ଷେପ ନେବା ସହ ଆସନ୍ତା ୩୦ ତାରିଖ ସୁଦ୍ଧା ଲ୍ୟାପ୍ଟପ୍ଗୁଡ଼ିକର ସ୍ଥାନାନ୍ତରଣ କରିବାକୁ କୁହାଯାଇଛି। ସୁରକ୍ଷିତ ଭାବେ ସେଗୁଡ଼ିକର ପହଞ୍ଚାଇବା ଦାୟିତ୍ବ ନୋଡାଲ କଲେଜ ଅଧ୍ୟକ୍ଷମାନଙ୍କର। ଲ୍ୟାପ୍ଟପ୍ ସ୍ଥାନାନ୍ତର ପାଇଁ ହେବାକୁ ଥିବା ଖର୍ଚ୍ଚ ନୋଡାଲ କଲେଜ ବହନ କରିବ ବୋଲି ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ରାଜଶ୍ରୀ ମହାନ୍ତି ଆଜି ସମସ୍ତ ନୋଡାଲ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।
ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସ୍ବଚ୍ଛଳ ବର୍ଗର ଛାତ୍ରଛାତ୍ରୀ ଲ୍ୟାପଟପ୍ ନେଇନାହାନ୍ତି। ଏହାଦ୍ବାରା ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ଏଭଳି ଏକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ପୂର୍ବରୁ ପ୍ରଚଳିତ ନିୟମରେ ପରିବର୍ତ୍ତନ କରାଯାଇଛି। ୨୦୧୩ରୁ ରାଜ୍ୟ ସରକାର ଏହି ଲ୍ୟାପଟପ୍ ବଣ୍ଟନ କରୁଥିବା ବେଳେ ଚଳିତବର୍ଷଠୁ ଯୁକ୍ତ୨ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଉ ଲ୍ୟାପଟପ୍ ନ ବାଣ୍ଟିବାକୁ ନିଷ୍ପତ୍ତି ନିଆଯାଇଛି। ଲ୍ୟାପଟପ୍ ବଦଳରେ ଛାତ୍ରଛାତ୍ରୀଙ୍କୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର(ଡିବିଟି) ମାଧ୍ୟମରେ ୩୦ ହଜାର ଟଙ୍କା ଲେଖାଏଁ ଦିଆଯିବ। ଫଳରେ ସେମାନେ ନିଜ ପସନ୍ଦ ଅନୁସାରେ ଲ୍ୟାପଟପ୍ କିଣିବାର ସୁଯୋଗ ପାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/laptop.jpg)