ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଖାଲି ପଡ଼ିଥିବା ବିଭିନ୍ନ ଡାକ୍ତର ପଦବି ଓ ପ୍ରଫେସର ପଦବି ପୂରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଖୁବ୍ଶୀଘ୍ର ରାଜ୍ୟରେ ୧୮୪୦ ଡାକ୍ତର ତଥା ମେଡିକାଲ ଅଫିସର ଏବଂ ଆହୁରି ୫୦୦୦ରୁ ଊର୍ଦ୍ଧ୍ୱ ପାରାମେଡିକାଲ କର୍ମଚାରୀ ନିଯୁକ୍ତି ପାଇବେ। ରାଜ୍ୟର ସମସ୍ତ ସ୍ଥାନରେ ଉପଯୁକ୍ତ ସଂଖ୍ୟାରେ ମେଡିକାଲ ଅଫିସର ନିଯୁକ୍ତି ନିମନ୍ତେ ପ୍ରକ୍ରିୟା କରାଯିବା ସହିତ ଆଦିବାସୀ ଅଧୁଷିତ ଅଞ୍ଚଳରେ ଅଧିକରୁ ଅଧିକ ଡାକ୍ତର ନିଯୁକ୍ତି ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ବିଭିନ୍ନ ମେଡିକାଲ କଲେଜରେ ଖାଲି ପଡ଼ିଥିବା ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ପ୍ରଫେସର ପଦବି ଖୁବ୍ଶୀଘ୍ର ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
ପ୍ରତ୍ୟେକ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସମନ୍ବିତ ଟ୍ରମା କେୟାର ସେଣ୍ଟର୍ ସ୍ଥାପନ ପାଇଁ ଗୁରୁତ୍ୱ ଦେବା, ଯେଉଁ ସ୍ଥାନକୁ ଡାକ୍ତରମାନେ ଯିବାପାଇଁ ଅରାଜି ହେଉଛନ୍ତି ସେହି ସ୍ଥାନଗୁଡ଼ିକରେ ଡାକ୍ତରଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି କରିବା ଏବଂ ଆୟୁଷ ଡାକ୍ତରଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ମୁଖ୍ୟମନ୍ତ୍ରୀ ଡାକ୍ତରଙ୍କ ସମସ୍ୟା, ନିଯୁକ୍ତି, ବେତନ, ମେଡିକାଲ ଶିକ୍ଷାରେ ସିଟ୍ ବୃଦ୍ଧି ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ।