ନବରଙ୍ଗପୁର: ନବରଙ୍ଗପୁର, ନନ୍ଦାହାଣ୍ଡି ଏବଂ ତେନ୍ତୁଳିଖୁଣ୍ଟି ବ୍ଲକକୁ ଜଳସେଚନ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୨୭୨ କୋଟି ଟଙ୍କାର ପାର୍ବତୀଗିରି ଉଠାଜଳସେଚନ ପ୍ରକଳ୍ପର ଆଜି ଶିଳାନ୍ୟାସ ଭର୍ଚୁଆଲ ମାଧ୍ୟମରେ କରିଛନ୍ତି। ଏହି ପ୍ରକଳ୍ପ ଅଧୀନରେ ୧୨୦ ଗାଁର ୫ହଜାର ଏକର ଜମିକୁ ପାଣି ମାଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ନବରଙ୍ଗପୁର ଏବଂ କୋଷାଗୁମୁଡ଼ା ବ୍ଲକର ୨୦ହଜାର ହେକ୍ଟର ଚାଷ ଜମି ନିମନ୍ତେ ତୁରୀ-ଗୁନଥାଟ୍ ଜଳସେଚନ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି। ଦୁଇଟି ବ୍ୟାରେଜ୍ ନିର୍ମାଣ ହେବ ଏବଂ ୫୭୭କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି। ଆଧୁନିକ କୌଶଳ ବ୍ୟବହାର କରି ଭୂତଳ ପାଇପ୍ ଲାଇନ୍ ମାଧ୍ୟମରେ ଜଳସେଚନ କରାଯିବ, କେହି ବି ବିସ୍ଥାପନ ହେବେ ନାହିଁ। ମୁଖ୍ୟମନ୍ତ୍ରୀ କହିଥିଲେ, କିଛି ବର୍ଷ ମଧ୍ୟରେ ନବରଙ୍ଗପୁରର ଭିତ୍ତିଭୂମି କ୍ଷେତ୍ରରେ ବହୁତ ବଡ଼ ରୂପାନ୍ତର ହେବାକୁ ଯାଉଛି। ଲକ୍ଷ୍ମୀ ଯୋଜନା ଆପଣଙ୍କ ଜୀବନଧାରାକୁ ସହଜ କରୁଥିବ। କୃଷି ଆମ ଅର୍ଥନୀତି ଓ ସାମାଜିକ ବ୍ୟବସ୍ଥାର ମେରୁଦଣ୍ଡ। ଚାଷୀ ଓ ମା’ମାନଙ୍କ ଉନ୍ନତି ବିନା ବିକାଶର ଲକ୍ଷ୍ୟ ହାସଲ ସମ୍ଭବ ନୁହେଁ। ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସବୁ ଲୋକଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଛୁ। ତେଣୁ ରାଜ୍ୟର ୯୦ ପ୍ରତିଶତ ଲୋକ ମାଗଣାରେ ଭଲ ଚିକିତ୍ସା ସୁବିଧା ପାଇବେ। ଅର୍ଥ ଅଭାବରୁ କେହି ଯେପରି ଚିକିତ୍ସାରୁ ବଞ୍ଚିତ ନ ହେବେ, ତାହା ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଲେ, ମୁଖ୍ୟମନ୍ତ୍ରୀ ପ୍ରମୁଖ ସେଚ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ଜିଲ୍ଲାବାସୀଙ୍କ ଖୁସି ଦୁଇ ଗୁଣ ହୋଇଛି। ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କହିଥିଲେ, ବିଏସ୍କେୱାଇ ସୁବିଧାରୁ ଗ୍ରାମାଞ୍ଚଳର ଅନେକ ଲୋକ ବଞ୍ଚିତ ହେଉଥିବା ପୂର୍ବରୁ ଲୋକଙ୍କୁ ଭେଟିବା ସମୟରେ ଜାଣିବାକୁ ପାଇଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା-ନବୀନ କାର୍ଡ ଆରମ୍ଭ ହେବାକୁ ଯାଉଛି। ଜାନୁଆରି ୬ତାରିଖରୁ ଏଥିପାଇଁ ପଞ୍ଜୀକରଣ ଆରମ୍ଭ ହେବ ବୋଲି ସୂଚନା ସେ ଦେଇଥିଲେ। କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ଜିଲ୍ଲା ପରିଷଦ ସଭାପତି ମୋତିରାମ ନାୟକ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଉନ୍ନୟନ କମିସନର ତଥା ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ନବରଙ୍ଗପୁରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଡ.କୋମଳ ଲୋଚନ ମିଶ୍ର ସଂଯୋଜନା କରିଥିଲେ।