ଭଞ୍ଜନଗର ଉପଖଣ୍ଡରେ ସଚେତନତା ସ‌ତ୍ତ୍ବେ ଦୁର୍ଘଟଣାରେ ୩ ବର୍ଷରେ ୧୮୬ ମୃତ

ଭଞ୍ଜନଗର : ଜୀବନଶୈଳୀରେ ପରିବର୍ତ୍ତନ ଆସିବା ସାଙ୍ଗକୁ ଗମନାଗମନ ପାଇଁ ଯାନବାହନର ବ୍ୟବହାର ବି ସେହି ଅନୁପାତରେ ବଢ଼ିବାରେ ଲାଗିଛି। କିନ୍ତୁ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ଭାବେ ନମାନିବା ଓ ସଚେତନତା ଅଭାବରୁ ଦୁର୍ଘଟଣା ସଂଖ୍ୟା କମିବା ପରିବର୍ତ୍ତେ ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଆଉ ଅକାରଣେ ଅନେକ ମୂଲ୍ୟବାନ ଜୀବନ ଚାଲିଯାଉଛି। ବିଶେଷକରି ମଦ ପିଇବା ସାଙ୍ଗକୁ ଦ୍ରୁତଗତିରେ ଗାଡ଼ିଚାଳନା ଅର୍ଦ୍ଧାଧିକ ଦୁର୍ଘଟଣାର କାରଣ ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବନି। ଓଡ଼ିଶା ରୋଡ଼ ସେଫ୍ଟି ଏବଂ ପରିବହନ ବିଭାଗ ପକ୍ଷରୁ ସଚେତନ କରାଯିବା ସହ ଦୁର୍ଘଟଣାଜନିତ ମୃତ୍ୟୁ ରୋକିବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ତୃଣମୂଳସ୍ତରରେ ଲୋକଙ୍କୁ ସଚେତନ କରିବାକୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେଉଛି। କିନ୍ତୁ ସ୍ଥିତିରେ ଆଜି ସୁଦ୍ଧା କୌଣସି ପରିବର୍ତ୍ତନ ଆସିପାରୁନି। ସଚେତନତା ସତ୍ତ୍ବେ ଭଞ୍ଜନଗର ପରିବହନ ବିଭାଗ ଅଧୀନରେ ଆସୁଥିବା ଉପଖଣ୍ଡର ବିଭିନ୍ନ ଇଲାକାରେ ଦୁର୍ଘଟଣା ବୃଦ୍ଧି ଏହାର ଜ୍ବଳନ୍ତ ଉଦାହରଣ।

Patrika

ଭଞ୍ଜନଗର ପରିବହନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଗତ ୩ ବର୍ଷ ମଧ୍ୟରେ ମୋଟ ୨୮୪ଟି ଦୁର୍ଘଟଣା ଘଟିଥିବା ବେଳେ ୧୮୬ ଜଣଙ୍କ ମୃତ୍ୟୁ ହୋଇଛି। ୧୫୦ରୁ ଅଧିକ ଆହତ ହୋଇଛନ୍ତି। ୨୦୧୮ରେ ୯୯ଟି ଦୁର୍ଘଟଣାରେ ସର୍ବାଧିକ ୭୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ଆଇନ୍‌କୁ କଡ଼ାକଡ଼ି କରିବା ଲାଗି ବ୍ୟାପକ ପଦକ୍ଷେପ ନିଆଗଲା। ହେଲ୍‌ମେଟ୍‌ ଓ ସିଟ୍‌ବେଲ୍ଟ୍‌ ବ୍ୟବହାର ନକରିବା ଏବଂ ଦ୍ରୁତ ଗତିରେ ଓ ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କ ଉପରେ ନଜର ରଖିବାକୁ ବ୍ୟାପକ ଯାଞ୍ଚ କରାଯାଇଥିଲା। ତଥାପି ସ୍ଥିତିରେ କୌଣସି ପରିବର୍ତ୍ତନ ଆସିପାରିଲାନି।

୨୦୧୯ରେ ୭୨ଟି ଦୁର୍ଘଟଣା‌ରେ ୫୩ ଜଣ ପ୍ରାଣ ହରାଇଥିଲେ। ସେହିପରି ୨୦୨୦ରେ ଦୀର୍ଘଦିନ ଧରି କରୋନା ପାଇଁ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ ଜାରି ରହିଥିଲେ ମଧ୍ୟ ଦୁର୍ଘଟଣା ହାରରେ କୌଣସି ପରିବର୍ତ୍ତନ ଆସି ନଥିଲା। ଓଲଟି ମୃତ୍ୟୁହାର ବି ବଢ଼ିଥିଲା। ଗତବର୍ଷ ୭୭ଟି ଦୁର୍ଘଟଣାରେ ୬୧ଜଣ ପ୍ରାଣ ହରାଇଥିଲେ।

Clipart.Email

ସେହିପରି ଦୁର୍ଘଟଣା ହାର କମାଇବା ସହ ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପରିବହନ ବିଭାଗ ପକ୍ଷରୁ ବି ଧରପଗଡ଼କୁ ଜୋରଦାର କରାଯାଇଛି। ମଦ୍ୟପ ଗାଡ଼ି ଚାଳକ ଓ ଦ୍ରୁତ ଗତ‌ିରେ ଗାଡ଼ି ଚଳାଉଥିବା ଚାଳକ ମାନଙ୍କ ଠାରୁ ମୋଟ ୫ ଲକ୍ଷ ୯୨୦ ଟଙ୍କା ଜରିମାନା ଆଦାୟ ମଧ୍ୟ କରାଯାଇଛି। ୨୦୧୯ରେ ୬୯ ମଦ୍ୟପ ଗାଡ଼ିଚାଳକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ବିନା ହେଲମେଟ୍‌ରେ ଥିବା ୬୧୨ ଜଣ ଓ ବିନା ସିଟ୍ ବେଲ୍ଟ୍‌ରେ ଗାଡ଼ି ଚଳାଉଥିବା ୬୬୨ ଜଣଙ୍କଠୁ ଜରିମାନା ଆଦାୟ ହୋଇଥିଲା। ଏହାସହ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ୪୩୭ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ୍ ରଦ୍ଦ ହୋଇଛି। ୨୦୨୦ରେ ୧୪ଜଣ ମଦ୍ୟପ ଗାଡ଼ିଚାଳଙ୍କଠୁ ଜରିମାନା ଆଦାୟ ସହ କୋର୍ଟ ଚାଲାଣ କରାଯାଇଥିଲା। ବିନା ହେ‌ଲମେଟ୍‌ରେ ଥିବା ୩୫୬ ଓ ବିନା ସିଟ୍‌ବେଲ୍ଟ୍‌ରେ ଥିବା ୩୭୦ ଜଣ ଗାଡ଼ିଚାଳକଙ୍କଠୁ ଜରିମାନା ଆଦାୟ ହୋଇଛି। ୨୩୦ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ୍ ରଦ୍ଦ ହୋଇଛି।ଆରଟିଓ ଶୁଭେନ୍ଦୁ ରଞ୍ଜନ ରାୟ କହିଛନ୍ତି, କରୋନା ପ୍ରାଦୁର୍ଭାବ ନିୟନ୍ତ୍ରଣକୁ ଆସିବା ପରେ ଟ୍ରାଫିକ୍ ନିୟମକୁ ପୁଣି କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର