ଭୁବନେଶ୍ବର : ଦୁବାଇରେ ଫସି ରହିଥିବା ୧୮୯ ଓଡ଼ିଆ ଆଜି ଓଡ଼ିଶା ଫେରିଛନ୍ତି। ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବାରେ ପ୍ରମୁଖ ଭୂମିକା ନେଇଛି ଦୁବାଇ ଓଡ଼ିଆ ସମାଜ ଏବଂ ସ୍ମାଇଲ୍ ଫୋର୍ସ। ଏକ ଚାର୍ଟର ଫ୍ଲାଇଟ୍ ‘ଫ୍ଲାଏ ଦୁବାଇ ଏଫ୍ଜେଡ୍ ୪୪୭୫’ ଯୋଗେ ୯ଟାରେ ଆସି ସମସ୍ତ ଯାତ୍ରୀ ପହଞ୍ଚିଛନ୍ତି। ୟୁଏଇରେ ଅବସ୍ଥାପିତ ଦୁବାଇ ଓଡ଼ିଆ ସମାଜର ଡ.ଚନ୍ଦ୍ରଶେଖର ଖୁଣ୍ଟିଆଙ୍କ ସମେତ ଅକ୍ଷୟ କୁମାର ଖୁଣ୍ଟିଆ, କୁମାରିକା ଶତପଥୀ, ଜ୍ଞାନେନ୍ଦ୍ର ପଣ୍ଡା, ମନୋଜ ମେହେର ଓ ପ୍ରଶାନ୍ତ ପାତ୍ର ପ୍ରମୁଖଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଛି। ଏହାବ୍ୟତୀତ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଯୋଗାଯୋଗ କରିଥିବା କିଛି ଓଡ଼ିଆ ଲୋକ ମଧ୍ୟ ଏହି ଫ୍ଲାଇଟ୍ ଯୋଗେ ଘରକୁ ଫେରି ପାରିଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଫ୍ଲାଇଟ୍ ଯୋଗେ ଓଡ଼ିଶାରେ ଅଟକି ରହିଥିବା ଏବଂ ୟୁଏଇ ବାସିନ୍ଦା ଭିସା ଥିବା ଓଡ଼ିଆମାନେ ମଧ୍ୟ ଭୁବନେଶ୍ବରରୁ ଦୁବାଇ ଅଭିମୁଖେ ଯାଇପାରିଛନ୍ତି। ଡ. ଖୁଣ୍ଟିଆ କହିଛନ୍ତି ସମସ୍ତେ ଭାବନ୍ତି ବିଦେଶରେ ଆସି ରହିଥିବା ସମସ୍ତ ଲୋକ ବହୁତ ରୋଜଗାର କରୁଛନ୍ତି। ମାତ୍ର ଏଠୁ ଏହି କରୋନା ପରିସ୍ଥିତିରେ ୯୦ ପ୍ରତିଶତ ଲୋକ ଫେରିଛନ୍ତି ଯେଉଁମାନଙ୍କ ପାଖେ ଫେରିବା ବେଳେ ପାଖରେ କିଛି ଟଙ୍କା ନଥିଲା। ଏହି ଚାର୍ଟର ଫ୍ଲାଇଟ୍ ପାଇଁ ୪୨ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ କିଛି ଟଙ୍କା ଯାତ୍ରା କରିଥିବା ଲୋକଙ୍କଠାରୁ ସଂଗ୍ରହ ହୋଇଥିଲା ଏବଂ ଆଉ କିଛି ଏଠାରେ ଥିବା ଓଡ଼ିଆମାନେ ଦେଇଥିଲେ। ଯେବେଠୁ କରୋନା ଏପରି ପ୍ରକୋପ ଦେଖାଇବା ଆରମ୍ଭ କରିଛି ଏଠାରେ ଫସି ରହିଥିବା ଓ କାମ ହରାଇ ଚିନ୍ତାରେ ଥିବା ଲୋକମାନଙ୍କ ତାଲିକା ସଂଗ୍ରହ କରିବା ଆରମ୍ଭ କରିଥିଲୁ। ୩ହଜାର ଲୋକଙ୍କ ତାଲିକା ସଂଗ୍ରହ କରିବା ପରେ ମେ’ ୧୪ ତାରିଖରେ ପ୍ରଥମ ଫ୍ଲାଇଟ୍ ଦୁବାଇରୁ ଭୁବନେଶ୍ବର ପଠାଇଥିଲୁ। ଏହା ମଧ୍ୟରେ ଆମେ ୫ଟି ଚାର୍ଟର ଫ୍ଲାଇଟ୍ର ବ୍ୟବସ୍ଥା କରିଛୁ। ଅନ୍ୟ ୬ଟି ଫ୍ଲାଇଟ୍ ଭାରତ ସରକାରଙ୍କ ଇଣ୍ଡିଆନ ଏୟାର ଲାଇନ୍ସ ଦ୍ବାରା ଚାଲିଥିବା ‘ବନ୍ଦେ ଭାରତ ମିସନ୍’ ଦ୍ବାରା ଓଡ଼ିଶାରେ ପହଞ୍ଚିଛି। ୨ହଜାର ଲୋକ ପ୍ରାୟ ଫେରିସାରିଲେଣି। ଅନ୍ୟ ଲୋକମାନଙ୍କୁ ଓଡ଼ିଶା ଫେରେଇ ନେବା ପାଇଁ ମଧ୍ୟ ବନ୍ଦୋବସ୍ତ କରୁଛୁ। ଓଡ଼ିଶାକୁ ଫେରିବାକୁ ଚାହୁଁଥିବା ସମସ୍ତ ବ୍ୟକ୍ତିଙ୍କୁ ଓଡ଼ିଶା ପଠାଇବା ପର୍ଯ୍ୟନ୍ତ ଏହି ଧାରା ଜାରି ରହିବ ବୋଲି ସେ କହିଛନ୍ତି।