୧୮୯ ଶିକ୍ଷକ ନିଖୋଜ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିର୍ଦେଶ

ବଲାଙ୍ଗୀରରେ ସର୍ବାଧିକ ୧୫ ଜଣ ଗାଏବ, ସେପ୍ଟେମ୍ବର ୧୫ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦାଖଲ କର

ଭୁବନେଶ୍ବର: ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୫ ବର୍ଷ ଧରି ରାଜ୍ୟର ୧୮୯ଜଣ ଶିକ୍ଷକ ନିଖୋଜ ଅଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାଗଜକଲମରେ ସେମାନଙ୍କ ନାଁ ଗଡ଼ୁଛି। ହେଲେ ସେମାନେ ସ୍କୁଲକୁ ଆସୁନାହାନ୍ତି କି କାର୍ଯ୍ୟରେ ଯୋଗ ଦେଉନାହାନ୍ତି। ଏମିତିକି କେ‌ତେଜଣ ଶିକ୍ଷକ ୨୦୦୭ରୁ ଅନୁପସ୍ଥିତ ଅଛନ୍ତି, ସେମାନଙ୍କ ଟେର୍‌ ମିଳୁନି। ତାଲିକାରେ କିଛି କର୍ମଚାରୀ ମଧ୍ୟ ରହିଛନ୍ତି। ତେଣୁ ନିଖୋଜ ଶିକ୍ଷକଙ୍କୁ ଖୋଜିବାକୁ ଉଦ୍ୟମ ଆରମ୍ଭ କରିଛି ଗଣଶିକ୍ଷା ବିଭାଗ। ସେମାନଙ୍କୁ ଚିହ୍ନଟ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦେଶ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମିଳିଥିବା ରିପୋର୍ଟ ଅନୁଯାୟୀ, ୧୮୯ଜଣ ଶିକ୍ଷକ ଓ କର୍ମଚାରୀ ଦୀର୍ଘ ୫ବର୍ଷ ହେଲା ଅନୁପସ୍ଥିତ ରହିଛନ୍ତି।

ଅନୁପସ୍ଥିତି ସମ୍ପର୍କରେ ସେମାନେ କାହାକୁ ଅବଗତ କରିନାହାନ୍ତି। ‌ବେଆଇନ ଭାବେ ରହୁଛନ୍ତି। ସେମାନଙ୍କୁ ଚିହ୍ନଟ କରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ସହ ଆଉ କାର୍ଯ୍ୟରେ ଯୋଗ ଦେବାକୁ ଅନୁମତି ଦିଆନଯିବାକୁ କୁହାଯାଇଛି। ୧୯୬୨ ମସିହା ଓସିଏସ୍‌(ସିସି ଆଣ୍ଡ ଏ) ନିୟମର ରୁଲ୍‌-୧୫ ଅନୁଯାୟୀ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି। ଅନୁପସ୍ଥିତ ଥିବା ୧୮୯ଜଣ ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୧୦୮ଜଣ ଚୁକ୍ତିଭିତ୍ତିକ ରହିଛନ୍ତି। ‌ତେଣୁ ସେମାନଙ୍କ ବାର୍ଷିକ ଚୁକ୍ତି ଅବଧି ନବୀକରଣ ନ କରିବାକୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲାରେ ସର୍ବାଧିକ ୧୫ଜଣ ଶିକ୍ଷକ ଓ କର୍ମଚାରୀ ଅନୁପସ୍ଥିତ ରହିଛନ୍ତି। ଏହା ତଳକୁ ଯାଜପୁରରେ ୧୧, କଳାହାଣ୍ଡି, ନବରଙ୍ଗପୁର ଓ ଗଞ୍ଜାମରେ ୧୦ ଜଣ ଲେଖାଏଁ, କନ୍ଧମାଳରେ ୯, ମୟୂରଭଞ୍ଜ, ଢେଙ୍କାନାଳରେ ଓ ଗଜପତିରେ ୮ ଜଣ ଲେଖାଏଁ, କଟକ ଓ ମାଲକାନଗିରିରେ ୬ ଜଣ ଲେଖାଏଁ, କେନ୍ଦୁଝରରେ ୪, ବାଲେଶ୍ବର, ଖୋର୍ଧା ଓ କେନ୍ଦ୍ରାପଡ଼ାରେ ୩ ଜଣ ଲେଖାଏଁ, ପୁରୀରେ ଦୁଇ ଜଣ, ଭଦ୍ରକ ଓ ଝାରସୁଗୁଡ଼ାରେ ଜଣେ ଲେଖାଏଁ ଅନୁପସ୍ଥିତ ରହିଛନ୍ତି। ଅନ୍ୟ ଜିଲ୍ଲାଗୁଡ଼ିକରେ ବି ଶିକ୍ଷକ ଓ କର୍ମଚାରୀମାନେ ଦୀର୍ଘ ବର୍ଷ ହେଲା ସ୍କୁଲକୁ ଆସୁ ନଥିବା ଜଣାପଡ଼ିଛି।

ବଡ଼ କଥା ହେଉଛି ଯେ ଅନୁଗୁଳ, ବରଗଡ଼ ଓ ବୌଦ୍ଧ ଜିଲ୍ଲାର ଡିଇଓ ଦେଇଥିବା ରିପୋର୍ଟ ଅନୁଯାୟୀ, ସେମାନଙ୍କ ଜିଲ୍ଲା‌ରେ ଜଣେ ବି କେହି ଶିକ୍ଷକ କିମ୍ବା କର୍ମଚାରୀ ୫ବର୍ଷ ଧରି ଅନୁପସ୍ଥିତ ରହିନାହାନ୍ତି, ଯାହାକୁ ନେଇ ବିଭାଗ ସନ୍ଦେହ ପ୍ରକାଶ କରିଛି। ଡିଇଓମାନେ ସଠିକ୍‌ ଭାବେ ଯାଞ୍ଚ କରି ନଥିବା ବିଭାଗ ପକ୍ଷରୁ କୁହାଯାଇଛି। ଦେବଗଡ଼, ଝାରସୁଗୁଡ଼ା ଓ ନୂଆପଡ଼ା ଡିଇଓ ଦେଇଥିବା ରିପୋର୍ଟରେ ଜଣେ ମାତ୍ର ଶିକ୍ଷକ ଅନୁପସ୍ଥିତ ଥିବା ଦର୍ଶାଯାଇଥିବା ବେଳେ ପୁରୀ ଡିଇଓ ରିପୋର୍ଟରେ ଦୁଇଜଣ ଅନୁପସ୍ଥିତ ଥିବା ଦର୍ଶାଇଛନ୍ତି। ଏଭଳି ରିପୋର୍ଟକୁ ନେଇ ବିଭାଗର ସନ୍ଦେହ ହୋଇଛି।ତେଣୁ ଅନୁପସ୍ଥିତ ରହିଥିବା ଶିକ୍ଷକ ଓ କର୍ମଚାରୀଙ୍କ ତଥ୍ୟକୁ ଭଲ ଭାବେ ଯାଞ୍ଚ କରି ସେପ୍ଟେମ୍ବର ୧୫ସୁଦ୍ଧା ଚୂଡ଼ାନ୍ତ ରି‌ପୋର୍ଟ ଦାଖଲ କରିବାକୁ ଉକ୍ତ ୭ଟି ଜିଲ୍ଲାର ଡିଇଓଙ୍କ ସମେତ ଅନ୍ୟ ସମସ୍ତ ଡିଇଓ, ଡିପିସି ଓ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦୀର୍ଘ ସମୟ ଧରି ଅନୁପସ୍ଥିତ ରହିଥିବା ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ରେଗୁଲାର, ଚୁକ୍ତିଭିତ୍ତିକ ଶିକ୍ଷକ ଓ କର୍ମଚାରୀଙ୍କ ତଥ୍ୟ ସମ୍ବଳିତ ସାର୍ଟିଫିକେଟ୍‌ ଡିପିସି ଓ ବିଇଓଙ୍କଠାରୁ ସଂଗ୍ରହ କରି ଦାଖଲ କରିବାକୁ ଡିଇଓମାନଙ୍କୁ ନିର୍ଦେଶ ଦିଆଯାଇଛି। ଯାଜପୁର ଡିଇଓ ଦେଇଥିବା ରିପୋର୍ଟରେ ଅନୁପସ୍ଥିତ ରହିଥିବା ଶିକ୍ଷକମାନେ କେବେଠାରୁ ଆସୁନାହାନ୍ତି ଏବଂ ମୟୂରଭଞ୍ଜ ଡିଇଓ ଦେଇଥିବା ରିପୋର୍ଟରେ କେଉଁ ବର୍ଗର ଶିକ୍ଷକ ଅନୁପସ୍ଥିତ ରହିଛନ୍ତି, ତାହାର ତଥ୍ୟ ନାହିଁ। ତେଣୁ ଉକ୍ତ ଦୁଇ ଜିଲ୍ଲାର ଡିଇଓମାନେ ତୁରନ୍ତ ଚୂଡ଼ାନ୍ତ ରିପୋର୍ଟ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର