ରାଜ୍ୟରେ ଏ ପର୍ଯ୍ୟନ୍ତ ୧୯ କରୋନା ଆକ୍ରାନ୍ତ ସୁସ୍ଥ, ବମିଖାଲକୁ ପଛରେ ପକାଇଲା ସୂର୍ଯ୍ୟନଗର

ଭୁବନେଶ୍ବର : ରାଜ୍ୟରେ ଏ ପର୍ଯ୍ୟନ୍ତ ୯ଟି ଜିଲ୍ଲାରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତହିଁରେ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୪୬ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାସହ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୯ଜଣ ସୁସ୍ଥ ହୋଇସାରିଲେଣି। ତେବେ ସର୍ବାଧିକ ସଂଖ୍ୟକ ବ୍ୟକ୍ତି ଖୋର୍ଧା ଜିଲ୍ଲାରୁ ହିଁ ସୁସ୍ଥ ହୋଇଛନ୍ତି। ଖୋର୍ଧା ଜିଲ୍ଲାରୁ ଏବେ ୧୨ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୩୪ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି। କଟକ ଓ ପୁରୀରୁ ଜଣେ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନେ ସୁସ୍ଥ ହୋଇସାରିଛନ୍ତି। ତେବେ ଯାଜପୁର, କଳାହାଣ୍ଡିର ଜଣେ ଲେଖାଏ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ରାପଡ଼ାର ୨ଜଣ ଚିକିତ୍ସିତ ହେଉଥିବା ବେଳେ ଭଦ୍ରକର ୩ଜଣରୁ ୨ଜଣ ସୁସ୍ଥ ଓ ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି। ଢେଙ୍କାନାଳର ଜଣେ ଚିକିତ୍ସିତ ହେଉଥିବା ବେଳେ ଓ ସୁନ୍ଦରଗଡ଼ର ୨ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି।

ଅପରପକ୍ଷରେ ରାଜଧାନୀରେ ୧୨ଜଣ ସୁସ୍ଥ ହୋଇଥିବା ବେଳେ ୩୪ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି। ବମିଖାଲରୁ ସର୍ବାଧିକ ୧୮ ଓ ସୂର୍ଯ୍ୟନଗରରୁ ୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ ସୂର୍ଯ୍ୟନଗରର ୮ଜଣଙ୍କ ମଧ୍ୟରୁ ୫ଜଣ ଏ ପର୍ଯ୍ୟନ୍ତ ସୁସ୍ଥ ହୋଇସାରିଲେଣି। ହେଲେ ବମିଖାଲର ୧୮ଜଣଙ୍କ ମଧ୍ୟରୁ ମାତ୍ର ଜଣେ ସୁସ୍ଥ ହୋଇଛନ୍ତି। ଅନ୍ୟମାନଙ୍କର ଏବେ ବି ଚିକିତ୍ସା ଜାରି ରହିଛି। ଏହାସହ ବଡ଼ଗଡ଼ ଗାଁର ଜଣେ, ବିଜେବି ନଗରର ଜଣେ, ସତ୍ୟନଗରରୁ ଦୁଇଜଣ, ୟୁନିଟ-୫ରୁ ଜଣେ ଓ ଜିମଖାନା ପାମ ହାଇଟସର ଜଣେ ସୁସ୍ଥ ହୋଇସାରିଛନ୍ତି। ସେହିପରି ଗତ କିଛିଦିନ ଭିତରେ ରାଜ୍ୟରେ କୋଭିଡ ନମୁନା ପରୀକ୍ଷା ବୃଦ୍ଧି ପାଇଛି। ୧୨ତାରିଖରେ ୩୦୮ ନମୁନା ପରୀକ୍ଷା ହୋଇଥିବା ବେଳେ ୧୩ତାରିଖରେ ୫୬୪, ୧୪ତାରିଖରେ ୮୦୩ ଓ ଗତକାଲି ରେକର୍ଡ ସଂଖ୍ୟକ ୧୧୯୭ ନମୁନା ପରୀକ୍ଷା ହୋଇଛି।

ସମ୍ବନ୍ଧିତ ଖବର