ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାସ୍ଥିତ ଆସିକା ସମବାୟ ଚିନି କଳକୁ ୧୯ କୋଟି ୬୬ ଲକ୍ଷ ଟଙ୍କାର ବିନିଯୋଗପତ୍ର ଦାଖଲ ପାଇଁ ନିର୍ଦେଶ ହୋଇଛି। ଏହାକୁ ନେଇ ରାଜ୍ୟ ସମବାୟ ବିଭାଗ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟର ବିତ୍ତ ଅଧିକାରୀ ଆସିକା ସମବାୟ ଚିନି କଳର ପରିଚାଳନା ନିର୍ଦେଶକଙ୍କୁ ଚିଠି କରିଛନ୍ତି। ସମବାୟ ବିଭାଗ ପକ୍ଷରୁ ୨୦୨୦ ଏବଂ ୨୦୨୧ ମସିହାରେ ୧୫ କୋଟି ଲେଖାଏ ସମୁଦାୟ ୩୦ କୋଟି ଟଙ୍କାର ଅନୁଦାନ ଦିଆଯାଇଥିଲା। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଚିନି କଳ କେବଳ ୧୦ କୋଟି ୩୩ ଲକ୍ଷ ଟଙ୍କାର ବିନିଯୋଗପତ୍ର ଦେଇଛି। ତାହା ମଧ୍ୟ କେବଳ ୨୦୨୦ ମସିହାରେ ଦିଆଯାଇଥିଲା। ୨୦୨୧ ମସିହାର ବିନିଯୋଗପତ୍ର ଦାଖଲ କରାଯାଇ ନାହିଁ। ସୂଚନା ଅନୁଯାୟୀ, ୨୦୧୩ ମସିହା ଫାଇଲିନ ବାତ୍ୟା ପ୍ରଭାବରେ ଆଖୁ ଚାଷ ହ୍ରାସ ପାଇବା ସହିତ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁଁ ଏସିଆର ପ୍ରଥମ ଆସିକା ଚିନି କଳ ବୁଡ଼ିବାକୁ ବସିଥିଲା। ଏହାର ପୁନରୁଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇ ଟଙ୍କା ଅନୁଦାନ ଦିଆଯାଇଥିଲା। ତାହା ମଧ୍ୟ ଠିକ୍ ଭାବରେ ଖର୍ଚ ହୋଇନଥିବା ଜଣାପଡ଼ିଛି।

Advertisment

ସମବାୟ ନିଗମର ଟଙ୍କାରେ ରାଜ୍ୟର ସମବାୟ ସମିତି ସହିତ ଅନେକ ବ୍ୟବସାୟିକ ସଂସ୍ଥା ପରିଚାଳିତ ହେଉଛି। ମାତ୍ର ସେମାନେ ଦୁର୍ନୀତିରେ ବୁଡ଼ି ରହିବା ସହିତ ଅନୁଦାନ ବିନିଯୋଗ କରୁ ନାହାନ୍ତି କି ଅନୁଦାନପତ୍ର ଦାଖଲ କରୁ ନାହାନ୍ତି। ଏପରିକି ୨୦୧୫ ମସିହାରୁ ଅନେକ ସଂସ୍ଥା ନିଜ ଖର୍ଚର ହିସାବ ଆଜି ପର୍ଯ୍ୟନ୍ତ ଦେଇ ନାହାନ୍ତି। ଏହାର ପ୍ରଭାବ ସମବାୟ ନିଗମର ଆର୍ଥିକ ସ୍ଥିତି ଉପରେ ପଡ଼ୁଛି। ଏହା ପୂର୍ବରୁ ପୁରୁଣା ଟଙ୍କା ଖର୍ଚ ନେଇ ସମୀକ୍ଷା ବୈଠକ ସମବାୟ ବିଭାଗ ସ୍ବତନ୍ତ୍ର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଛି। ଏଥିରେ ଆସିକା ଚିନି କଳ ସହିତ ଅନ୍ୟ ସଂସ୍ଥା ବିଷୟରେ ମଧ୍ୟ ଆଲୋଚନା ହୋଇଛି। ବନ୍ଦ ପଡ଼ିଥିବା ବରଗଡ଼ ଚିନି କଳ ଠାରୁ ୨୦୧୯ ମସିହାରୁ ବାକି ଥିବା ୨ କୋଟି ଟଙ୍କା ସୁଧ ସହିତ ଆଦାୟ ପାଇଁ ନିଷ୍ପତ୍ତି ହୋଇଛି।

୨୦୧୫-୧୯ ମସିହା ମଧ୍ୟରେ ସ୍ବତନ୍ତ୍ର ଅଭିଯାନରେ ସମବାୟ ବିଭାଗ ଅନୁଦାନ ଦେଇଥିବା ଟଙ୍କାର ବିନିଯୋଗପତ୍ର ଦୁଇ ସପ୍ତାହ ମଧ୍ୟରେ ଦାଖଲ ପାଇଁ କୁହାଯାଇଛି। ବକେୟା ଥିବା ସମବାୟ ସମିତିର ଅନୁଦାନ ବନ୍ଦ କରାଯିବ ଏବଂ ସେମାନେ ଦୀର୍ଘ ସମୟ ଧରି ବିନିଯୋଗପତ୍ର ଦେଇ ନପାରିଲେ ଏଥିପାଇଁ ଏଆରସିଏସ କିମ୍ବା ଡିଆରସିଏସଙ୍କୁ ଦାୟୀ କରାଯିବ। କଟକ ଏବଂ ବ୍ରହ୍ମପୁର ଉପଖଣ୍ଡର ଏଆରସିଏସ କିମ୍ବା ଡିଆରସିଏସ ୧୫ ଦିନ ମଧ୍ୟରେ ବିନିଯୋଗପତ୍ର ଦାଖଲ କରିବେ। ଯେଉଁମାନେ ବିନିଯୋଗପତ୍ର ଦାଖଲ କରିପାରୁ ନାହାନ୍ତି ସେମାନଙ୍କ ଠାରୁ ସୁଧ ସହିତ ଟଙ୍କା ଆଦାୟ କରାଯିବ। ୨୦୨୦ ମସିହାରୁ ବାକିଥିବା ଅନୁଦାନର ବିନିଯୋଗ ପତ୍ରକୁ ମାର୍କଫେଡ୍‌ ଗୋଟିଏ ମାସରେ ଏବଂ ୨୦୨୧ର ବିନିଯୋଗପତ୍ରକୁ ଓଡ଼ିଶା ରାଜ୍ୟ ସମବାୟ ସଂଘ ୧୫ ଦିନ ମଧ୍ୟରେ ଦାଖଲ ପାଇଁ ଆଲୋଚନା ହୋଇଛି। ଉତ୍କଳ ଗୌରବ ମଧୁସୂଦନ ଭବନର ନିର୍ମାଣ ପାଇଁ ଅନୁଦାନ ଦିଆଯାଇଥିଲା। ୨୦୧୯ ମସିହାରୁ ଏହାର ବିନିଯୋଗପତ୍ର ଦାଖଲ ହୋଇନାହିଁ। ଗୋଟିଏ ମାସ ମଧ୍ୟରେ ଏହାକୁ ଦାଖଲ କରିବାକୁ କୁହାଯାଇଛି।