୧୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଲଘୁଚାପ ଦେଖାଉଛି ଆଶା

ଭୁବନେଶ୍ବର : ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବ। ଯାହା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ତେବେ ଲଘୁଚାପ ଜନିତ ଏହି ବର୍ଷା ରାଜ୍ୟର ସମୁଦାୟ ନିଅଣ୍ଟିଆକୁ ଭରଣା କରିପାରିବ ନାହିଁ। ଏଥିପାଇଁ ପୁଣି ଏକ ଲଘୁଚାପକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଜୁନ୍‌ ପହିଲାରୁ ଏପର୍ଯ୍ୟନ୍ତ ସ୍ବାଭାବିକ ଭାବେ ୪୪୫.୨ ମିମି ବର୍ଷା ହେବା କଥା। ମାତ୍ର ଏବେ ସୁଦ୍ଧା ୩୩୦.୬ ମିମି ହୋଇଛି। ଅର୍ଥାତ୍‌ ୨୬ ପ୍ରତିଶତ କମ୍‌। ୧୯ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ଜାରି ରହିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି ଯେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗୁରୁବାର ଲଘୁଚାପରେ ପରିଣତ ହେବ। ତେବେ ଏହାଦ୍ବାରା ବିଶେଷ ବର୍ଷା ହେବ ନାହିଁ। ୨୨ ତାରିଖରେ ସମଗ୍ର ରାଜ୍ୟ ଓ ୨୩ରେ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ୨୩ ତାରିଖରେ ଉପକୂଳ ଜିଲ୍ଲା ଓ ୨୪ରେ ଉତ୍ତର ଅଭ୍ୟନ୍ତରୀଣ ଜିଲ୍ଲାରେ ଲଘୁଚାପ ଜନିତ ମୌସୁମୀ ବର୍ଷା ହେବ। ୨୪ ତାରିଖଠାରୁ ଅଧିକାଂଶ ସ୍ଥାନରେ ବର୍ଷା ଛାଡ଼ିଯିବ। ମୋଟ ଉପରେ ୨୬ ତାରିଖ ସୁଦ୍ଧା ଦକ୍ଷିଣ, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ହାରାହାରି ୪୦ ମିମି, ଉପକୂଳରେ ୮୦ମିମି ଓ ସୀମାନ୍ତବର୍ତୀ ଅଭ୍ୟନ୍ତରୀଣ ଓଡ଼ିଶାରେ ଶହେ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ୨୬ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବ ୨୪ ତାରିଖ ବେଳକୁ ଜଣାପଡ଼ିବ। ବର୍ତମାନର ନିଅଣ୍ଟିଆ ବର୍ଷା ପରିମାଣ ୨୬ ତାରିଖ ପର୍ଯ୍ୟନ୍ତ ଅଧିକ ବଢ଼ିବା ସହ ଦକ୍ଷିଣ, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାର ଅଣଜଳସେଚିତ ଜମିରେ ଧାନ ରୁଆ ବେଉଷା କାମ ଆଗେଇପାରିବ ନାହିଁ ବୋଲି ସେ କହିଛନ୍ତି।

ଆଞ୍ଚଳିକ ପାଣିପାଗ ବି‌ଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ମୌସୁମୀ ଜନିତ ନିମ୍ନ ଚାପ ରେଖା ପଞ୍ଜାବର ଅମୃତସରରୁ ବାହାରି ଭଦ୍ରକର ଚାନ୍ଦବାଲି ଦେଇ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଏଥିସହ ଉତ୍ତର ପଶ୍ଚିମ ବେଙ୍ଗାପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହାକି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ‌ହେବ। ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ୧୯ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଖୋର୍ଧା, କଟକ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୩ ଦିନ ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ କଟକ ଜିଲ୍ଲାର କଣ୍ଟାପଡ଼ାରେ ୧୨୩ ମିମି, ପୁରୀ ଜିଲ୍ଲା ସତ୍ୟବାଦୀରେ ୧୧୪, ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲ୍ଲୀରେ ୧୦୬ ମିମି ବର୍ଷା ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର