ରାସଗୋବିନ୍ଦପୁର/ଗାଁଅମର୍ଦା : ଅଙ୍ଗନବାଡ଼ି ଖାଦ୍ୟ ଖାଇ ୧୯ ଶିଶୁ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଗଡ଼ିଘାଟି ପଞ୍ଚାୟତ ଟିକାୟତପୁର ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଅଘଟଣ ଘଟିଛି।
ଖବର ଅନୁସାରେ ଗତକାଲି କେନ୍ଦ୍ରକୁ ୨୦ ଜଣ ପିଲା ଯାଇଥିଲେ। ଅଙ୍ଗନବାଡ଼ି କର୍ମୀ ଋକ୍ମଣୀ ମାଦାନା ସେମାନଙ୍କୁ ପ୍ରତିଦିନ ପରି ପାଠ ପଢ଼ାଇବା ପରେ ସହାୟିକା ଋକ୍ମଣୀ ଦାସ ଭାତ, ଡାଲମା, ଗଜାମୁଗ ଖାଇବାକୁ ଦେଇଥିଲେ। ଏହାପରେ ସମସ୍ତେ ଯେଝା ଘରକୁ ଫେରିଥିଲେ। ରାତିରେ କିଛି ପିଲାଙ୍କ ପେଟବ୍ୟଥା ସହ ଝାଡ଼ାବାନ୍ତି ହୋଇଥିଲା। ଆଜି ସକାଳୁ ୧୯ ଜଣ ଏଥିରେ ଆକ୍ରାନ୍ତ ହୋଇଥିଲେ।
ଆଶା କନକ ଭୂୟାଁ, ଏଏନ୍ଏମ୍ ପ୍ରିୟଦର୍ଶିନୀ ମହାପାତ୍ର ପହଞ୍ଚି ଅସୁସ୍ଥ ପିଲାମାନଙ୍କୁ ଓଆର୍ଏସ୍ ଦ୍ରବଣ ଦେଇଥିଲେ। ଦିନ ପ୍ରାୟ ୧୧ଟାରେ ୧୦୮ ଆମ୍ବୁଲାନ୍ସ ଓ ବୋଲେରୋରେ ସମସ୍ତଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାକୁ ପଠାଯାଇଥିଲା। ଅସୁସ୍ଥ ଶିଶୁମାନେ ହେଲେ ଓମ୍ପ୍ରକାଶ ଭୂୟାଁ, ହରିଶ୍ଚନ୍ଦ୍ର ଭୂୟାଁ, କିଷାନ ପ୍ରଧାନ, ରମେଶ ଭୂୟାଁ, ଆଲୋକ ଦାସ, ଦୀପଙ୍କର ପ୍ରଧାନ, ଶିବଶଙ୍କର ଦାସ, ପ୍ରତିଜ୍ଞା ଭୂୟାଁ, ନନ୍ଦିନୀ ମଣ୍ଡଳ, ରୁପାଲି ଦାସ, ବନ୍ୟାରାଣୀ ଦାସ, ସୁଷମା ପ୍ରଧାନ, ଦୀପଙ୍କର ମହାଲ, ପୂର୍ଣ୍ଣିମା ଭୂୟାଁ, ଚନ୍ଦନ ପ୍ରଧାନ, ଅଙ୍କିତା ଭୂୟାଁ, ମନୋଜ ଭୂୟାଁ, ରୋହିତ ମହାଲ ଓ ଲିକୁନ ଭୂୟାଁ। ଖବର ପାଇ ମୋରଡ଼ା ବିଧାୟକ ପ୍ରବୀଣଚନ୍ଦ୍ର ଭଞ୍ଜଦେଓ, ରାସଗୋବିନ୍ଦପୁର ତହସିଲଦାର ରବୀନ୍ଦ୍ର ମଲ୍ଲିକ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ଶିଶୁମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/rspur.jpg)