ଭୁବନେଶ୍ୱର : ରାଜ୍ୟ ସରକାର କିଛି ହାତଗଣତି ଆଇଏଏସ୍‌ ଅଧିକାରୀଙ୍କ ଉପରେ ଅତ୍ୟଧିକ ନିର୍ଭର କରି ବିଭାଗ ଉପରେ ବିଭାଗ ଲଦିଦେଉଥିବା ବେଳେ କିଛି ଦକ୍ଷ ଆଇଏଏସ୍‌ ଅଧିକାରୀଙ୍କୁ କୋଣଠେସା କରିଦିଆଯାଇଛି। ଏପରିକି କିଛି ଆଇଏଏସ୍‌ ଅଧିକାରୀଙ୍କୁ ଅପେକ୍ଷାକୃତ କମ୍ ପାହ୍ୟାର ପଦବିରେ ବସାଇଛନ୍ତି। ସରକାରଙ୍କ ଏହି ପାତରଅନ୍ତର ନିଷ୍ପତ୍ତି ଯୋଗୁଁ ଏବେ ବହୁ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରୁନି। ଦୀର୍ଘ ବର୍ଷ ହେଲା କିଛି ବାବୁ ଭାରାକ୍ରାନ୍ତ ହୋଇ କାମ କରୁଥିଲେ ହେଁ କେହି ମୁହଁ ଖୋଲୁନଥିଲେ। ଆଉ କିଛି କ୍ଷମତା ଉପଭୋଗ କରିବା ଆଳରେ ସବୁ ଆଦରି ନେଉଥିଲେ। ବାସ୍ତବରେ ଜଣେ ଅଧିକାରୀ ଏକାଧିକ ବିଭାଗର ଦାୟିତ୍ବରେ ରହିଲେ କାମ କରିବା କିପରି କଷ୍ଟକର ହୁଏ ସେନେଇ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଶାଶ୍ୱତ ମିଶ୍ରଙ୍କ ଗୋଟିଏ ଚିଠି ସଙ୍କେତ ଦେଉଛି।

Advertisment

ଗତ ୨୬ତାରିଖରେ ଯୋଜନା ଓ ସମନ୍ବୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା ଯେ ସଚିବ ଓ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଧାନ କିଣା ବ୍ୟବସ୍ଥା ଏବଂ ଜିଲ୍ଲା ସ୍ତରରେ କୋଭିଡ ପରିଚାଳନା ସ୍ଥିତି ତଦାରଖ କରିବେ। ଏହାପରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କୁ ଚିଠି ଲେଖି ଜଣାଇ ଦେଇଛନ୍ତି ଯେ ତାଙ୍କର ମୂଳ ପଦବି ସହ ଆଉ ଦୁଇଟି ବିଭାଗରେ କାର୍ଯ୍ୟ କରୁଥିବାରୁ ପୂରା ଭାରାକ୍ରାନ୍ତ ଅଛନ୍ତି। ତେଣୁ ତାଙ୍କୁ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରୁ ବାଦ୍‌ ଦିଆଯାଉ।

ଶାଶ୍ବତ ତାଙ୍କ ଚିଠିରେ ଲେଖିଛନ୍ତି, ମୁଁ ଗତ ସେପ୍ଟେମ୍ବର ୩ତାରିଖରୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ସହ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ ଅଛି। ଏହା ସହ ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍‌ ସିଲେକ୍ସନ କମିସନର ଅଧ୍ୟକ୍ଷ ଅଛି। ଏହି ତିନିଟି ଦାୟିତ୍ବରେ ଥିବାରୁ କାମରେ ମୁଁ ଭାରାକ୍ରାନ୍ତ। ଏହା ବାଦ୍ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ହୋଇଥିବାରୁ ଅନେକ ବୈଧାନିକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ପଡ଼ୁଛି। ଏହାସହ ବିଭିନ୍ନ ବିଭାଗ ପକ୍ଷରୁ ରାଜ୍ୟପାଳଙ୍କ ପାଖକୁ ପଠାଯାଉଥିବା କିଛି ଆଇନଗତ ଏବଂ ବିଧାନସଭା ସମ୍ବନ୍ଧୀୟ କାର୍ଯ୍ୟ ଏବଂ ଜରୁରୀ କାର୍ଯ୍ୟରେ ଯେକୌଣସି ସମୟରେ ଉପସ୍ଥିତ ହେବାକୁ ପଡ଼ୁଛି। ତେଣୁ ଜିଲ୍ଲା ଗସ୍ତରେ ଯାଇପାରିବିନାହିଁ।

publive-image oshec.nic.in

ଶାଶ୍ବତଙ୍କ ଏହି ଚିଠି ଦର୍ଶାଉଛି ଯେ ତିନିରୁ ଚାରିଟି ବିଭାଗର ଦାୟିତ୍ବରେ ୧୯ଜଣ ଆଇଏଏସ୍‌ ଅଧିକାରୀ କିପରି ଭାରାକ୍ରାନ୍ତ ଅଛନ୍ତି। ବହୁ ଅଧିକାରୀ ନିଜକୁ କ୍ଷମତାଶାଳୀ ଦର୍ଶାଇବାକୁ ଯାଇ କାମ କରିପାରୁନଥିଲେ ବି ବିଭାଗ ମାଡ଼ି ବସିଥିବା ବେ‌ଳେ ଶାଶ୍ବତ ମୁହଁ ଖୋଲିବା ପରେ ସରକାରୀ ବ୍ୟବସ୍ଥା କିପରି ଚାଲିଛି ତାହା ଜଣାପଡ଼ିଛି।

ସବୁଠୁ ବିଡ଼ମ୍ବନାର ବିଷୟ ଯେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ୫ମ ଥର ପାଇଁ ଶପଥ ନେବା ପରେ କହିଥିଲେ ଯେ ଏଣିକି ପ୍ରତି ମାସରେ ସଚିବମାନେ ବିଭିନ୍ନ ଜିଲ୍ଲା ଗସ୍ତ କରିବେ। ବ୍ଲକ ସ୍ତରରେ ରାତିରେ ରହିବା ସହ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବେ। ସେମାନଙ୍କ ରିପୋର୍ଟକୁ ଭିତ୍ତିକରି ବିଭିନ୍ନ ଜିଲ୍ଲା ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ହେବ। ଆଶ୍ଚର୍ଯ୍ୟର ବିଷୟ ଅଢେଇ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା କାର୍ଯ୍ୟକାରୀ ହୋଇପାରିଲାନି। ଏବେ ଯେତେବେଳେ ଧାନ କିଣା ଓ କୋଭିଡ ପରିଚାଳନା ସ୍ଥିତି ପରଖିବାକୁ ଯିବାକୁ କୁହାଗଲା, ବାବୁଙ୍କ କାର୍ଯ୍ୟବ୍ୟସ୍ତତା କଥା ଉଠିଲା।

କେବଳ ଏତିକି ନୁହେଁ, ବହୁ ପଦବିରେ ସ୍ଥାୟୀ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ନିୟମ ଥିବା ବେଳେ ରାଜ୍ୟ ସରକାର ନିଜ ପସନ୍ଦର ଅଧିକାରୀଙ୍କୁ ସେଠାରେ ବସାଇବାକୁ ଯାଇ ଏକାଧିକ ପଦବି ଲଦିଦେଇଛନ୍ତି। ଏପରିକି ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଧିକାରୀମାନଙ୍କୁ ବିଭିନ୍ନ ନିଗମ ଦାୟିତ୍ବରେ ରଖାଯାଇଥିବା ବେଳେ କିଛି ସଚିବ ପାହ୍ୟାର ପଦବିକୁ ବି ମାଡ଼ି ବସିଛନ୍ତି। ଅସନ୍ତୁଷ୍ଟ ଅଧିକାରୀମାନେ ମୁହଁ ଖୋଲିବାକୁ ଡରୁଥିବା ବେଳେ ଏବେ ଭାରାକ୍ରାନ୍ତ ଅଧିକାରୀ ମୁହଁ ଖୋଲିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ପାଇଁ ୨୪୮ଟି ଅନୁମୋଦିତ ଆଇଏଏସ୍‌ ପଦବି ଥିବା ବେଳେ ଏଥିରୁ ୫୪ଜଣ ଡେପୁଟେସନ୍‌ରେ ଯିବା କଥା। ହେଲେ କିଛି ଅଧିକାରୀ କ୍ଷମତା ଉପଭୋଗ କରୁଥିବାରୁ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଉନାହାନ୍ତି। ଏବେ ମାତ୍ର ୨୮ଜଣ ଡେପୁଟେସନ୍‌ରେ ଅଛନ୍ତି। ୨ଜଣ ଅନ୍ତଃରାଜ୍ୟ ଡେପୁଟେସନ୍‌ରେ ଯାଇଥିବା ବେଳେ ଜଣେ ଡେପୁଟେସନ୍‌ରେ ଆସିଛନ୍ତି। ପ୍ରାୟ ୬୭ପଦବି ଖାଲି ପଡ଼ିଛି।