ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଠାରୁ ୧୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ କେଶାପାଲି ପଞ୍ଚାୟତର ଗିଦମାଲ ଗ୍ରାମରେ ଥିବା ୪ଟି ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କଠାରୁ ୧୯ ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏଥିସହ ସୋମବାର ଠକେଇ ଶିକାର ହୋଇଥିବା ଗିଦମାଲ ଗ୍ରାମର ମହିଳାମାନଙ୍କ ବୈଠକ ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ଆଗାମୀ ୭ ଦିନ ମଧ୍ୟରେ ଠକିଥିବା ଟଙ୍କା ଫେରସ୍ତ ନକଲେ ଥାନାରେ ଲିଖିତ ଅଭିଯୋଗ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି।

ଅଭିଯୋଗ ଅନୁଯାୟୀ କେଶାପାଲି ପଞ୍ଚାୟତ ଗିଦମାଲ, ପଦାପାଣି, ଅଇଁଳାଝରଣ, ବଗିଆଝରଣ, ଝରାସିଙ୍ଘା ଗ୍ରାମରେ ଧରିତ୍ରୀ ଏସ୍‌ଏଚ୍‌ଏଜି, ଜେନା ଫାଇନାନ୍‌ସ, ଅନ୍ନପୂର୍ଣ୍ଣା ଫାଇନାନ୍ସ, ଭାରତ ଫାଇନାନ୍ସ ନାମକ ଗ୍ରୁପରେ ଗ୍ରାମର ବହୁତ ମହିଳା ସଭ୍ୟ ଅଛନ୍ତି। ତେବେ ଏହି ୪ଟି ଗ୍ରୁପ୍‌ରେ ସଭାନେତ୍ରୀ ଥିବା ଉପାସୀ ସେଠୀ ଓ ସଂପାଦିକା ଥିବା ପଙ୍କଜିନୀ ଧରୁଆ ଗ୍ରୁପରେ ଥିବା ଗ୍ରାମର ବହୁ ମହିଳାଙ୍କଠାରୁ କାହାଠାରୁ ୫୦ ହଜାର, କାହାଠାରୁ ୪୦ ହଜାର ଏପରି ଅର୍ଥ ସଂଗ୍ରହ କରି ମୋଟ୍‌ ୧୯ ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ କରି ଗତ ୨୧ ଜୁଲାଇ ୨୦୨୨ରୁ ଫେରାର ଅଛନ୍ତି। ସଭାନେତ୍ରୀ ଶ୍ରୀମତୀ ସେଠୀ ଓ ସଂପାଦିକା ଶ୍ରୀମତୀ ଧରୁଆଙ୍କ ପରିବାର ସଭ୍ୟ ଜଗନ୍ନାଥ ଧରୁଆ, ସୁଲୋଚନା ଧରୁଆ, ସୌଦାମିନୀ ଧରୁଆ, ଯଦୁମଣି ଧରୁଆ, ସୁମିତ୍ରା ସେଠୀ ମଧ୍ୟ ଗତ ୨୧ ତାରିଖରୁ ଗ୍ରାମରୁ ଫେରାର ଥିବା ଜଣା ପଡ଼ିଥିବା ବେଳେ ତାଙ୍କ ଘରେ ତାଲା ଝୁଲୁଛି। ଆଗାମୀ ୭ ଦିନ ଭିତରେ ଠକେଇ ହୋଇଥିବା ଟଙ୍କା ଫେରସ୍ତ ନକଲେ ଥାନାରେ ମାମଲା ଦାୟର କରାଯିବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର