ସେଜି ସିଂ ସାଲୁଜାଙ୍କ ଜିମରୁ ୧୯ ଲକ୍ଷ ଟଙ୍କା ଓ ୧୭ ଲିଟର ମଦ ଜବତ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜାଙ୍କ ଜିମରୁ ୧୯ ଲକ୍ଷ ଟଙ୍କା ଓ ୧୭ ଲିଟର ମଦ ଜବତ କରାଯାଇଥିବାର ଖବର ମିଳିଛି। ପୁଲିସ ଗତକାଲି ରାତିରେ ଜିମରେ ଚଢ଼ାଉ କରି ଏସବୁ ଜବତ କରିଥିବାର ସୂଚନା ରହିଛି।
ଏଣେ ଆଜି ସକାଳେ ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସେଜି ସିଂ ସାଲୁଜାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି।

ଉଲ୍ଲେଖଯୋଗ୍ୟ, କିଛିଦିନ ଆଗରୁ ଜିଲ୍ଲାପାଳଙ୍କ ସହିତ ମୁହାଁମୁହିଁ ହୋଇଥିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା। ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। କିନ୍ତୁ ବୁଧବାର ସଂଧ୍ୟାରେ ଅନ୍ୟ ଏକ ଘଟଣାର ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜା କଣ୍ଟାବାଞ୍ଜିର ଆଲିସାନ ସିନେମା ହଲ ଭିତରେ କୌଣସି ଏକ କାରଣକୁ ନେଇ ଗଣ୍ଡଗୋଳ ସମୟରେ ନିଜେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଏପରିକି ପୁଲିସ ସହିତ ଉଚ୍ଚବାଚ ହେଉଥିବା ଭିଡିଓରେ ସ୍ପଷ୍ଟ ଜଣାପଡୁଛି।
ଗତକାଲି ଆଲିସାନ ସିନେମା ହଲ ଭିତରେ ମାଲିକଙ୍କ ପୁଅଙ୍କୁ ଆକ୍ରମଣ ହୋଇଥିବା ଓ ଘଟଣାସ୍ଥଳକୁ ପୁଲିସ ପହଞ୍ଚିଥିଲା। ଏହି ଘଟଣାରେ ପୁଲିସ ଆଇପିସି ଧାରା ୩୮୪, ୫୦୬, ୩୫୩ ଓ ଆର୍ମ ଆକ୍ଟରେ ମାମଲା ରୁଜୁ କରି ସେଜି ସିଂହ ସାଲୁଜାଙ୍କୁ ଗିରଫ କରିଥିଲା। ତେଣେ ପୁଲିସ ଏଯାଏ ସେଜି ସିଂ ସାଲୁଜାଙ୍କ ନିକଟରୁ କୌଣସି ବନ୍ଧୁକ ଜବତ କରିପାରିନଥିବା କୁହାଯାଉଛି।
ଏହି ଘଟଣା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କଣ୍ଟାବାଞ୍ଜିରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର