ଜଳେଶ୍ୱରରେ ଏଡ୍‌ସ ନେଲାଣି ୧୯ ଜୀବନ: ଏବେ ବି ଜିଇଁବାକୁ ସଂଘର୍ଷ କରୁଛନ୍ତି ୧୩୫ ଜଣ

୨୫ରୁ ୪୯ ବର୍ଷ ମଧ୍ୟରେ ୭୭ ପ୍ରତିଶତ ରୋଗୀ, ସଭାସମିତିରେ ସୀମିତ ଏଚ୍‌ଆଇଭି ମୁକାବିଲା

ସତ୍ୟବ୍ରତ ପ୍ରଧାନ

ଜଳେଶ୍ୱର: ଜୀବନ ନେଉଛି ଏଡ୍‌ସ। ଏହି ମାରାତ୍ମକ ରୋଗଠାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ତଥାପି ଭୟାବହତା କମୁନି। ଏହି ରୋଗ ଯୋଗୁଁ ବାଲେଶ୍ବର ଜିଲ୍ଲା ଅଧୀନ ଜଳେଶ୍ବରରେ ଏଯାଏ ଅନେକ ଲୋକଙ୍କ ଜୀବନ ଯାଇଛି। ସେହିପରି ଶତାଧିକ ଲୋକ ପୀଡ଼ିତ ଅଛନ୍ତି। ରୋଗକୁ ପ୍ରତିରୋଧ କରିବା ପାଇଁ ସରକାର ନାନା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। କିନ୍ତୁ ସେଗୁଡ଼ିକର କିଛି ପ୍ରଭାବ ପଡ଼ୁ ନଥିବା ଅଭିଯୋଗ ହେଉଛି। ସୂଚନା ଅନୁସାରେ; ୨୦୦୯ ମସିହାରେ ପ୍ରଥମ କରି ଜଳେଶ୍ୱରରେ ୨୫ ଜଣ ଏଡ୍‌ସ ରୋଗୀ ଚିହ୍ନଟ ହୋଇଥିଲେ। ସେହିପରି ୨୦୧୦ ମସିହାରେ ୨୩ ଜଣ, ୨୦୧୧ ମସିହାରେ ୧୭ ଜଣ, ୨୦୧୨ ମସିହାରେ ୨୧ ଜଣ, ୨୦୧୩ ମସିହାରେ ୧୧ ଜଣ, ୨୦୧୪ ମସିହାରେ ୭ ଜଣ, ୨୦୧୫ ମସିହାରେ ୪ ଜଣ, ୨୦୧୭ ମସିହାରେ ୭ ଜଣ, ୨୦୧୮ ମସିହାରେ ୯ ଜଣ, ୨୦୧୯ ମସିହାରେ ୧୭ ଜଣ, ୨୦୨୦ ମସିହାରେ ୬ ଜଣ, ୨୦୨୧ ମସିହାରେ ୬ ଜଣ, ୨୦୨୨ ମସିହାରେ ୧୦ ଜଣ ଏବଂ ୨୦୨୩ ମସିହାରେ ୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ଏଠାରେ ମୋଟ ୧୭୬ ଜଣ ଏଡ୍‌ସ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏହା ସହିତ ଜଳେଶ୍ବରର ୨୨ ଜଣ ଆକ୍ରାନ୍ତ ବାହାର ରାଜ୍ୟରେ ରହୁଛନ୍ତି। ଅନ୍ୟପଟେ ଚିହ୍ନଟ ରୋଗୀଙ୍କ ମଧ୍ୟରୁ ୧୯ ଜଣଙ୍କ ପ୍ରାଣ ମଧ୍ୟ ଯାଇସାରିଛି। ସବୁଠାରୁ ଅଧିକ ଚିନ୍ତାର ବିଷୟ; ୭୭ ପ୍ରତିଶତ ଏଡ୍‌ସ ରୋଗୀଙ୍କ ବୟସ ୨୫ରୁ ୪୯ ବର୍ଷ ମଧ୍ୟରେ।

ଏବେ ବି ଜିଇଁବାକୁ ସଂଘର୍ଷ କରୁଛନ୍ତି ୧୩୫ ଜଣ
୨୫ରୁ ୪୯ ବର୍ଷ ମଧ୍ୟରେ ୭୭ ପ୍ରତିଶତ ରୋଗୀ
ସଭାସମିତିରେ ସୀମିତ ଏଚ୍‌ଆଇଭି ମୁକାବିଲା
ପ୍ରଭାବହୀନ ସରକାରଙ୍କ ‘ଦିଶା’ କାର୍ଯ୍ୟକ୍ରମ

ଉଲ୍ଲେଖ ଥାଉକି; ଜଳେଶ୍ୱରରେ ଏବେ ୯ ଜଣ ତୃତୀୟଲିଙ୍ଗୀ ଏଡ୍‌ସ ଆକ୍ରାନ୍ତ ଅଛନ୍ତି। ୧୬ ନମ୍ବର ଜାତୀୟ ରାଜପଥର ରାଜଘାଟ-ଲକ୍ଷ୍ମଣନାଥ ମଧ୍ୟରେ ଥିବା କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଗାଡ଼ି ଚାଳକମାନେ ଅସୁରକ୍ଷିତ ଓ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରୁଛନ୍ତି। ଯାହାର ପ୍ରଭାବରେ ମହିଳା ଓ ତୃତୀୟଲିଙ୍ଗୀମାନେ ଏଡ୍‌ସର ଶିକାର ହେଉଥିବା କୁହାଯାଉଛି। ଜଳେଶ୍ୱରରେ ଏଡ୍‌ସର ମୁକାବିଲା ପାଇଁ ୧୦ଟି ଫେସିଲେଟେଡ୍‌ ଆଇସିଟିସି ଏବଂ ୨୬ଟି ସବ୍‌ସେଣ୍ଟରରେ ଏଡ୍‌ସ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ହେଲେ ଏହା ପର୍ଯ୍ୟାପ୍ତ ନୁହେଁ। ବର୍ଷକୁ ଅତିକମ୍‌ରେ ୧୦ ହଜାର ଏଚ୍‌ଆଇଭି ପରୀକ୍ଷା ବ୍ୟବସ୍ଥା କରାଯିବାକୁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ପରୀକ୍ଷା ୭ ହଜାର ଟପୁ ନାହିଁ। ଅନ୍ୟପଟେ ଏଡ୍‌ସ ଉପରେ ସଚେତନତା ସୃଷ୍ଟି ପାଇଁ ସରକାର ରାଜ୍ୟର ବିଭିନ୍ନ କଲେଜରେ ରେଡ୍‌ ରିବନ୍‌ କ୍ଲବ୍‌ ଗଠନ କରିଛନ୍ତି। ଅନେକ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକୁ ମଧ୍ୟ ଦାୟିତ୍ବ ଦିଆଯାଇଛି। ତଥାପି ସଚେତନତା କେବଳ ଏଡ୍‌ସ ଦିବସ ପାଳନରେ ସୀମିତ ରହୁଛି। ଏକାଧିକ ସ୍ଥାନରେ ଓପିଏଡ୍‌ ସବ୍‌ଷ୍ଟିଚ୍ୟୁସନ୍‌ ଥେରାପି କେନ୍ଦ୍ର ଖୋଲାଯିବାକୁ ଯୋଜନା ଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରୁନି। ସରକାର ଡିଷ୍ଟ୍ରିକ୍ଟ ଇଣ୍ଟିଗ୍ରେଟେଡ୍‌ ଷ୍ଟ୍ରାଟେଜି ଫର୍‌ ଏଚ୍‌ଆଇଭି ଏଡ୍‌ସ (ଦିଶା) କାର୍ଯ୍ୟକ୍ରମ ଜରିଆରେ ଗୋଷ୍ଠୀ ସଚେତନତା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ଯୋଜନା କରିଛନ୍ତି। କିନ୍ତୁ ବିଡ଼ମ୍ବନା; ଜଳେଶ୍ୱରରେ ଏହି କାର୍ଯ୍ୟକ୍ରମ ପ୍ରଭାବହୀନ ହୋଇପଡ଼ିଛି। ଏବେ ସମୟ ଆସିଛି, ଏଡ୍‌ସ ମୁକାବିଲା ପାଇଁ ସରକାର ଅଧିକ ଯତ୍ନବାନ ହେବା ଦରକାର। ରୋଗରେ ରୋକ୍‌ ଲଗାଇବାକୁ ହେଲେ ସଚେତନତା ଏକମାତ୍ର ଅସ୍ତ୍ର। ତେଣୁ ସମସ୍ତେ ଏ ଦିଗରେ କାମ କରିବା ଉଚିତ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର