୧୯ ଜଣ ଓଏଏସ୍‌ଙ୍କୁ ଏଡିଏମ୍‌ ଦାୟିତ୍ବ

ଭୁବନେଶ୍ବର : ସାରା ରାଜ୍ୟରେ କରୋନା ପାଇଁ ତାଲା ବନ୍ଦ କାର୍ଯ୍ୟକାରି ହୋଇଥିବା ବେଳେ ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାରେ ରାଜ୍ୟ ସରକାର ଅଭିଜ୍ଞତା ଥିବା ୧୯ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତ କରିଛନ୍ତି। ଏହାସହିତ ୨୪ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି ତାଲିକା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ, କେନ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ବରିଷ୍ଠ ଓଏଏସ୍‌ ଲିଲି କୁମାରୀ କୁଲୁଙ୍କୁ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସେହିପରି ଇପିକଲ୍‌ ମହାପ୍ରବନ୍ଧକ ଥିବା ଅରୁଣ କୁମାର ମହାପାତ୍ରଙ୍କୁ ଭଦ୍ରକ ଏଡିଏମ୍‌, ଓଡ଼ିଶା ଖାଦ୍ୟ ଯୋଗାଣ ନିଗମ ଲିମିଟେଡ୍‌ର ମହାପ୍ରବନ୍ଧକ ନରହରି ସେଠୀଙ୍କୁ କେନ୍ଦ୍ରାପଡ଼ା ଏଡିଏମ୍‌, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟରତ ନିବେଦିତା ମିଶ୍ରଙ୍କୁ ଜଗତସିଂହପୁର ଏଡିଏମ୍‌, ସୁନ୍ଦରଗଡ଼ ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରସାଇ ଲାଗୁରୀଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଏଡିଏମ୍‌ ଭାବେ ଦାୟିତ୍ବ ଦିଆଯାଇଛି। ସେ ମଧ୍ୟ ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିର ସିଇଓ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।

ସେହିପରି ଗଞ୍ଜାମ ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳଙ୍କୁ ଗଞ୍ଜାମ ଏଡିଏମ୍‌, ଇଡକୋ ଭୂ-ଅଧିକାରୀ ଭାବେ କାର୍ଯ୍ୟରତ ସୌଦାମିନୀ ସେଠୀଙ୍କୁ ଢେଙ୍କାନାଳ ଏଡିଏମ୍‌, କେନ୍ଦୁଝର ଏନ୍‌.ଏଚ୍‌-୨୧୫ର ଜମି ଅଧିଗ୍ରହଣ ଅଧିକାରୀ ଥିବା ସନ୍ତୋଷ କୁମାର ନାୟକଙ୍କୁ କେନ୍ଦୁଝରର ଏଡିଏମ୍‌, ଓଡ଼ିଶା ମାନବାଧିକାର କମିସନଙ୍କ ଯୁଗ୍ମ ଶାସନ ସଚିବ ଜ୍ୟୋତିର୍ମୟୀ ପ୍ରଧାନଙ୍କୁ ମାଲକାନଗିରି ଏଡିଏମ୍‌, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ଶାସନ ସଚିବ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ଖୋର୍ଦ୍ଧା ଏଡିଏମ୍‌, ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳ ଜମି ଅଧିଗ୍ରହଣ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକଙ୍କୁ ଯାଜପୁର ଏଡିଏମ୍‌, ଗୃହ ବିଭାଗ ଯୁଗ୍ମ ଶାସନ ସଚିବ ସନ୍ତୋଷ କୁମାର ପ୍ରଧାନଙ୍କୁ ଅନୁଗୁଳ ଏଡିଏମ୍‌, କଟକ ସ୍ଥିତ ବୋର୍ଡ଼ ଅଫ୍‌ ରେଭିନ୍ୟୁରେ ଯୁଗ୍ମ ସଚିବ ସନ୍ତୋଷ ସାହୁଙ୍କୁ ନୟାଗଡ଼ ଏଡିଏମ୍‌, କଟକ ସ୍ଥିତ ବୈଷୟିକ ଶିକ୍ଷା ନିର୍ଦ୍ଦେଶାଳୟରେ ଯୁଗ୍ମ ନିର୍ଦ୍ଦେଶକ ସୁଭାସ ଚନ୍ଦ୍ର ନାଥଶର୍ମାଙ୍କୁ ପୁରୀର ଏଡିଏମ୍‌, କଟକ ସ୍ଥିତ ସର୍ଭେ ଆଣ୍ଡ୍‌ ମ୍ୟାପ୍‌ ପବ୍ଲିକେସନ୍‌ର ଯୁଗ୍ମ ନିର୍ଦ୍ଦେଶକ ସୁବାଶିଷ ମାନସିଂହଙ୍କୁ ନବରଙ୍ଗପୁର ଏଡିଏମ୍‌, ଢେଙ୍କାନାଳ ଆର୍‌ଆଇସିର ମହାପ୍ରବନ୍ଧକ ଥିବା ଉମାକାନ୍ତ ରାଜଙ୍କୁ ସମ୍ବଲପୁର ଏଡିଏମ୍‌, ଲକ୍ଷ୍ମୀପୋଷି ଆର୍‌ଆଣ୍ଡ୍‌ଆର୍‌ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ବିବେକାନନ୍ଦ ସାହୁଙ୍କୁ ମୟୂରଭଞ୍ଜ ଏଡିଏମ୍‌, ଭୁବନେଶ୍ବର ସ୍ଥିତ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଯୁଗ୍ମ ଶାସନ ସଚିବ ଥିବା ଦୁର୍ଗା ପ୍ରସାଦ ମହାରଣାଙ୍କୁ ନୂଆପଡ଼ା ଏଡିଏମ୍‌ ଓ ଗଜପତି ଜିଲ୍ଲା ଛେଳିଗଡ଼ ଜଳସେଚନ ପ୍ରକଳ୍ପର ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ କରୁଣାକର ରାଇକଙ୍କୁ ଗଜପତି ଜିଲ୍ଲା ଏଡିଏମ୍‌ ଭାବେ ବଦଳି କରାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଶକ୍ତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ସଂଗ୍ରାମ କେଶରୀ ସ୍ବାଇଁଙ୍କୁ ଇସ୍ପାତ ଓ ଖଣି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଭାବେ ବଦଳି କରାଯାଇଛି। ଓଡ଼ିଶା ଜଙ୍ଗଲ ନିଗମ ମହାପ୍ରବନ୍ଧକ ଶିବ ନାରାୟଣ ନନ୍ଦଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି। ଏହାସହିତ ସେ ମଧ୍ୟ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମର ମହାପ୍ରବନ୍ଧକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ସେହିପରି ପୂର୍ବତନ ଖୋର୍ଦ୍ଧା ଏଡିଏମ୍‌ ତଥା ନିକଟରେ ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଥିବା ମନୋରଞ୍ଜନ ମଲ୍ଲିକଙ୍କୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିସନଙ୍କ ଯୁଗ୍ମ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି। କ୍ୟାପିଟାଲ୍‌ ଅର୍ବାନ୍‌ ଟ୍ରାନ୍‌ସ୍‌ପୋର୍ଟ୍‌ ସଂସ୍ଥାର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ରଙ୍କୁ ଓଡ଼ିଶା ସଡ଼କ ପରିବହନ ନିଗମର ଓଏସ୍‌ଡି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର