୧୯ ବର୍ଷର ଶାସନରେ ଓବିସି ବର୍ଗ ଅବହେଳିତ : ଧର୍ମେନ୍ଦ୍ର

ଭୁବନେଶ୍ବର: ଓଡ଼ିଶାର ଚାଷୀମାନେ ହେଉଛନ୍ତି ଓବିସି ବର୍ଗର। କୁଲତା, ଅଗରିଆ, କୁମ୍ଭାର, ମହାନ୍ତ, ବାରିକ, ଗୋପାଳମାନଙ୍କ ପରି ରାଜ୍ୟରେ ଅନେକ ଓବିସି ବର୍ଗର ଚାଷୀ ଅଛନ୍ତି। କିନ୍ତୁ ଏମାନଙ୍କୁ ୧୯ ବର୍ଷର ଶାସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଠପଢ଼ା ଓ ଚାକିରିରେ ସଂରକ୍ଷଣ ଦେଲେ ନାହିଁ‌ ବୋଲି ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଲେ, ଭାରତ ସରକାର ସାଧାରଣ ବର୍ଗର ଆର୍ଥିକ ପଛୁଆ ପରିବାରଙ୍କ ପାଇଁ ଆରକ୍ଷଣର ବ୍ୟବସ୍ଥା କଲେ। କିନ୍ତୁ ଓଡ଼ିଶାରେ ଏହାକୁ ଲାଗୁ କରିବା ନିମନ୍ତେ ସରକାର କୌଣସି ପଦକ୍ଷେପ ନେଲେ ନାହିଁ। ସେହିପରି ଓଡ଼ିଶାରେ ଭୂମି ହୀନ ଓ ଭାଗ ଚାଷୀଙ୍କ ତାଲିକା ତିଆରି ହୋଇପାରି ନାହିଁ। କିନ୍ତୁ ସରକାର ବଡ଼ ପାଟିରେ ଭୂମିହୀନ ଓ ଭାଗ ଚାଷୀଙ୍କୁ ଲାଭ ଦେବା କଥା କହୁଛନ୍ତି। ଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଭୂମିହୀନ କୃଷି ଶ୍ରମିକମାନଙ୍କୁ ଟଙ୍କା ଦେବାର ବ୍ୟବସ୍ଥା‌ ଅଛି। କିନ୍ତୁ ଭାରତ ସରକାରଙ୍କ ଟଙ୍କାକୁ ରାଜ୍ୟ ସରକାର ନିଜର ଟଙ୍କା କହି ଓଡ଼ିଶାରେ ଦେବାରେ ସିଦ୍ଧହସ୍ତ। ତାଲିକା ତିଆରି କରିବାରେ ପ୍ରିୟାପ୍ରୀତି ଭାବନା, ଦଳୀୟ ଲୋକମାନଙ୍କୁ ଅଗ୍ରାଧିକାର ଦେବା, ବିଧାୟକ ଓ ସାଂସଦ ଲାଭାର୍ଥୀ ରହିବା ଆଦି ଚିନ୍ତାର ବିଷୟ। ଓଡ଼ିଶାର ଚାଷୀ କୂଳ ହଇରାଣ ହେଉଛନ୍ତି। କିନ୍ତୁ ଶାସକ ଦଳ ତା’ର ନ୍ୟସ୍ତ ସ୍ବାର୍ଥ ପାଇଁ ନିଜ ଲୋକଙ୍କୁ ସରକାରୀ ପଇସା ଦେବାର ବ୍ୟବସ୍ଥା କରୁଛି।

ସମ୍ବନ୍ଧିତ ଖବର