ପୁଲିସ ମୁଖ୍ୟ ଚୌକି ଉପରେ ଡେମୋକ୍ଲିସ୍‌ ଖଣ୍ତା! ୧୯ ବର୍ଷରେ ୧୫ ଡିଜି

କଟକ : ରାତିଅଧିଆ ପୁଲିସ ମୁଖିଆ ପଦରୁ ବିଜୟ ଶର୍ମାଙ୍କୁ ରାଜ୍ୟ ସରକାର ବିଦା କରିବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଅଗ୍ନିଶମ ବିଭାଗରେ ସାଂଘାତିକ ଅନିୟମିତତା ଅଭିଯୋଗରେ ତାଙ୍କ ବିରୋଧରେ ସରକାର ଏଭଳି କଠୋର ପଦକ୍ଷେପ ନିଆଯାଇଥିବା କହିଛନ୍ତି। ହେଲେ ୨୦ ବର୍ଷ ଧରି ପୁଲିସ ପ୍ରଶାସନକୁ ନଜର ପକାଇଲେ, କେଉଁଠି ନା କେଉଁଠି ସଙ୍କେତ ମିଳୁଛି େଯ ରାଜ୍ୟ ପୁଲିସ ବିଭାଗ ମୁଖ୍ୟ ‌ଚୌକି ଉପରେ ଡେମୋକ୍ଲିସ ଖଣ୍ଡା ଝୁଲୁଛି। ଚୌକିରେ ବସୁଥିବା ଅଧିକାରୀଙ୍କ ମୁଣ୍ଡରେ କେତେବେଳେ ଏହି ଖଣ୍ଡା ପଡ଼ିବ, ଏବଂ ତାଙ୍କୁ ଚୌକି ହରାଇବାକୁ ପଡିବ, ତାହା ଅନିଶ୍ଚିତ।

୨୦୦୦ରୁ ୨୦୧୯ ମଧ୍ୟରେ ପୁଲିସ ବିଭାଗର ମୁଖ୍ୟ ଭାବେ ୧୫ଜଣ ଅଧିକାରୀ କାର୍ଯ୍ୟକଲେଣି। ଅର୍ଥାତ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟର ୧୯ ବର୍ଷ ମଧ୍ୟରେ ୧୫ ଜଣ ଆଇପିଏସ୍ ଅଧିକାରୀ ପୁଲିସ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିସାରିଲେଣି। ହାରାହାରି ଭାବେ ହିସାବ କଲେ ଜଣେ ଜଣେ ପୁଲିସ ବିଭାଗ ମୁଖ୍ୟଙ୍କ କାର୍ଯ୍ୟକାଳ ବର୍ଷେରୁ ସାମାନ୍ୟ ଅଧିକ ରହୁଛି। ଅବଶ୍ୟ ସେମାନଙ୍କ ମଧ୍ୟରେ ଦୁଇ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ଏନ ସି ପାଢୀ ଓ ମନମୋହନ ପ୍ରହରାଜ ୩ରୁ ୪ ବର୍ଷ କାର୍ଯ୍ୟ କରିଥିବା ବେଳେ ଅନ୍ୟ ସମସ୍ତଙ୍କ ପାଇଁ ୨ ବର୍ଷ କାର୍ଯ୍ୟକାଳ ପୂରଣ କରିବା ଅସମ୍ଭବ ହୋଇ ପଡିଥିଲା।।

୧୯୯୮-୯୯ ମସିହା ପର୍ଯ୍ୟନ୍ତ ଥରେ ରାଜ୍ୟ ପୁଲିସର ମୁଖିଆ ନିଯୁକ୍ତ ହେଲେ ପ୍ରାୟ ସେହି ପଦରେ ଅବସର ନେଉଥିଲେ। କିନ୍ତୁ ୨୦୦୦ ମସିହା ପରଠାରୁ ରାଜ୍ୟ ପୁଲିସର ମୁଖ୍ୟ ପଦରେ ରହି ଅବସର ନେବା, ଆଇପିଏସ୍ ଅଧିକାରୀଙ୍କ ପାଇଁ ଏକପ୍ରକାର ସ୍ବପ୍ନ ହୋଇଯାଇଛି। ଅବସର ବୟସ ପୂର୍ବରୁ ପୁଲିସ ବିଭାଗର ସର୍ବୋଚ୍ଚ ପଦବିରେ ଥିବା ଅଧିକାରୀଙ୍କୁ କାଢି ନିଆଯାଇ ଅନ୍ୟ ପଦବିରେ ଅବସ୍ଥାପିତ କରାଯାଇଛି। ଅଧିକାଂଶ ଅଧିକାରୀଙ୍କ କ୍ଷେତ୍ରରେ ଅପମାନିତ ହେବା ଭଳି ସ୍ଥିତି ସୃଷ୍ଟି ହୋଇଛି ଓ ଆଉ କିଛି କ୍ଷେତ୍ରରେ ଅଧିକାରୀ କେନ୍ଦ୍ରକୁ ଡେପୁଟେସନ୍‌ରେ ଯିବାକୁ ପସନ୍ଦ କରିଛନ୍ତି।

୨୦୦୦ ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ନେଇଥିଲେ ନବୀନ ପଟ୍ଟନାୟକ। ସେହି ସମୟରେ ରାଜ୍ୟ ପୁଲିସ ବିଭାଗର ମୁଖ୍ୟ ଥିଲେ ଡକ୍ଟର ବନବିହାରୀ ପଣ୍ଡା। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାର ମାତ୍ର ୫ ଦିନ ପରେ ଡକ୍ଟର ପଣ୍ଡା ମାର୍ଚ୍ଚ ୧୦ ତାରିଖରେ ଚାକିରିରୁ ଅବସର ନେଇଥିଲେ। ସରକାର ଏସ୍.କେ.ଚାଟାର୍ଜୀଙ୍କୁ ରାଜ୍ୟ ପୁଲିସ ବିଭାଗର ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ରହିଥିଲା ପାଖାପାଖି ୧୩ ମାସ। ସେ କାର୍ଯ୍ୟ କରିଥିଲେ ୨୦୦୧ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ। ପରବର୍ତ୍ତୀ ସମୟରେ ୨୦୦୧ ଏପ୍ରିଲ ୩୦ରୁ ୨୦୦୧ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କେ.ଡି.ବାଜପେୟୀ, ୨୦୦୧ ଜୁଲାଇ ୩୧ରୁ ୨୦୦୪ ଜୁଲାଇ ୩୧ ପର୍ଯ୍ୟନ୍ତ ଏନ.ସି.ପାଢୀ, ୨୦୦୪ ଜୁଲାଇ ୩୧ରୁ ୨୦୦୫ ଜୁନ ୩୦ ପର୍ଯ୍ୟନ୍ତ ବିପିନ ବିହାରୀ ମିଶ୍ର ଡିଜି ଭାବେ ଦାୟିତ୍ବ ତୁଲାଇଥିଲେ।

୨୦୦୫ ଜୁନ ୩୦ରୁ ୨୦୦୬ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ସୂଚିତ ଦାସ ରାଜ୍ୟ ପୁଲିସ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ହେଲେ ସରକାର ଯେଉଁ ସମୟରେ ସୂଚିତ ଦାସଙ୍କୁ ଡିଜି ପଦବିରୁ ହଟାଇଲେ, ସେତେବେଳକୁ ତାଙ୍କ ଚାକିରି ଆହୁରି ୨ ବର୍ଷ ଥିଲା। ସରକାର ତାଙ୍କୁ ଓପିଏସସି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ତାଙ୍କ ସ୍ଥାନରେ ରାଜ୍ୟ ପୁଲିସ ବିଭାଗର ମୁଖ୍ୟ ଭାବେ ଅମରାନନ୍ଦ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଥିଲା। ହେଲେ ମାତ୍ର ୧୨ ମାସରେ ଅର୍ଥାତ୍ ୨୦୦୭ ଅକ୍ଟୋବର ୩୧ ତାରିଖରେ ସରକାର ତାଙ୍କୁ ଏହି ଗୁରୁତୁପୂର୍ଣ୍ଣ ଦାୟିତ୍ବରୁ ରାତି ଅଧିଆ ହଟାଇ ଦେଇଥିଲେ। ଓଡ଼ିଶା ଇତିହାସରେ ପ୍ରଥମ ଥର ପୁଲିସ ମୁଖ୍ୟାଳୟ ସେଦିନ ମଧ୍ୟରାତ୍ରରେ ଖୋଲିଥିଲା କେବଳ ଦାୟିତ୍ବ ହସ୍ତାନ୍ତର ପାଇଁ। ରାତାରାତି ଗୋପାଳ ଚନ୍ଦ୍ର ନନ୍ଦଙ୍କୁ ସରକାର ଡିଜି ଭାବେ ଦାୟିତ୍ବ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅମରାନନ୍ଦ ପଟ୍ଟନାୟକଙ୍କୁ ହୋମଗାର୍ଡ ଡିଜି ପଦବି ଦିଆଯାଇଥିଲା, ହେଲେ‌ ସେ ଛୁଟିରେ ରହିଥିଲେ। ପରେ ତାଙ୍କୁ ସ୍ୟାଟ୍‌ରେ ନିଯୁକ୍ତି ଦିଆଯାଇଥିଲା। ଗୋପାଳ ଚନ୍ଦ୍ର ନନ୍ଦ ୨୦୦୭ ନଭେମ୍ବର ୧ ତାରିଖରୁ ୨୦୦୮ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ପୁଲିସ ମୁଖ୍ୟ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ।

ଶ୍ରୀ ନନ୍ଦଙ୍କ ପରେ ଏଯାଏ ଆଉ କୌଣସି ଡିଜିଙ୍କୁ ସେହି ପଦରେ ରହି ଅବସର ନେବାର ସୁଯୋଗ ଜୁଟିନାହିଁ। ମନମୋହନ ପ୍ରହରାଜ ୨୦୦୮ ସେପ୍ଟେମ୍ବର ୩୦ରୁ ୨୦୧୨ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ପୁଲିସ ବିଭାଗର ମୁଖ୍ୟ ରହିଥିଲେ। ତାଙ୍କୁ ମଧ୍ୟ ଅବସର ପୂର୍ବରୁ ରାଜ୍ୟ ପୁଲିସ ମୁଖ୍ୟ ପଦରୁ କାଢି ନିଆଯାଇ ସ୍ୟାଟ୍‌ରେ ନିଯୁକ୍ତି ଦିଆଯାଇଥିଲା। ଶ୍ରୀ ପ୍ରହରାଜଙ୍କ ପରେ ଡିଜି ହୋଇଥିବା ପ୍ରକାଶ ମିଶ୍ରଙ୍କୁ ଅସମ୍ମାନଜନକ ଭାବେ ୨୦୧୪ ଜୁଲାଇ ୬ ତାରିଖରେ ମୁଖ୍ୟ ପଦବିରୁ କାଢ଼ି ନିଆଯାଇ ରାଜ୍ୟ ପୁଲିସ ହାଉସି˚ ଆଣ୍ତ େଵଲ୍‌ଫେୟାର କର୍ପୋରେସନ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ। କିନ୍ତୁ ପରେ ସେ ସିଆର‌୍‌ପିଏଫ୍‌ ଡିଜି ହୋଇ କେନ୍ଦ୍ର ସରକାରଙ୍କ ଅଧୀନକୁ ଚାଲିଯାଇଥିଲେ। ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଥିଲା। ସେହି ପଦବିରେ ଥାଇ ଶ୍ରୀ ମିଶ୍ର ଅବସର ନେଇଥିଲେ।

ପ୍ରକାଶ ମିଶ୍ରଙ୍କ ସ୍ଥାନରେ ସ˚ଜୀବ ମାରିକଙ୍କୁ ଡିଜି ଦାୟିତ୍ବ ଦିଆଯାଇଥିଲା। ଶ୍ରୀ ମାରିକ ପୁଲିସ ଆଇଜି ଥିଲା ବେଳେ ୨୦୦୭ ମେ ୧୮ ତାରିଖରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିଥିଲେ। ବାହାର ରାଜ୍ୟର ଅପରାଧୀଙ୍କ ସହିତ ସମ୍ପର୍କ ରଖିବା ଭଳି ସ˚ଗିନ ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା। ତତ୍‌କାଳୀନ ପୁଲିସ ଡିଜି ଅମରାନନ୍ଦ ପଟ୍ଟନାୟକ ତାଙ୍କ ବିରୋଧରେ ତଦନ୍ତ କରି ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିଥିଲେ। କିନ୍ତୁ ଶ୍ରୀ ମାରିକଙ୍କୁ ପୁଲିସ ବିଭାଗ ମୁଖ୍ୟ ପଦ ସରକାର ଦେଇଥିଲେ ବି ହଠାତ ସେ ଅବସର ନେବାର ୪୦ ଦିନ ପୂର୍ବରୁ ୨୦୧୫ ନଭେମ୍ବର ୭ ତାରିଖ ସନ୍ଧ୍ୟାରେ ତାଙ୍କୁ ପୁଲିସ ମୁଖ୍ୟ ପଦବିରୁ ହଟାଇ ଦିଆଯାଇଥିଲା। ସରକାରଙ୍କ ବିଶ୍ବାସ ହରାଇଥିବା ଦର୍ଶାଇ ତାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯାଇଥିଲା। ରବିବାର ଅର୍ଥାତ ୨୦୧୫ ନଭେମ୍ବର ୮ ତାରିଖରେ କେ.ବି. ସି˚ହ ଡିଜି ଦାୟିତ୍ବ ପାଇଥିଲେ। ଯଦିଓ ସେ ସମୟରେ ବିନୟ ବେେହରା ବରିଷ୍ଠତା ଦୃଷ୍ଟିରୁ ପୁଲିସ ଡିଜି ହେବାକୁ ଯୋଗ୍ୟ ଥିଲେ, କିନ୍ତୁ ତାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ବିଭାଗ ଡିଜି କରାଯାଇଥିଲା। ଶ୍ରୀ ସି˚ହଙ୍କୁ ବି ୨୦୧୭ ଅଗଷ୍ଟ ୩୦ ତାରିଖରେ ପୁଲିସ ମୁଖ୍ୟ ପଦବିରୁ କାଢ଼ି ନିଆଯାଇ ଓଏସ୍‌ଆର‌୍‌ଟିସି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୧୯ ମେ ୩୧ ତାରିଖରେ ସେ ସେହି ପଦରେ ରହି ଅବସର ନେଇଥିଲେ। ଶ୍ରୀ ସି˚ହ ସମ୍ବଲପୁରରେ ଆଣ୍ଟି-ନକ୍ସଲ ଅପରେସନ୍‌ର ସମୀକ୍ଷାରେ କରୁଥିବା ବେଳେ ରାଜ୍ୟ ସରକାର ଏପଟେ ଡିଜି ପଦବିରୁ ହଟାଇ ଦେଇଥିବା ଘଟଣା ସେ ସମୟରେ ଚର୍ଚ୍ଚା ସୃଷ୍ଟି କରିଥିଲା।

କେ.ବି.ସିଂହଙ୍କ ସ୍ଥାନରେ ନିଯୁକ୍ତ ହୋଇଥିଲେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା। ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ଦିଆଯିବା ପରେ ଅଗଷ୍ଟ ୮ ତାରିଖରେ ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମାଙ୍କୁ ଅସ୍ଥାୟୀ ପୁଲିସ ଡିଜି ଦାୟିତ୍ବ ପ୍ରଦାନ କରାଯାଇଥିଲା। କିନ୍ତୁ ଚାରି ମାସ ପୂରଣ କରିବା ପୂର୍ବରୁ ତାଙ୍କୁ ରାତି ଅଧିଆ ପୁଲିସ ମୁଖ୍ୟ ଦାୟିତ୍ବ ସହ ଅଗ୍ନିଶମ ଡିଜି ପଦବିରୁ ବି ହଟାଇ ଦିଆଗଲା। ବୁଧବାର ରାତି ପ୍ରାୟ ୧୧ଟା ୩୦ ବେଳେ ସତ୍ୟଜିତ ମହାନ୍ତି ଅସ୍ଥାୟୀ ଡିଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଅଭୟଙ୍କୁ ଏବେ ରାଜ୍ୟ ପୁଲିସ ମୁଖ୍ୟ ଭାବେ ନିଯୁକ୍ତି ଦିଆଯିବା ଘୋଷଣା କରାଯାଇଛି। କିନ୍ତୁ ସେ ଜାତୀୟ ପୁଲିସ ଏକାଡେମିର ନିର୍ଦ୍ଦେଶକ ଥିବାରୁ ସେଠାରୁ ଦାୟିତ୍ବମୁକ୍ତ ହେବା ପରେ ନୂଆ ମୁଖ୍ୟ ଭାବେ ଯୋଗ ଦେବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର