ପୁରୀ ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ୧୯ବର୍ଷୀୟ ଯୁବକଙ୍କ ଜୀବନ ବଞ୍ଚାଇଲେ ଉଦ୍ଧାରକାରୀ ଦଳ, ଭିଡିଓରେ କଏଦ୍‌ ହେଲା ଦୃଶ୍ୟ

ପୁରୀ : ବିଭିନ୍ନ ଦର୍ଶନୀୟସ୍ଥାନମାନଙ୍କରେ ଥିବା ଉଦ୍ଧାରକାରୀ ଟିମ୍‌ ନିଜର ଦାୟିତ୍ୱ ଠିକ୍‌ ଭାବରେ ତୁଲାନ୍ତି ନାହିଁ ବୋଲି ଅନେକ ସମୟରେ ଅଭିଯୋଗ ହୋଇଥାଏ । କିନ୍ତୁ ପୁରୀ ସମୁଦ୍ର କୂଳରେ ମୁତୟନ ଥିବା ୩ଜଣ ଉଦ୍ଧାରକାରୀ ଗାର୍ଡ ଏହାକୁ ଭୁଲ ପ୍ରମାଣିକ କରିଛନ୍ତି । ୩ଜଣ ଉଦ୍ଧାରକାରୀ ଗାର୍ଡଙ୍କ ପାଇଁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ୧୯ବର୍ଷୀୟ ଯୁବକ । ପୁରୀ ସମୁଦ୍ରକୁ ନିଜ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ହଠାତ ବଡ଼ ଢ଼େଉ ଆସିବାରୁ ଯୁବକ ସମୁଦ୍ର ମଧ୍ୟକୁ ଟାଣି ହୋଇ ଯାଇଥିଲେ । ତାଙ୍କୁ ବୁଡ଼ି ଯାଉଥିବା ଦେଖି ଡିୟୁଟିରେ ଥିବା ଉଦ୍ଧାରକାରୀ ଟିମ୍‌ ତୁରନ୍ତ ସମୁଦ୍ର ଭିତରକୁ ଯାଇ ଯୁବକଙ୍କ ଜୀବନ ବଞ୍ଚାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜଣେ ପର୍ଯ୍ୟଟକ ଏହି ଦୃଶ୍ୟକୁ ରେକର୍ଡ କରିଥିବା ବେଳେ କିଭଳି ଉଦ୍ଧାରକାରୀ ଟିମ୍‌ ଯୁବକଙ୍କୁ ରକ୍ଷା କରିଥିଲେ, ତାହା ସ୍ପଷ୍ଟ ଜଣା ପଡ଼ୁଛି ।

ସୂଚନା ମୁତାବକ, ଗତକାଲି ଭୁବନେଶ୍ୱରର ଶିଖରଚଣ୍ଡିରେ ରହୁଥିବା ୧୯ବର୍ଷୀୟ ରାଜା ସାହୁ ନିଜ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଯାଇଥିଲେ । ସମୁଦ୍ରରେ ଗାଧୋଉଥିବା ସମୟରେ ବଡ଼ ଢ଼େଉ ଆସି ତାଙ୍କୁ ଭିତରକୁ ଟାଣି ନେଇଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ୩ଜଣ ଉଦ୍ଧାରକାରୀ ଗାର୍ଡ ଲଲିତ ବେହେରା, ଜି.ଜଗ୍‌ଦିଶ୍‌ ଏବଂ ଜି. ବାବାଜୀ ସମୁଦ୍ରକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ରାଜାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର