ମୟୂରଭଞ୍ଜରେ ୧୯୦ ଝାଡ଼ଖଣ୍ଡୀ ହାତୀ

ଟ୍ରେଞ୍ଚ୍‌ , ସୌର ବିଦ୍ୟୁତ୍‌ ବାଡ଼ ବି ଫେଲ୍‌

ଘଉଡ଼ାଇବାକୁ ଦୁଇ ଘୋଡ଼ା ନିୟୋଜିତ

ଚିତ୍ରଡ଼ା/ବେତନଟୀ : ମୟୂରଭଞ୍ଜ ବନ ବିଭାଗର ସମସ୍ତ ପ୍ରତିରୋଧ ସତ୍ତ୍ୱେ ଝାଡ଼ଖଣ୍ଡୀ ହାତୀପଲ ପଶ୍ଚିମବଙ୍ଗରୁ ଆସି ମୟୂରଭଞ୍ଜ ସୀମାରେ ପଶିଛନ୍ତି। ରାସଗୋବିନ୍ଦପୁର ରେଞ୍ଜ୍‌ ଅଧୀନ ମୋରଡ଼ା ବ୍ଲକ ଅଞ୍ଚଳରେ ବୁଲୁଥିବା ଏହି ପଲରେ ୧୯୦ରୁ ଊର୍ଦ୍ଧ୍ୱ ହାତୀ ଥିବା କୁହାଯାଉଛି। ହାତୀପଲ ଧୀରେଇଡିହି, ବଡ଼ଶୋଳ ବାଟଦେଇ ଅନ୍ଧାରୀ, ମାଜଣା, ଉଫାଲଗଡ଼ିଆ ଟପି ଆଜି ଫୁଲଝରୀ ଜଙ୍ଗଲରେ ପଶିଛନ୍ତି। ଯେଉଁସବୁ ଗାଁ ଦେଇ ଯାଉଛନ୍ତି, ସେଠାକର ଚାଷଜମିର ଧାନଫସଲ ସଂପୂର୍ଣ୍ଣ ଉଜାଡ଼ି ଦେଉଛନ୍ତି।

ହାତୀମାନଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ କେତେକ ସ୍ଥାନରେ ଘୋଡ଼ା ମଳମୂତ୍ର ପକାଯାଇଛି। ଘୋଡ଼ାକୁ ଦେଖି ହାତୀ ପଳାଇବେ, ଏହି ଲକ୍ଷ୍ୟରେ ଦୁଇଟି ଘୋଡ଼ା ମଧ୍ୟ ଅଣାଯାଇଛି। ଘୋଡ଼ାକୁ ଦେଖିଲେ ଓ ଗନ୍ଧ ପାଇଲେ ହାତୀ କୁଆଡ଼େ ଆସିନଥାଏ ବୋଲି କୁହାଯାଇଛି। ବିଗତ ବର୍ଷରେ ବନ ବିଭାଗ ଏଭଳି କୌଶଳ ଆପଣାଇଥିଲା। ସେତେ ବେଳେ କିଛିଟା ସଫଳତା ମଧ୍ୟ ମିଳିଥିଲା। ଏଣୁ ଏଥର ମଧ୍ୟ ହାତୀ ଘଉଡ଼ାଇବାକୁ ବନ ବିଭାଗ ଘୋଡ଼ା ଆଣିଛି। ହେଲେ ହାତୀପଲ ଯୁଆଡ଼େ ଯାଉଛନ୍ତି, ବ୍ୟାପକ ଧାନଫସଲ ନଷ୍ଟ କରି କରି ଯାଉଛନ୍ତି। ଏହାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

ସୂଚନା ମିଳିଛି; ୮୦ରୁ ଅଧିକ ହାତୀଙ୍କ ପଲ ଫୁଲଝରୀରେ ଡେରା ପକାଇଛନ୍ତି। ସେପଟେ ଆଉ ୧୦୦ରୁ ଅଧିକ ହାତୀ ମଧ୍ୟ ମୟୂରଭଞ୍ଜ ସୀମାରେ ଅଛନ୍ତି। ଏହି ପଲରେ ୨୨ଟି ବଡ଼ଦନ୍ତା ଅଛନ୍ତି। ବାରିପଦା ଡିଭିଜନର ସମସ୍ତ ରେଞ୍ଜ, ହାତୀ ଘଉଡ଼ାଇବା ସ୍ୱତନ୍ତ୍ର ସ୍କ୍ଵାଡ୍‌ ଜଗି ରହିଛନ୍ତି। ଦେଉଳି ଓ ରାସଗୋବିନ୍ଦପୁର ରେଞ୍ଜର ସୀମାରେ ଟ୍ରେଞ୍ଚ୍‌ ଓ ବୈଦ୍ୟୁତିକ ବାଡ଼ ବସା ଯାଇଥିଲା। ଏ ସମସ୍ତ ବ୍ୟବସ୍ଥାକୁ ଫେଲ କରି ହାତୀପଲରେ ଓଡ଼ିଶାରେ ପଶିଛନ୍ତି। ରାସଗୋବିନ୍ଦପୁର ରେଞ୍ଜର ଦିଲୀପ କୁମାର ବାରିକ, ଦେଉଳି ରେଞ୍ଜର ରବିନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ସଜାଗ ରହିଛନ୍ତି।

ସମ୍ବନ୍ଧିତ ଖବର