କୋଲନରା : ପଞ୍ଜିକୃତ ହିତାଧିକାରୀଙ୍କ ମନରେଗା ଜବକାର୍ଡ ସହ ଆଧାର ସଂଯୋଗ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟ ଅବଧିରେ ହଜାର ହଜାର ହିତାଧିକାରୀ ଲିଙ୍କ୍ କରାଇନଥିଲେ। ତେଣୁ ଲିଙ୍କ୍ ହୋଇନଥିବା ଜବକାର୍ଡ ଗୁଡ଼ିକୁ ସରକାର ରଦ୍ଦ କରିଦେଇଛନ୍ତି। କେବଳ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ର ୧୯ହଜାର ୫୫ଜଣ ହିତାଧିକାରୀଙ୍କ ଜବକାର୍ଡକୁ ବାତିଲ କରାଯାଇଛି। ଏତେ ପରିମାଣରେ ଭୂତ ହିତାଧିକାରୀଙ୍କୁ ଜବକାର୍ଡ ଦିଆଯିବା, ବ୍ୟାପକ ଅନିୟମିତତା ହୋଇଥିବା ପ୍ରମାଣିତ କରୁଛି।
ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଏମ୍ଜିଏନ୍ଆରଇଜିଏ(ମନରେଗା) ଜବକାର୍ଡ ସହ ଆଧାର ସଂଯୋଗ ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଜାରି କରିଥିଲେ। ଏଥିପାଇଁ ପର୍ଯ୍ୟାପ୍ତ ସମୟ ମଧ୍ୟ ହିତାଧିକାରୀଙ୍କୁ ଦିଆଯାଇଥିଲା। ଏହା ସତ୍ତ୍ବେ ହଜାର ହଜାର ଜବକାର୍ଡଧାରୀ ଧାର୍ଯ୍ୟ ସମୟରେ ଏହା କରିନଥିଲେ। ଫଳରେ ସରକାର ବାଧ୍ୟହୋଇ ସମ୍ପୃକ୍ତ କାର୍ଡ ଗୁଡିକ ନକଲି ବୋଲି ଦର୍ଶାଇ ବାତିଲ କରିଛନ୍ତି। ଆର୍ଥିକ ବର୍ଷ ୨୦୨୨-୨୩ରେ କୋଲନରା ପଞ୍ଚାୟତରେ ସର୍ବାଧିକ ୯୪୩ ପରିବାରର ୪୧୯୭ ଜଣ ଭୂତ ହିତାଧିକାରୀ ଥିଲେ ବୋଲି ଜଣାପଡିଛି। ସେହିପରି, ଗାଡ଼ିଶେଷଖାଲ ପଞ୍ଚାୟତରେ ସର୍ବନିମ୍ନ ୪୨ ପରିବାରର ୧୬୫ ହିତାଧିକରୀଙ୍କ ଜବକାର୍ଡ ରଦ୍ଦ ହୋଇଛି। ରାୟଗଡା ଜିଲ୍ଲାର ସାରଣୀକୁ ଅନୁଧ୍ୟାନ କଲେ ମୋଟ ୮୮୭୬୩ ପରିବାରର ୨୯୬୨୪୬ ଜଣ ଭୂତ ହିତାଧିକାରୀଙ୍କ ଜବକାର୍ଡକୁ ନାକଚ କରାଯାଇଛି। କାଶୀପୁର ବ୍ଲକ୍ର ସର୍ବାଧିକ ୨୫୭୦୫ ପରିବାରର ୮୧୨୩୮ ଜଣ ହିତାଧିକାରୀଙ୍କ କାର୍ଡ ରଦ୍ଦ ହୋଇଛି।
କେନ୍ଦ୍ର ସରକାରଙ୍କ ୱେବ୍ସାଇଟ୍ରୁ ମିଳିଥିବା ତଥ୍ୟ ଅନୁସାରେ, ରାୟଗଡ଼ା ଜିଲ୍ଲାର କୋଲନରା ବ୍ଲକ୍ରେ ସର୍ବନିମ୍ନ ୧୯୦୫୫ଜଣ ନକଲି ହିତାଧିକାରୀ ରହିଛନ୍ତି। ବ୍ଲକର ୧୭ ପଞ୍ଚାୟତ ମଧ୍ୟରୁ ବଡ଼ଖିଲାପଦରରେ ୩୩୦ ପରିବାରର ୨୧୧୭ ଜଣ, ବାଙ୍କିଲିର ୩୩୫ ପରିବାରର ୧୧୩୪ ଜଣ, ଭୋଇମଡ଼ାର ୧୪୮ ଟି ପରିବାରର ୫୭୬, ଡୁମୁରିଗୁଡାର ୧୫୪ ପରିବାରର ୫୫୦, ଦୁନ୍ଦୁଲିର ୧୮୦ ପରିବାରର ୧୩୫୭, ଗାଡିଶେଷଖାଲର ୪୨ ପରିବାରର ୧୬୫, ଝରଡିର ୧୮୮ ପରିବାରର ୮୭୯, କୈଳାସପୁରର ୧୪୧ ପରିବାରର ୭୨୮, କାର୍ତ୍ତିକଗୁଡାର ୧୦୨ ପରିବାରର ୪୦୯, କାଟିକଣାର ୧୧୦ ପରିବାରର ୬୬୨, କେଲିଗୁଡ଼ାର ୧୩୩ ପରିବାରର ୬୧୪ ଜଣ ହିତାଧିକାରୀଙ୍କ ଜବକାର୍ଡ ରଦ୍ଦ ହୋଇଛି। ସେହିପରି, ଖେଦାପଡା ପଞ୍ଚାୟତର ୨୫୮ ପରିବାରର ୧୩୬୭, କୋଲନରା ପଞ୍ଚାୟତର ୯୪୩ ପରିବାରର ୪୧୯୭, ମୁକୁନ୍ଦପୁରର ୧୭୬ ପରିବାରର ୭୩୩, ରେଖାପଦରର ୬୪ ପରିବାରର ୨୩୧, ସୁରୀ ପଞ୍ଚାୟତର ୩୨୯ ପରିବାରର ୧୬୮୨ ଓ ଥେରୁବାଲି ପଞ୍ଚାୟତର ୫୦୦ ପରିବାରର ୧୬୫୪ଜଣଙ୍କ ଜବକାର୍ଡ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାତିଲ କରାଯାଇଛି।