ରାଉରକେଲା: ଜିଲ୍ଲାରେ ଉଭୟ ଡେଙ୍ଗୁ ଓ ସ୍କ୍ରବ୍ ଟାଇଫସ୍ ରୋଗ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି ସିନା କମିବାର ନାଁ ନେଉନି। ବୁଧବାର ସୁଦ୍ଧା ଜିଲ୍ଲାରେ ୨୯୨ ଜଣ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିଭଳି ବୁଧବାର ସୁଦ୍ଧା ଜିଲ୍ଲାରେ ୩୨୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଥିବା ଜଣାପଡ଼ିଛି।
ସୁନ୍ଦରଗଡ଼ ଜିଲ୍ଲାରେ ଗତ ଜାନୁଆରି ମାସରେ ପ୍ରଥମ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଥିଲା। ପରବର୍ତ୍ତୀ ସମୟରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲା। କିନ୍ତୁ ଅଗଷ୍ଟ ମାସରୁ ସଂଖ୍ୟାରେ ଆଖିଦୃଶିଆ ବୃଦ୍ଧି ଘଟୁଛି। ଉଲ୍ଲେଖଯୋଗ୍ୟ, ଗତ ତିନି ଦିନରେ ୪୨ ଜଣ ନୂଆ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଦିନ ମୋଟ୍ ୪୭ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଶୁକ୍ରବାର ଜିଲ୍ଲାରେ ୭୪ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୨୦ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଅର୍ଥାତ୍, ଆଜି ଜିଲ୍ଲାରେ ପଜିଟିଭ୍ ହାର ୨୭.୦୨% ରହିଛି। ସେହିଭଳି ବୁଧବାର ୬୯ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୧୩ଟି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସ୍କ୍ରବ୍ ଟାଇଫସ୍ ଭଳି ଡେଙ୍ଗୁ ସଂକ୍ରମଣ ମଧ୍ୟ ଜିଲ୍ଲାରେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲାଣି। ଗତ ବୁଧବାର ସୁଦ୍ଧା ଜିଲ୍ଲାରେ ୩୨୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ରାଉରକେଲା ୧୯୮(୬୧.୪୯%) ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆର୍ଏସ୍ପି ସହରାଞ୍ଚଳରୁ ୧୩୦ ଜଣ ଚିହ୍ନଟ ହୋଇଥିବାବେଳେ ରାଉରକେଲା ମହାନଗର ନିଗମ ଅଞ୍ଚଳରୁ ୫୪ ଜଣ ଓ ରେଳବାଇ କଲୋନିରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି। ଅବଶିଷ୍ଟ ୧୨୪ ଜଣ ଆକ୍ରାନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବୋଲି ଜଣାପଡ଼ିଛି।
ସଂକ୍ରମଣ ଦମନ କରିବାକୁ ପ୍ରଶାସନିକ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଭିନ୍ନ ଅଞ୍ଚଳରେ ବ୍ୟାପକ ମାତ୍ରାରେ ଜନସଚେତନତା କାର୍ଯ୍ୟକ୍ରମ, ସଭା ଆଦି ଆୟୋଜନ କରାଯାଉଛି। ତେବେ ଏବେବି ଜନସାଧାରଣ ଏହାକୁ ଗୁରୁତର ସହ ବିଚାରକୁ ନେଉନାହାନ୍ତି। ରୋଗର ଲକ୍ଷଣ ଦେଖାଦେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ସହ ଔଷଧ ସେବନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିବା ସତ୍ତ୍ବେ ବହୁ କ୍ଷେତ୍ରରେ ଏହାର ଅବହେଳା ଦେଖିବାକୁ ମିଳୁଛି। ଏଣୁ ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରିବାକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆହ୍ବାନ କରାଯାଇଛି।