ଭୁବନେଶ୍ବର: ରାଜ୍ୟରେ ସାଇବର ଠକେଇ ତଥା ଅନ୍ୟାନ୍ୟ ସାଇବର ଅପରାଧ ସୀମା ଲଂଘିବାକୁ ବସିଲାଣି। କେବଳ ଗୋଟିଏ ବର୍ଷରେ ସାଇବର୍ ଠକମାନେ ୧୯୩ କୋଟି ଟଙ୍କା ଠକି ନେଇଯାଇଛନ୍ତି। ୨୦୨୨ ତୁଳନାରେ ୨୦୨୩ରେ ୧୩ ପ୍ରତିଶତ ଧର୍ତ୍ତବ୍ୟ ଅପରାଧ ମାମଲା ବଢ଼ିଛି। ତେବେ ମାଓବାଦୀ ହିଂସା ହ୍ରାସ ପାଇଛି। ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ଶ୍ବେତପତ୍ରରୁ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିର ବିକଳ ଚିତ୍ର ଏଭଳି ପ୍ରମାଣ ଦେଇଛି।
୨୦୨୨ ମସିହା ତୁଳନାରେ ୨୦୨୩ରେ ସାଇବର ଅପରାଧ ସଂଖ୍ୟା ବହୁତ ବଢ଼ିଛି। ଗୋଟିଏ ବର୍ଷରେ ମୋଟ ୧୯୩ କୋଟି ସାଇବର ଠକେଇ ହୋଇଛି। ୧୯୩୦ କଲ୍ ସେଣ୍ଟର, ରାଜ୍ୟରେ କ୍ରାଇମ୍ବ୍ରାଞ୍ଚ ଓ ୧୪ ସାଇବର ଥାନାର ତଥ୍ୟ ଅନୁସାରେ ଏତିକି ପରିମାଣର ଠକେଇ ହୋଇଛି। ୧୯୩୦ କଲ୍ ସେଣ୍ଟର ତଥ୍ୟ ଅନୁସାରେ ୨୦୨୩ରେ ୬୭ କୋଟି ୪୦ ଲକ୍ଷ ୯୬ ହଜାର ୧୮୮ ଟଙ୍କା ଠକେଇ ହୋଇଛି। ସେହିଭଳି କ୍ରାଇମ୍ବ୍ରାଞ୍ଚ ଓ ସାଇବର ଥାନା ତଥ୍ୟ କହୁଛି ୨୦୨୩ରେ ୪୭ କୋଟି ୭୫ଲକ୍ଷ୯୯,୭୯୬ ଟଙ୍କା ଠକେଇ ହୋଇଛି। ଏଥିସହିତ ଏନ୍ସିଆର୍ପି ତଥ୍ୟ ଅନୁସାରେ ୨୦୨୩ରେ ଠକେଇ ପରିମାଣ ୭୯କୋଟି ୬୬ ଲକ୍ଷ୬୦,୪୮୬ ଟଙ୍କା। ୧୯୩୦ କଲ୍ ସେଣ୍ଟରକୁ ମିଳିଥିବା ଆର୍ଥିକ ଠକେଇ ଅଭିଯୋଗ ଅନୁସାରେ, ୨୦୨୧ରୁ ୨୦୨୩ ଏହି ତିନି ବର୍ଷ ମଧ୍ୟରେ ମୋଟ୍ ୨୭ ହଜାର ୭୦୪ଟି ଅଭିଯୋଗ ହୋଇଛି। ଏହି ସମୟରେ ସାଇବର ଲୁଟେରାମାନେ ମୋଟ୍ ୮୫ କୋଟି ୭୭ଲକ୍ଷ ୪୧ହଜାର ୯୪୨ ଟଙ୍କା ଲୁଟି ନେଇଛନ୍ତି। ଅବଶ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ବଳରେ କିଛି ସାଇବର ଠକଙ୍କୁ ଗିରଫ କରାଯାଇଛି। ରାଜ୍ୟ ବାହାରୁ ସାଇବର ଠକଙ୍କ ରୢାକେଟ୍କୁ ଗିରଫ କରାଯାଇଛି।
ଶ୍ବେତପତ୍ରରେ ଓଡ଼ିଶା ଅପରାଧ
ସୀମା ଲଂଘିଲାଣି ସାଇବର ଅପରାଧ
୧୩% ବଢ଼ିଛି ଧର୍ତ୍ତବ୍ୟ ଅପରାଧ
ଦିନକୁ ୪ ହତ୍ୟାକାଣ୍ଡ, ୮ ଦୁଷ୍କର୍ମ
ସାଇବର୍ ଠକଙ୍କ ଠାରୁ ଲୁଟ୍ ଅର୍ଥ ଫେରସ୍ତ ହେବା ପରିମାଣ ବହୁ ନଗଣ୍ୟ। ସାଇବର ପୁଲିସ ୟୁନିଟ୍ ବ୍ୟାଙ୍କ୍ ଆକାଉଣ୍ଟ ଜବତ କରି ପାଖାପାଖି ୭ କୋଟି ୬୨ ଲକ୍ଷ ୪୯ ହଜାର ୫୩୮ ଟଙ୍କା ଫେରାଇପାରିଛି। ସେହିପରି ଆକାଉଣ୍ଟ ଫ୍ରିଜ୍ କରି ୨୫ କୋଟି ୧୭ ଲକ୍ଷ ୭୨ ହଜାର ୪୭୨ ଟଙ୍କା ଅଟକ ରଖିପାରିଛି। ୧୯୩୦ କଲ୍ ସେଣ୍ଟରର ଅଭିଯୋଗ ଅନୁସାରେ ୨୦୨୧ରେ ୩୪୦୨ ଅଭିଯୋଗ ହୋଇଥିଲା। ଠକେଇ ରାଶି ୨ କୋଟି ୩ ଲକ୍ଷ ୨୦ ହଜାର ୫୧୦ ଟଙ୍କା ଥିଲା। ସେତେବେଳେ ମାତ୍ର ୨୦ ଲକ୍ଷ ୬୦ ହଜାର ୬୫୪ ଟଙ୍କା ଫେରସ୍ତ ହୋଇପାରିଥିଲା। ୨୦୨୩ ରେ ୬୭୦୦ ଅଭିଯୋଗ ଗ୍ରହଣ କରାଯାଇଛି। ୧୬କୋଟି ୩୩ଲକ୍ଷ ୨୫ ହଜାର ୨୪୪ ଟଙ୍କା ଠକେଇ ହୋଇଛି। ଫେରସ୍ତ ରାଶି ମାତ୍ର ୬୭ ଲକ୍ଷ ୭୬୫ ଟଙ୍କା। ୧କୋଟି ୮୮ଲକ୍ଷ ୨୬୭ ଟଙ୍କାକୁ ବିଭିନ୍ନ ଆକାଉଣ୍ଟରେ ଅଚଳ କରି ରଖାଯାଇଛି। ୨୦୨୩ ଆର୍ଥିକ ବର୍ଷରେ ଏହି ଠକେଇ ମାମଲା ସଂଖ୍ୟା ୧୬ ହଜାର ୬୦୨। ସାଇବର ଠକମାନେ ୬୭ କୋଟି ୪୦ ଲକ୍ଷ ୯୬ ହଜାର ୧୮୮ ଟଙ୍କା ଲୁଟିଛନ୍ତି। ମାତ୍ର ୧ କୋଟି ୭୩ ଲକ୍ଷ ୧୦ ହଜାର ୧୧୯ ଟଙ୍କା ଫେରସ୍ତ ହୋଇପାରିଛି ଏବଂ ବ୍ୟାଙ୍କ୍ରେ ୯କୋଟି ୯୯ଲକ୍ଷ ୮୨ ହଜାର ୯୧୪ ଟଙ୍କା ଫ୍ରିଜ୍ ହୋଇଛି। ତେଣୁ ସଚେତନତା କାର୍ଯ୍ୟକ୍ରମ ପରେ ବି ସାଇବର ଠକେଇ ସୀମା ଟପିବାକୁ ବସିଲାଣି।
୨୦୨୨ ତୁଳନାରେ ୨୦୨୩ରେ ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ହାର ୧୩ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୨ରେ ରାଜ୍ୟରେ ୧ଲକ୍ଷ ୭୮ହଜାର୧୯୦ ଧର୍ତ୍ତବ୍ୟ ଅପରାଧ ମାମଲା ପଞ୍ଜୀକୃତ ହୋଇଥିଲା। ୨୦୨୩ରେ ୨୨ ହଜାର ୭୬୫ ମାମଲା ବୃଦ୍ଧି ପାଇଛି। ଏବେ ମାମଲା ସଂଖ୍ୟା ୧ଲକ୍ଷ ୯୯ ହଜାର୯୫୫ରେ ପହଁଞ୍ଚିଛି। ଶ୍ବେତପତ୍ରରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ୨୦୨୩ରେ ୧୩୬୨ ନରହତ୍ୟା, ୩୭୦ ଡକାୟତି, ୨୯୬୧ ଲୁଣ୍ଠନ, ୬୦୭୧ ସିନ୍ଧିଚୋରି, ୧୬ ହଜାର ୮୫୧ ଚୋରି, ୬୧୯୬ ପ୍ରତାରଣା, ୧୬୫୫ଟି ଦଙ୍ଗା, ୨୮୨୬ ଦୁଷ୍କର୍ମ, ୧୧, ୯୯୨ ସଡ଼କ ଦୁର୍ଘଟଣା, ୧୬୫ଟି ମାନବ ଚାଲାଣ, ୨୩୪୮ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି। ୧୩୬୨ ହତ୍ୟା ମାମଲା ମଧ୍ୟରୁ ୧୨୮୮ମାମଲାରେ ସତ୍ୟତା ଥିବା ସ୍ପଷ୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ୫୯୬ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। ୨୮୨୬ ଦୁଷ୍କର୍ମ ମାମଲା ମଧ୍ୟରୁ ୨୭୬୨ର ଅଭିଯୋଗ ସତ୍ୟ ଏବଂ ସେଥିରୁ ୧୮୪୭ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। ୨୦୨୨ରେ ହତ୍ୟା ଓ ଦୁଷ୍କର୍ମ ମାମଲା ସଂଖ୍ୟା ଯଥାକ୍ରମେ ୧୩୭୯ ଓ ୩୧୮୪ ଥିଲା। ୨୦୨୩ ରେ ଏହି ମାମଲା ସମାନ୍ୟ କମିଛି।
୨୦୨୨ ତୁଳନାରେ ୨୦୨୩ରେ ରାଜ୍ୟରେ ଚୋରି, ସିନ୍ଧିଚୋରି ଓ ପ୍ରତାରଣା ମାମଲା ବଢ଼ିଛି। ୨୦୨୨ରେ ୫୩୫୨ ପ୍ରତାରଣା ମାମଲା ହୋଇଥିଲା। ୨୦୨୩ରେ ଏହା ୬୧୯୬କୁ ବୃଦ୍ଧିପାଇଛି। ୨୦୨୩ରେ ୨୩୧ ଯୌତୁକଜନିତ ହତ୍ୟା, ୧୦୬ଟି ଯୌତୁକଜନିତ ଆତ୍ମହତ୍ୟା ଓ ୪,୮୯୭ ଯୌତୁକଜନିତ ନିର୍ଯାତନା ମାମଲା ରୁଜୁ ହୋଇଛି। ୨୦୨୩ରେ ରାଜ୍ୟରେ ସାମଗ୍ରିକଭାବେ ମାଓ ହିଂସା ନିୟନ୍ତ୍ରଣାଧୀନ ରହିଛି। ୩ଜଣ ମାଓ କ୍ୟାଡର୍ ପୁଲିସ ଗୁଳିରେ ଟଳିଛନ୍ତି। ୧୩ଜଣ ମାଓବାଦୀ ଗିରଫ ହୋଇଛନ୍ତି ଏବଂ ୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେହିଭଳି ମାଓ ଅପରେସନ୍ରୁ ୨୧ ବନ୍ଧୁକ ଓ ୨୫୨ ଟିଫିନ୍ ବୋମା ଜବତ ହୋଇଛି।