ବାହାନଗା ଟ୍ରେନ ଦୁର୍ଘଟଣା: ଏସସିବି କଟକରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ୧୯୩ ଜଣ

କଟକ: ବାଲେଶ୍ଵର ଟ୍ରେନ ଦୁର୍ଘଟଣାରେ ଆହତ ହୋଇ କଟକ ବଡ ମେଡିକାଲରେ ୧୯୩ ଜଣ ଆହତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ତେବେ ଏନେଇ ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନାନନ୍ଦ ମହାରଣା ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ମୋଟ ୧୯୩ ଜଣ ଆହତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଆଜି ୯ଜଣଙ୍କୁ ଡିସଚାର୍ଜ କରାଯାଇଛି | ୭ଜଣ ଆହତଙ୍କୁ ଟ୍ରମା ଆଇସିୟୁ ଏବଂ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ୧୯୩ ଜଣଙ୍କ ଭିତରେ ୩ଜଣ ୧୮ ବର୍ଷରୁ କମ ବୟସର ହୋଇଥିବାବେଳେ ୭ ଜଣ ମହିଳା ଅଛନ୍ତି। ସର୍ଜରି, ଅର୍ଥୋପେଡିକ, ନିଉରୋସର୍ଜରି ବିଭାଗରେ ଆହତମାନଙ୍କର ଚିକିତ୍ସା ଚାଲିଛି। ଚକ୍ଷୁ ବିଭାଗର ତୃତୀୟ ମହଲାରେ ଅଧିକ ୧୦୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି।

ସମସ୍ତଙ୍କୁ ୭୨ ଘଣ୍ଟାର ଅଵଜରଭେସନରେ ରଖା ଯାଇଛି। ଅର୍ଥୋପେଡିକ ବିଭାଗରେ ସବୁଠାରୁ ଅଧିକ ଆହତଙ୍କ ଚିକିତ୍ସା ଚାଲିଛି। ବର୍ତ୍ତମାନ ସୁଦ୍ଧା କୌଣସି ଆହତଙ୍କ ମୃତ୍ୟୁ ଏସସିବିରେ ହୋଇ ନାହିଁ। କାହାରିକୁ ଘରୋଇ ହସ୍ପିଟାଲକୁ ପଠା ଯାଇନାହିଁ। ଏସସିବିରେ ଅନ୍ୟାନ୍ୟ ରୋଗୀଙ୍କର ସଂଖ୍ୟା ଆଜି କମ ରହିଛି। ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା ସ୍ୱାଭାବିକ ରହିଛି। ସାଧାରଣ ରୋଗୀ ସେବା ପ୍ରଭାବିତ ହୋଇ ନାହିଁ। ଅନ୍ୟପଟେ ଏସସିବିରେ ୫-ଟି ସଚିବ ଭିକେ ପାଣ୍ଡିଆନ ପହଞ୍ଚି ଆହତଙ୍କୁ ଭେଟିଛନ୍ତି | କାଜୁଆଲଟି ଓ ବିଭିନ୍ନ ୱାର୍ଡରେ ଥିବା ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା କଥା ବୁଝିଛନ୍ତି ୫-ଟି ସଚିବ। ପ୍ରଥମେ ମେଡିକାଲର କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ବିଭିନ୍ନ ବିଭାଗୀୟ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ଭେଟିଛନ୍ତି। କମ ସମୟ ମଧ୍ୟରେ ଏତେ ଆହତଙ୍କ ଚିକିତ୍ସା କରିଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର