ସବୁଠି ଲୁହ, କୋହ: ଏସ୍‌ସିବିକୁ ଆସିଛନ୍ତି ୧୯୩, ଫେରିଛନ୍ତି ୯

ସୂଚନା ଜାଣିବା ପାଇଁ ଫୋନ୍ ନମ୍ବର ଜାରି

କଟକ : କଟକ ବଡ଼ଡାକ୍ତରଖାନାକୁ ବାଲେଶ୍ବର, ଭଦ୍ରକ, ସୋରୋ ତଥା ବିଭିନ୍ନ ସ୍ଥାନରୁ ଶନିବାର ଅପରାହ୍ନ ସୁଦ୍ଧା ୧୯୩ ଜଣ ଚିକିତ୍ସା ପାଇଁ ଆସିଛନ୍ତି। ସେଥିରୁ ୯ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବାରୁ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। କିନ୍ତୁ ଗୁରୁତର ଥିବା ୩ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏବେ ୧୮୧ ଜଣ ସର୍ଜରି, ଅର୍ଥୋପେଡିକ୍‌, ନ୍ୟୁରୋସର୍ଜରି, ଟ୍ରମା ଓ ଚକ୍ଷୁ ବିଭାଗର ୩ୟ ମହଲାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଆହତଙ୍କ ଚିକିତ୍ସା ପାଇଁ ୨ଶହରୁ ଅଧିକ ବିଶେଷଜ୍ଞ ଡାକ୍ତର ନିୟୋଜିତ ଅଛନ୍ତି। ଆହତଙ୍କ ଭିତରେ ୮ ଜଣ ମହିଳା, ୭ ଜଣ ନାବାଳକ ବି ରହିଛନ୍ତି। ଆହତଙ୍କ ମଧ୍ୟରେ ପଶ୍ଚିମବଙ୍ଗ, ବିହାର, ଚେନ୍ନାଇ, ବାଲେଶ୍ବର ତଥା ଗଞ୍ଜାମର ଅଧିକ ଲୋକ ରହିଛନ୍ତି। ଅଧିକାଂଶ ରୋଗୀଙ୍କ ଗୋଡ, ହାତ, ଅଣ୍ଟା ଭାଙ୍ଗିଥିବା ବେଳେ ଅନେକ ଲୋକଙ୍କ ମଲ୍ଟିପୁଲ୍‌ ଫ୍ରାକଚର ରହିଛି। ଅନ୍ୟପଟେ ରାତିରେ ବାଲେଶ୍ବରରୁ ଆଉ ୪୦ଜଣ ଗୁରୁତର ରୋଗୀ କଟକ ବଡ଼ ମେଡିକାଲକୁ ଆସୁଥିବା ସୂଚନା ମିଳିଛି।

ସୂଚନା ଜାଣିବା ପାଇଁ ଫୋନ୍ ନମ୍ବର

ଏସ୍‌ସିବି ମେଡିକାଲରେ ମୃତାହତଙ୍କ ସଂପର୍କରେ ସୂଚନା ଜାଣିବା ପାଇଁ ୫ଟି ଫୋନ୍ ନମ୍ବର ଜାରି କରାଯାଇଛି। ଏହା ୨୪ ଘଣ୍ଟିଆ କାର୍ଯ୍ୟ କରିବ। ୨୪୧୫୧୭୧, ୨୪୧୫୧୭୨, ୨୪୧୫୧୭୩, ୨୪୧୫୧୭୪, ୨୪୧୫୧୭୫ ମୋବାଇଲ୍ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ଏସ୍‌ସିବି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ମୋ’ ସୂରଜ କାଇଁ…
ପଶ୍ଚିମବଙ୍ଗର ମହିଳା ଉଷା ଦେବୀଙ୍କ ଆକୁଳ ପ୍ରଶ୍ନ ଏବେ କଟକ ବଡ ମେଡିକାଲରେ ସମସ୍ତଙ୍କୁ ବ୍ୟଥିତ କରୁଛି। ଡାକ୍ତର, ନର୍ସଙ୍କୁ ପଚାରୁଛନ୍ତି… ମୋ’ ସୂରଜ କାଇଁ..? ଉଷା ତାଙ୍କ ସ୍ୱାମୀ ଅଯୋଧି ପାଶ୍ୱୱାନ, ପୁଅ ସୂରଜ କରମଣ୍ଡଳ ଏକ୍ସପ୍ରେସରେ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଏବେ ସେମାନେ ସମସ୍ତେ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ଉଷା ଅର୍ଥୋପେଡିକ ୱାର୍ଡର ବେଡ଼ ନମ୍ବର ୩୧୩ରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ପୁଅ ଓ ସ୍ୱାମୀଙ୍କ ସମ୍ପର୍କରେ ସେ କିଛି ଜାଣି ପାରୁ ନାହାନ୍ତି। ଯାହାକୁ ଦେଖୁଛନ୍ତି ସୂରଜ କାଇଁ ବୋଲି ପଚାରୁଛନ୍ତି। ମୋତେ ସୂରଜକୁ ଦିଅ ବୋଲି କହି ସମସ୍ତଙ୍କୁ ନେହୁରା ହେଉଛନ୍ତି।

ସଂପର୍କୀୟଙ୍କ ଫଟୋ ଧରି ବାଲେଶ୍ବରରୁ ଏସ୍‌ସିବି
କାମ ପାଇଁ ୨୧ଜଣ ଯାଉଥିଲେ କୋଲକାତାରୁ କେରଳ। ରାଜମିସ୍ତ୍ରି ଭାବେ ସେଠାରେ କାମ କରିଥାନ୍ତେ। କିନ୍ତୁ ସେମାନଙ୍କ ପତ୍ତା ପାଉନାହାନ୍ତି ସଂପର୍କୀୟ। କିଛି ପରିଜନ ନିଜନିଜ ଲୋକଙ୍କ ଫଟୋ ଧରି ଗତକାଲି ବାଲେଶ୍ବର ମେଡିକାଲରେ ଖୋଜିଥିଲେ। ସେଠାରେ ନପା‌ଇବାରୁ ଆଜି ଏସ୍‌ସିବିରେ ପହଞ୍ଚିଛନ୍ତି। ହେଲେ ଏସ୍‌ସିବିରେ ବି କାହାରିକୁ ପାଉ ନାହାନ୍ତି। ଏଭଳି ଅନେକ ସଂପର୍କୀୟ ତାଙ୍କ ପରିଜନଙ୍କ ସଂପର୍କରେ ସୂଚନା ନ ପାଇ ଏଣେତେଣେ ଘୂରି ବୁଲୁଛନ୍ତି। ଜିଲ୍ଲାପ୍ରଶାସନ ଓ ଆଇନସେବା ପ୍ରାଧିକରଣ ତଥା ବିଭିନ୍ନ ସଂସ୍ଥା ଖୋଲିଥିବା ସହାୟତା କେନ୍ଦ୍ରରେ ପହଞ୍ଚି ନିଜ ସଂପର୍କୀୟଙ୍କୁ ଖୋଜୁଛନ୍ତି।

ଚକାତଳେ ୮ ଘଣ୍ଟା ରହିବା ପରେ ଉଦ୍ଧାର ହେଲି
ଏ ଦୁର୍ଘଟଣାରୁ ମୁଁ ବଂଚିବି ବୋଲି ମୋର ଆଉ ଆଶା ନଥିଲା। ରେଳ ଚକା ତଳେ ରହି ଯାଇଥିଲି। ଗୁରୁତର ଯନ୍ତ୍ରଣା ସାଙ୍ଗକୁ ରକ୍ତସ୍ରାବ ‌ହେଉଥିଲା। ହେଲେ ମୁଁ ନିରୁପାୟ ଥିଲି। ପାଖାପାଖି ୮ ଘଣ୍ଟା ଚକ ତଳେ ପଡ଼ିରହିଥିଲି। ମୋ ପାଖରେ ଏଣେତେଣେ ମୃତଦେହ ପଡି ରହିଥିବା ଦେଖି ବିଚଳିତ ହୋଇପଡିଥିଲି। ଉଦ୍ଧାରକାରୀ ଦଳ ମୋତେ ଉଦ୍ଧ‌ାର କରି ମେଡିକାଲ ଆଣିଲେ। ମୁଁ ଯେତେ କୃତଜ୍ଞତା ଦେଲେ ବି କମ୍ ‌ହେବ ବୋଲି କହିଛନ୍ତି କରମଣ୍ଡଳ ଏକ୍ସପ୍ରେସରେ ଚେନ୍ନାଇ ଯାଉଥିବା ପଶ୍ଚିମବଙ୍ଗର ମହମ୍ମଦ ସମିମ୍।

ସମ୍ବନ୍ଧିତ ଖବର