ସାଇବର ଅପରାଧ ସଂପର୍କିତ ଅଭିଯୋଗ ପାଇଁ ୧୯୩୦: ବୁଲିବ ୩୪ ସଚେତନତା ରଥ, ସ୍କୁଲ ଓ ଅଙ୍ଗନବାଡ଼ି କାନ୍ଥରେ ସଚେତନତା ପେଣ୍ଟିଂ

ଭୁବନେଶ୍ବର: କୌଣସି ବ୍ୟକ୍ତି ସାଇବର ଜନିତ ଅପରାଧ ସଂପର୍କରେ ଅଭିଯୋଗ କରିବାକୁ ହେଲେ ୧୯୩୦ ସହ ଯୋଗାଯୋଗ କରି ଅଭିଯୋଗ କରିପାରିବେ। ଆର୍ଥିକ, ମହିଳା ଓ ଶିଶୁମାନଙ୍କ ଉପରେ ଯୌନଜନିତ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତୃଣମୂଳସ୍ତରରେ ସାଇବର ଅପରାଧ ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି।

ବୈଠକରୁ ଜଣାପଡ଼ିଛି ଯେ ବୟସ୍କ, ଛାତ୍ରଛାତ୍ରୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ସମେତ ସବୁ ବର୍ଗକୁ ଏହି ଅଭିଯାନରେ ସାମିଲ କରାଯିବ। ଏଥିପାଇଁ ୩୪ଟି ସଚେତନତା ରଥ ରାଜ୍ୟର ପ୍ରତ୍ୟେକ ଥାନାକୁ ଗସ୍ତ କରି ଭିଡିଓ/ଅଡିଓ ଜରିଆରେ ସଚେତନତା ବାର୍ତ୍ତା ପ୍ରଦାନ କରିବ। ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରର କାନ୍ଥରେ ପେଣ୍ଟିଂ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ। ବିଦ୍ୟାଳୟସ୍ତରରେ ଅଭିଭାବକ-ଶିକ୍ଷକ ମାନଙ୍କ ବୈଠକରେ ସାଇବର ଅପରାଧ ପ୍ରତି ସଚେତନ ରହିବାକୁ ମଧ୍ୟ ଆଲୋଚନା ହେବ। ଅର୍ଥ ନେଣଦେଣ ପୂର୍ବରୁ ସତ୍ୟତା ଯାଞ୍ଚ କରିବା, ଅଜଣା ବ୍ୟକ୍ତିଙ୍କ ସହ ଅନାବଶ୍ୟକ ବନ୍ଧୁତା ରକ୍ଷା ନ କରିବା, ଅଜଣା ଏସ୍‌ଏମ୍‌ଏସ୍‌ ଲିଙ୍କ୍ କିମ୍ବା ସନ୍ଦେହଜନକ ଆପ୍ ଡାଉନଲୋଡ୍‌ ନ କରିବା ଉପରେ ସଚେତନତା ସୃଷ୍ଟି କରିବା ଉପରେ ଆଲୋଚନା କରାଯାଇଛି।

ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ମଧ୍ୟ ଅଭିଯାନ ଜାରି ରହିବ। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ନିୟମିତ ଭାବେ ସାଇବର ଅପରାଧ ନିୟନ୍ତ୍ରଣ ଜନିତ ବାର୍ତ୍ତା ପ୍ରଦାନ କରାଯିବ। ବିଭିନ୍ନ ଆଲୋଚନା ଚକ୍ରର ମଧ୍ୟ ଆୟୋଜନ କରାଯିବ। ଏପରିକି ‘ସଚେତନ ରହିବା ଓ ସୁରକ୍ଷିତ ରହିବା-ସାଇବର ଅପରାଧ ମୁକ୍ତ ଓଡ଼ିଶା’ ଉପରେ ଗଣଦୌଡ଼, ସାଇକ୍ଲୋଥନ, ଶୋଭାଯାତ୍ରା, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକ୍ତୃତା, ପ୍ରବନ୍ଧ ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଭଳି ଅଭିଯାନ ଆରମ୍ଭ କରିବାରେ ଓଡ଼ିଶା ହେଉଛି ଦେଶରେ ପ୍ରଥମ ରାଜ୍ୟ। ଦେଶରେ ୨୦୨୧ ମସିହାରେ ୫୨ ହଜାର ୯୭୫ ମାମଲା ପଞ୍ଜୀକୃତ ହୋଇଥିଲା। ଯାହାକି ପୂର୍ବ ବର୍ଷ ତୁଳନାରେ ୫.୯ ପ୍ରତିଶତ ଅଧିକ। ଓଡ଼ିଶାରେ ୨୦୧୯ ମସିହାରେ ୧୪୮୫, ୨୦୨୦ରେ ୧୯୩୧ ଓ ୨୦୨୧ରେ ୨୦୩୭ଟି ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ସାଇବର ହେଲ୍‌ପ ଡେସ୍କ ମାଧ୍ୟମରେ ରାଜ୍ୟରେ ୨୦୨୧ ମସିହାରେ ୩୪୦୨ଟି ପିଟିସନ ଓ ୨୦୨୨ ମସିହାରେ ୭୭୦୦ଟି ପିଟିସନ ଗ୍ରହଣ କରାଯାଇଛି।

ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂହ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା, ଡିଜିପି ସୁନିଲ ବଂଶଲ, ମିସନ ଶକ୍ତି ବିଭାଗ ଶାସନ ସଚିବ ସୁଜାତା କାର୍ତ୍ତିକେୟନ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ୱଥି ଏସ୍, ମହିଳା ଓ ଶିଶୁ ବିକାଶ ନିର୍ଦେଶକ ଅରବିନ୍ଦ ଅଗ୍ରଓ୍ୱାଲ, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଓ ସି.ବି ସଫିନ୍ ଅହମ୍ମଦ କେ. ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର