୨୦୨୧ ବର୍ଷ ଶେଷ, ହାଇକୋର୍ଟରେ ୧ ଲକ୍ଷ ୯୫ ହଜାର ବିଚାରାଧୀନ ମାମଲା

କଟକ : ୨୦୨୧ ବର୍ଷ ଶେଷ ହୋଇଥିବା ବେଳେ ଏବେ ହାଇକୋର୍ଟରେ ମାମଲା ସଂଖ‌ା ବୃଦ୍ଧି ପାଇ ୧ ଲକ୍ଷ ୯୫ ହଜାର ଟପିଛି। ନାସନାଲ ଜୁଡିସିଆଲ ଡାଟା ଗ୍ରିଡ୍ (ଏନ୍‌ଜେଡିଜେ) ୱେବସାଇଟ୍‌ରେ ଉପଲବ୍‌ଧ ତଥ୍ୟ ଅନୁସାରେ ୨୦୨୧ ଡିସେମ୍ବର ୩୧ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ମୋଟ ବିଚାରାଧୀନ ମାମଲା ସଂଖ୍ୟା ୧ ଲକ୍ଷ ୯୫ ହଜାର ୧୬୧ ହୋଇଥିବା ବେଳେ ଏଥି ମଧ୍ୟରେ ୧୪୨୮୨୧ ସିଭିଲ କେସ୍ ଓ ୫୨୩୪୦ କ୍ରିମିନାଲ କେସ୍ ଅନ୍ତର୍ଭୁକ୍ତ।

କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ୨୦୨୦, ମାର୍ଚ୍ଚ ମାସରୁ ବିଭିନ୍ନ ସମୟରେ ସ୍ବାଭାବିକ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଥିବାବେଳେ ଓଡ଼ିଶା ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍) ଉଚ୍ଛେଦ ପରେ ଏଠାରେ ବିଚାରାଧୀନ ଥିବା ମାମଲା ଗୁଡିକ ଶୁଣାଣି ପାଇଁ ହାଇକୋର୍ଟକୁ ସ୍ଥାନାନ୍ତର ହୋଇଆସୁଛି। ଏଥିସହିତ ପୂର୍ବରୁ ସ୍ୟାଟ୍‌ରେ ସିଧାସଳଖ ଦାଖଲ କରାଯାଉଥିବା ମାମଲା ଗୁଡିକ ଏବେ ହାଇକୋର୍ଟରେ ଦାୟର କରାଯାଉଛି। ଫଳରେ ହାଇକୋର୍ଟରେ ମାମଲା ସଂଖ୍ୟା ବୃଦ୍ଧି ପାଇଛି। କିନ୍ତୁ ଏବେ ବି ୯ଟି ବିଚାରପତି ପଦ ଖାଲି ପଡିଛି। ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ୨୭ ହୋଇଥିବା ବେଳେ ଏବେ ମୁଖ୍ୟ ବିଚାରପତିଙ୍କ ସମେତ ୧୮ଜଣ ବିଚାରପତି ରହିଛନ୍ତି। ହାଇକୋର୍ଟ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ୨୦୧୯, ଡିସେମ୍ବର ୩୧ ତାରିଖରେ ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ୧ ଲକ୍ଷ ୫୦ ହଜାର ୬୩୭ ଥିବା ବେଳେ ୨୦୨୦, ଡିସେମ୍ବର ୩୧‌ ତାରିଖରେ ଏହି ସଂଖ୍ୟା ଥିଲା ୧ ଲକ୍ଷ ୭୨ ହଜାର ୮୯୫ ଥିଲା। ଏବେ ୨୦୨୧ ବର୍ଷ ଶେଷରେ ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ୧ ଲକ୍ଷ ୯୫ ହଜାର ୧୬୧ରେ ପହଞ୍ଚିଛି ବୋଲି ଏନଜେଡିଜେ ୱେବସାଇଟରେ ଉପଲବ୍ଧ ତଥ୍ୟରୁ ସ୍ପଷ୍ଟ ହୋଇଛି। ୩୦ ବର୍ଷ ବା ତାଠାରୁ ପରୁଣା ମାତ୍ର ୨୫ଟି କ୍ରିମିନାଲ କେସ୍ ଓ ୮୧୦ଟି ସିଭିଲ କେସ୍ ହାଇକୋର୍ଟରେ ଏବେ ବିଚାରାଧୀନ ରହିଛି। ସେହିଭଳି ୨୦ରୁ ୩୦ ବର୍ଷ ପୁରୁଣା ୪ ହଜାର ୨୫୧ଟି ମାମଲା ହାଇକୋର୍ଟରେ ଏବେ ବିଚାରାଧୀନ ଥିବାବେଳେ ତା ମଧ୍ୟରେ ୩,୨୨୨ଟି ସିଭିଲ କେସ୍, ୧,୦୨୯ଟି କ୍ରିମିନାଲ କେସ୍ ଅନ୍ତର୍ଭୁକ୍ତ। ୧୦ରୁ ୨୦ ବର୍ଷ ପୁରୁଣା ୨୫,୯୭୦, ୫ରୁ ୧୦ ବର୍ଷ ପୁରୁଣା ୪୨,୪୪୧ଟି, ୩ରୁ ୫ ବର୍ଷ ପୁରୁଣା ୨୫,୬୬୭ଟି, ୧ ବର୍ଷରୁ ୩ ବର୍ଷ ପୁରୁଣା ୨୬,୫୩୯ଟି ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି। ୧ ବର୍ଷ ଭିତର ବର୍ଗରେ ୬୯ ହଜାର ୪୪୮ ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି। ବରିଷ୍ଠ ନାଗରିକଙ୍କ ଦ୍ବାରା ଦାୟର ୨୩୭୮୨ ଓ ମହିଳାମାନଙ୍କ ଦ୍ବାରା ଦାୟର ୧୪୦୮୭ ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି ବୋଲି ଏନଜେଡିଜେ ତଥ୍ୟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର