ମିଳୁନି ଜମିପଟ୍ଟା : ଉଚ୍ଚଶିକ୍ଷା, ଚାକିରିରୁ ବଞ୍ଚିତ ଛାତ୍ରଛାତ୍ରୀ

ଚାନ୍ଦବାଲି : ୧୯୭୧ ମସିହା ମହାବାତ୍ୟାରେ ଚାନ୍ଦବାଲିରେ ଅନେକ ଗାଁ ନଦୀ ମଧ୍ୟକୁ ଚାଲି ଯାଇ ନିଶ୍ଚିହ୍ନ ହୋଇ ଯାଇଥିଲା। ଘରଦ୍ବାର, ଜମି ଓ ଧନସମ୍ପତ୍ତି ସବୁକିଛି ହରାଇଥିଲେ। ବିଚ୍ଛିନ୍ନ ହୋଇ ଯାଇଥିଲେ ଅନେକ ପରିବାର। ଅନେକଙ୍କୁ ଉଦ୍ଧାର କରି ସରକାର ଥଇଥାନ କରି ଗାନ୍ଧୀନଗର ଭାବେ ନୂଆ ଗାଁ କଲେ। କିନ୍ତୁ ଥଇଥାନର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ମିଳିପାରିନାହିଁ ଜମିପଟ୍ଟା। ପଟ୍ଟା ପାଇବାକୁ ୪୮ ବର୍ଷ ଧରି ଚାଲିଛି ଲଢ଼େଇ। ସରକାର, ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ବି ଫେଲ୍ ମାରିଛି। ଏବେ ବି ଦୁଃଖଦ ଜୀବନ କାଟୁଛନ୍ତି ଗାନ୍ଧୀନଗର ଗ୍ରାମବାସୀ। ମହାବାତ୍ୟାରେ ଚାନ୍ଦବାଲି ଅଞ୍ଚଳକୁ ବଡ଼ବଡ଼ ଜୁଆର ମାଡ଼ିଗଲା। ଭାଙ୍ଗିଗଲା ହଜାର ହଜାର ଘର, ଚାଲିଗଲା ଶହ ଶହ ଜୀବନ। କେବଳ ଚାନ୍ଦବାଲି ତହସିଲ ଅଞ୍ଚଳରୁ ୨ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିଲା। କନ୍ଧା, ଘିକୋଇଲି, ବଡ଼ ହରିପୁର, ସାନ ହରିପୁର ଆଦି ନଦୀକୂଳିଆ ଗାଁର ୬୦ ଦଳିତ ପରିବାରଙ୍କୁ ଉଦ୍ଧାର କରି ଚାନ୍ଦବାଲି ସହର ଉପକଣ୍ଠ ବାଲିଗାଁ ପଞ୍ଚାୟତ ଅଧୀନ ସରକାରୀ ଜମିରେ ଥଇଥାନ କରାଯାଇଥିଲା। ସେତେବେଳେ ସରକାର ଥଇଥାନ ହୋଇଥିବା ଲୋକମାନଙ୍କ ମୌଳିକ ସୁବିଧା ଦିଗରେ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନେଇନଥିଲେ। ଭୂମିହୀନମାନଙ୍କୁ ଘରଡ଼ିହ ପଟ୍ଟା ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ସରକାରୀ କାଗଜପତ୍ର ପ୍ରସ୍ତୁତ କରି ଚାନ୍ଦବାଲିର ସମାଜସେବୀ ସଂଗ୍ରାମ କେଶରୀ ରାଉତ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଜିଲ୍ଲାପାଳ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଇଛି।

ସମ୍ବନ୍ଧିତ ଖବର