୧୯୭୧, ଭାରତ-ପାକ୍‌ ଯୁଦ୍ଧ। ସେହି ଐତିହାସିକ ଯୁଦ୍ଧ ଥିଲା ଯେତିକି ଲୋମହର୍ଷକ, ସେତିକି ଗୌରବବର୍ଦ୍ଧକ ଥିଲା ଦେଶ ପାଇଁ। ଯୁଦ୍ଧରେ ଦେଶର ଜଳ, ସ୍ଥଳ ଓ ବାୟୁ ସେନା ସାମିଲ ହୋଇଥିଲେ। ପାକିସ୍ତାନଠାରୁ ଅଲଗା ହୋଇ ସ୍ବତନ୍ତ୍ର ବାଙ୍ଗଲାଦେଶ ଗଠନ ହୋଇଥିଲା। ପାକିସ୍ତାନର ୯୩ ହଜାର ସୈନିକଙ୍କୁ ଭାରତ ଯୁଦ୍ଧ ବନ୍ଦୀ କରିଥିଲା। ପାକିସ୍ତାନ କେବଳ ଲଜ୍ଜାଜନକ ପରାଜୟବରଣ କରି ନଥିଲା, ଯୁଦ୍ଧରେ ପରାଜୟ ସ୍ବୀକାର କରି ଭାରତ ନିକଟରେ ଲିଖିତ ଆତ୍ମସମର୍ପଣ ‘ଇନଷ୍ଟ୍ରୁମେଣ୍ଟାଲ ସରେଣ୍ଡର୍’ କରିଥିଲା। ପରବର୍ତ୍ତୀ ସମୟରେ ସମଗ୍ର ବିଶ୍ୱରେ ବି କେବେ ଏତେ ବଡ଼ ‘ଇନଷ୍ଟ୍ରୁମେଣ୍ଟାଲ ସରେଣ୍ଡର୍’ ହୋଇନାହିଁ। ୧୯୭୧ ଯୁଦ୍ଧ ବିଜୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରୁଛି ଦେଶ। କିନ୍ତୁ ସେହି ଐତିହାସିକ ଯୁଦ୍ଧରେ ଦେଶ ପାଇଁ ଲଢ଼ି ଦେଶବାସୀଙ୍କୁ ବିଜୟ ଭେଟି ଦେଇଥିବା ବୀର ଯବାନଙ୍କୁ ସମ୍ମାନ ଜଣାଇବା ଏବଂ ଯୁଦ୍ଧ ଲଢିଥିବା କିଛି ଓଡ଼ିଆ ବୀର ଯବାନଙ୍କ ସ୍ମୃତିଅନୁଭୂତିକୁ ପାଠକ ମାନଙ୍କ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ‘ସମ୍ବାଦ’ର ଏହି ସ୍ୱତନ୍ତ୍ର ପ୍ରୟାସ.... ‘ତୁଝେ ସଲାମ୍’

Advertisment

publive-image ସେନା ଅଧିକାରୀ ଏ. ପୁରୁଷୋତ୍ତମ (ଅବସରପ୍ରାପ୍ତ)

ଗୋପାଳପୁର: ଭାରତୀୟ ସେନା ବାହିନୀର ଅଂଶବିଶେଷ ହୋଇ ଦେଶମାତୃକା ପାଇଁ ଜୀବନକୁ ବାଜିରେ ଲଗାଇବାର ଅପୂର୍ବ ସୁଯୋଗ ମିଳିଥିଲା ୧୯୭୧ ମସିହାର ପାକିସ୍ତାନ ବିପକ୍ଷ ଯୁଦ୍ଧରେ। ଯୁଦ୍ଧକ୍ଷେତ୍ରରେ ଅସ୍ତ୍ର ଧରି ଲଢ଼ିବା ପରିବର୍ତ୍ତେ ମିଳିଥିଲା ସ୍ବତନ୍ତ୍ର ଦାୟିତ୍ବ। ଯେଉଁ ସୈନିକ ଆହତ ହୋଇ ଯାଉଥିଲେ, ସେମାନଙ୍କୁ ଆମ ୟୁନିଟ୍‌ର ଯବାନ୍‌ମାନେ ଯୁଦ୍ଧ କ୍ଷେତ୍ରରୁ ଉଦ୍ଧାର କରି ଆଣୁଥିଲେ। ମୁଁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଉଥିଲି। ଆହତ ସୈନିକଙ୍କୁ ଅଧିକ ଚିକିତ୍ସା ପାଇଁ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଉଥିଲା। ଯେଭଳି ଗୁରୁତର ଅବସ୍ଥାରେ ସୈନିକଙ୍କୁ ଅଣାଯାଉଥିଲା, ସେମାନଙ୍କୁ ଦେଖି ମନ ଆନ୍ଦୋଳିତ ହୋଇ ଉଠୁଥିଲା। କିନ୍ତୁ ନିଜ ଭାବାବେଗକୁ ନିୟନ୍ତ୍ରଣ କରି ଛାତିକୁ ପଥର କରି କର୍ତ୍ତବ୍ୟ ପାଳନ କରିବା ବଡ଼ ଚ୍ୟାଲେଞ୍ଜ ଥିଲା। ଆମର ବୀର ଯବାନ୍‌ମାନେ ଅପୂର୍ବ ସାହାସିକତାର ସହ ଲଢ଼ି ମାତ୍ର ୧୩ଦିନରେ ଯୁଦ୍ଧ ଜିତିଥିଲେ। ପାକିସ୍ଥାନ ସେନା ପ୍ରମୁଖ ଜେନେରାଲ୍ ଅମିର୍ ଅବ୍‌ଦୁଲ୍ଲା ଖାନ୍ ନିୟାଜୀଙ୍କ ସମେତ ୯୩ହଜାର ପାକିସ୍ତାନୀ ସୈନିକ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲେ। ଏପରିକି ପାକିସ୍ତାନର ପ୍ରାୟ ୧୫ହଜାର ବର୍ଗ କିମି ଅଂଚଳକୁ ସେନା ଅକ୍ତିଆର କରି ନେଇଥିଲା। ବାଂଗାଲାଦେଶ ସ୍ବାଧୀନ ହୋଇଥିଲା। ସେହି ବିଶେଷ ମୁହୂର୍ତ୍ତ ଆଜି ବି ସତେଜ ରହିଛି‌। ଏଭଳି ଭାବେ ନିଜର ଯୁଦ୍ଧ ଅନୁଭୂତିକୁ ପ୍ରକାଶ କରିଛନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ ଏ. ପୁରୁଷୋତ୍ତମ।

ଏ. ପୁରୁଷୋତ୍ତମଙ୍କ ଘର ଗୋପାଳପୁର ବ୍ଲକ୍ ଗୋଳାବନ୍ଧରେ। ସେ ୧୯୬୯ମସିହା ସେପ୍ଟେମ୍ବର ୧୩ରେ ଭାରତୀୟ ସେନାରେ ଯୋଗ ଦେଇ ଲକ୍ଷ୍ନୌର ଏଏମ୍‌ସି ସେଣ୍ଟର୍‌ରେ ଯୋଗ ଦେଇଥିଲେ। ତାଲିମ ସରିବା ପରେ ୪୦୭ ମେଡ଼ିକାଲ ବାଟାଲିୟନ୍‌ରେ ଯୋଗ ଦେଇଥିଲେ। ୧୯୭୧ ମସିହା ମେ ମାସରେ ଅମୃତସରର କେମିକାରନ୍ ସେକ୍ଟର୍‌ରେ ତାଙ୍କ ୟୁନିଟ୍ ସହ ଯାଇଥିଲେ। ସେଠାରେ ସେ ଷ୍ଟୋର୍‌ କିପର୍ ଦାୟିତ୍ବରେ ଥିବା ବେଳେ ପାକିସ୍ତାନ ବିପକ୍ଷରେ ଯୁଦ୍ଧକୁ ଯିବା ପାଇଁ ଖବର ପହଁଚିଥିଲା। ୟୁନିଟ୍‌ର ପ୍ରାୟ ୪ଶହ ଯବାନ୍‌ଙ୍କ ସହ ସେ ଅମୃତସରର ପାଟିବୋଲି ଠାରେ ପହଁଚିଥିଲେ। ସେଠାରେ ଏକ ଆଇଟିଆଇ ସ୍କୁଲ ପାଖରେ କ୍ୟାମ୍ପ କରି ରହିଥିଲେ। ଯୁଦ୍ଧକ୍ଷେତ୍ରରୁ ଆହତ ସୈନିକଙ୍କୁ ଆଣି ଆଶୁ ଚିକିତ୍ସା କରିବା ପରେ ଫିଲ୍ଡ ହସ୍ପିଟାଲ୍‌କୁ ପଠାଇବା ଦାୟିତ୍ବ ତାଙ୍କ ୟୁନିଟ୍‌ର ଥିଲା। ସେତେବେଳେ ତାଙ୍କର କମାଣ୍ଡିଂଙ୍ଗ ଅଫିସର ଥିଲେ ଲେପ୍ଟନାଣ୍ଟ କର୍ଣ୍ଣେଲ୍ ଡି.ପି. ଘୋଷ। ଏହି ଯୁଦ୍ଧ ୧୯୭୧ ମସିହା ୩ ଡିସେମ୍ବରରେ ପାକିସ୍ଥାନ ବୋମାମାଡ଼ କରି ଆରମ୍ଭ କରିଥିବା ବେଳେ ୧୬ ଡିସେମ୍ବରରେ ସେମାନଙ୍କ ଆତ୍ମ ସମର୍ପଣ ସହ ଶେଷ ହୋଇଥିଲା। ପଞ୍ଜାବର ପଠାନକୋଟ୍ ୧୬୭ ମିଲିଟାରି ହସ୍ପିଟାଲ ମୋର ଶେଷ ୟୁନିଟ୍ ଥିଲା। ସେଠାରୁ ମୁଁ କ୍ୟାପଟେନ୍ ଭାବେ ଅବସର ନେଇଥିଲି ବୋଲି ପୁରୁଷୋତ୍ତମ କହିଛନ୍ତି।

ପ୍ରସ୍ତୁତି: ଅନୀଲ କୁମାର ପଟ୍ଟନାୟକ