ତୁଝେ ସଲାମ୍‌: ‘ପିଏନ୍‌ଏସ୍‌ ଘାଜିକୁ ସମୁଦ୍ରରେ ୪୦ ଫୁଟ୍‌ ତଳେ ଧ୍ବଂସ କରିଥିଲୁ’

୧୯୭୧ ମସିହା ଯୁଦ୍ଧ ବିଜୟର ୫୦ବର୍ଷ ପୂର୍ତ୍ତି ଅବସରରେ ସ୍ବତନ୍ତ୍ର ଉତ୍ସବ ଆୟୋଜନ କରୁଛି ଦେଶ। ସେହି ଐତିହାସିକ ଯୁଦ୍ଧ ଯେତିକି ଲୋମହର୍ଷକ, ସେତିକି ଗୌରବବର୍ଦ୍ଧକ ଥିଲା ଦେଶପାଇଁ। ଯୁଦ୍ଧରେ ଜଳ, ସ୍ଥଳ ଓ ବାୟୁ ସେନା ସାମିଲ୍‌ ହୋଇଥିଲେ। ଫଳସ୍ବରୂପ, ପାକିସ୍ତାନଠାରୁ ଅଲଗା ହୋଇ ସ୍ବତନ୍ତ୍ର ବାଂଲାଦେଶ ଗଠନ ହୋଇଥିଲା। ସେହି ଯୁଦ୍ଧରେ ଲଢ଼ି ଦେଶ ପାଇଁ ବିଜୟର ଭେଟି ଦେଇଥିବା ବୀର ଯବାନଙ୍କୁ ସମ୍ମାନ ଜଣାଇବା ‘ସମ୍ବାଦ’ ପକ୍ଷରୁ ଏକ ସ୍ବତନ୍ତ୍ର ପ୍ରୟାସ… ‘ତୁଝେ ସଲାମ୍‌।’ ଯୁଦ୍ଧ ସମୟରେ ସେମାନେ କିଭଳି ବୀରତ୍ବର ସହିତ ଲଢ଼ିଥିଲେ, ଆଜି ତାହାର ସ୍ମୃତି ରୋମନ୍ଥନ କରୁଛନ୍ତି ବୀର ଯବାନ। ଏହି କ୍ରମରେ ଅବସରପ୍ରାପ୍ତ ଭାଇସ୍‌ ଆଡମିରାଲ୍‌ ଶ୍ରୀହରିଲାଲ୍‌ ଶର୍ମା, ପିଭିଏସ୍‌ଏମ୍‌ (ପୂର୍ବତନ କମାଣ୍ଡର୍‌ ଇନ୍‌ ଚିଫ୍‌, ଇଷ୍ଟର୍ଣ୍ଣ ନାଭାଲ୍‌ କମାଣ୍ଡ୍‌) ଯାହା କୁହନ୍ତି…

‘୧୯୩୬ ମସିହାରେ ମାତ୍ର ୧୪ ବର୍ଷ ବୟସରେ ମୁଁ ‘ଆଇଏମ୍‌ଏମ୍‌ଟିଏସ୍‌ (ଇଣ୍ଡିଆନ୍‌ ମର୍ଚ୍ଚାଣ୍ଟାଇଲ୍‌ ମେରାଇନ୍‌ ଟ୍ରେନିଂ ସିପ୍‌) ତଫରିନ୍‌ରେ ଯୋଗ ଦେଇଥିଲି। ୩ ବର୍ଷର ଟ୍ରେନିଂରେ ମୁଁ ବେଷ୍ଟ ଅଲ୍‌ରାଉଣ୍ଡ୍‌ କ୍ୟାଡେଟ୍‌ ଭାବେ ଭାଇସ୍‌ରାୟଙ୍କ ସ୍ବର୍ଣ୍ଣ ପଦକ ପାଇଲି। ୧୯୪୨ରେ ରୟାଲ ଇଣ୍ଡିଆନ୍‌ ରିଜର୍ଭରେ ଓ ପରେ କମିସନ୍‌ ପାଇ ଏଚ୍‌ଏମ୍‌ଆଇଏସ୍‌ ରୁକ୍ମବତୀରେ ଯୋଗ ଦେଲି। ଦ୍ବିତୀୟ ବିଶ୍ବଯୁଦ୍ଧର ଶେଷ ୩ ବର୍ଷ, ବର୍ମା ଓ ମାଲେସିଆରେ ଯୁଦ୍ଧକୁ ମୁଁ ଖୁବ୍‌ ନିକଟରୁ ଦେଖିଛି। ମୋ ଠାରୁ ୫୬ ଜଣ ସିନିୟର ଅଫିସରଙ୍କୁ ପଛରେ ପକାଇ ମୁଁ ପ୍ରଥମେ କମାଣ୍ଡର୍‌ ଓ ୧୨ ଜଣଙ୍କୁ ପଛରେ ପକାଇ କ୍ୟାପ୍‌ଟେନ୍‌ ପଦବିକୁ ପଦୋନ୍ନତି ପାଇଥିଲି।

ମୁଁ କ୍ୟାପଟେନ୍‌ ଥିବାବେଳେ ନୌସେନାର ଅନ୍ୟତମ ଫ୍ରିଗେଟ୍‌ ଶ୍ରେଣୀ ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ ବ୍ରହ୍ମପୁତ୍ର ସେତେବେଳେ ଅକାମୀ ହୋଇ ବମ୍ବେ ଡକୟାର୍ଡରେ ପଡ଼ିଥାଏ। ମୋତେ ତାର କମାଣ୍ଡିଂ ଅଫିସର୍‌ କରି ପଠାଗଲା। ରିସ୍କ୍‌ ନେଇ ମୁଁ ତାକୁ ମରାମତି କରାଇଲି ଓ ଡକୟାର୍ଡ‌ରୁ ପାଣିକୁ ଓହ୍ଲାଇ ଟ୍ରାଏଲ୍‌ ନେବାର ସାହସ କରିଥିଲି। ସଫଳତା ବି ପାଇଥିଲି। ନେଭିକୁ ତା ଆଇଏନ୍‌ଏସ୍‌ ବ୍ରହ୍ମପୁତ୍ର ପୁଣି କାର୍ଯ୍ୟକ୍ଷମ କରି ଫେରାଇ ଦେବାପରେ ସେତେବେଳେ ବ୍ରହ୍ମପୁତ୍ରକୁ ନେଇ ଏକ ଟ୍ୟାଗ୍‌ ଲାଇନ୍‌ ‘ଫ୍ରମ୍‌ ବେସିନ୍‌ପୁତ୍ର ଟୁ ଓସେନ୍‌ପୁତ୍ର’ ବେଶ୍ ଚର୍ଚ୍ଚାକୁ ଆସିଥିଲା। ମୋ ଉପହାର ‘ବ୍ରହ୍ମପୁତ୍ର’ ବର୍ଷ ବର୍ଷ ଧରି ଆରବ ସାଗରରେ କରାମତି ଦେଖାଇଥିଲା ଓ ମୋତେ ରିୟର୍‌ ଆଡମିରାଲ୍‌ ପଦବିରେ ପହଞ୍ଚାଇବା‌ରେ ବେଶ୍‌ ସହାୟ ହୋଇଥିଲା।

୧୯୭୦ ମସିହା ବେଳକୁ ପାକିସ୍ତାନ ସହ ଆମର ଯୁଦ୍ଧ ପରିସ୍ଥିତି ଆରମ୍ଭ ହୋଇଯାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ୧୯୭୧ ମସିହା ଜୁନ-ଜୁଲାଇ ମାସରେ ପାକିସ୍ତାନ ବିରୋଧରେ ଯୁଦ୍ଧ ଚାହୁଁଥିଲେ ବି ସେନାବାହିନୀ ସରକାରଙ୍କ ଠାରୁ ଅଧିକ ୬ ମାସ ସମୟ ମାଗିଥିଲା। ଏହି ସମୟ ଭିତରେ ସେନାବାହିନୀର ତିନି ଶାଖା(ଜଳ, ସ୍ଥଳ ଓ ଆକାଶ) ନିଜ ନିଜର ପ୍ରସ୍ତୁତି ଜୋର୍‌ଦାର୍‌ କରିଦେଲେ। ଭାରତୀୟ ନୌସେନାର ସେତେବେଳେ କେବଳ ଗୋଟିଏ ଫ୍ଲିଟ୍‌(ନୌଭେଳା) ‘ୱେଷ୍ଟର୍ଣ୍ଣ ଫ୍ଲିଟ୍‌’ ବମ୍ବେରେ ଥାଏ। ପୂର୍ବତଟରେ ନୌଭେଳା(ସବୁବର୍ଗର ଜାହାଜକୁ ଏକତ୍ର କରି ଗଢ଼ାଯାଇଥିବା ଟିମ୍‌) ‘ଇଷ୍ଟର୍ଣ୍ଣ ଫ୍ଲିଟ୍‌’ ନଥିବାରୁ ପାକିସ୍ତାନ ଓ ପୂର୍ବ ପାକିସ୍ତାନକୁ ଏକାବେଳେ ସମୁଦ୍ରରେ ସାମ୍ନା କରିବା କଷ୍ଟକର ବ୍ୟାପାର ଥିଲା। ତେଣୁ ତତ୍କାଳୀନ ନୌସେନା ମୁଖ୍ୟ ଆଡମିରାଲ୍‌ ଏସ୍‌.ଏମ୍‌. ନନ୍ଦା ମୋତେ ଡକାଇ ଏ ସମ୍ପର୍କରେ ମନ୍ତ୍ରଣା କରିଥିଲେ। ମୋର ପୂର୍ବ ସଫଳତାଗୁଡ଼ିକୁ ଦୃଷ୍ଟିରେ ରଖି ସେ ମୋତେ ନିର୍ଦ୍ଦେଶ ଦେଇଥିଲେ ବିଶାଖାପାଟଣା ଯାଇ ଗୋପନରେ ‘ଇଷ୍ଟର୍ଣ୍ଣ ଫ୍ଲିଟ୍‌ ତିଆରି କରି ସମରାଭ୍ୟାସ ଆରମ୍ଭ କରିବାକୁ ଓ ମାତ୍ର ୩/୪ ମାସ ଭିତରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ। କେଇଦିନ ଭିତରେ ମୁଁ ପୂର୍ବ ଉପକୂଳର ସମସ୍ତ ଜାହାଜକୁ ଏକାଠି କରି ‘ଇଷ୍ଟର୍ଣ୍ଣ ଫ୍ଲିଟ୍‌’ ଗଢ଼ିଲି ଓ ପ୍ରଥମ ଫ୍ଲିଟ୍‌ କମାଣ୍ଡର୍‌ ଭାବେ ଦାୟିତ୍ବ ନେଇ ସମରାଭ୍ୟାସ ଆରମ୍ଭ କରିଦେଲି।

ସେତେବେଳେ ପାକିସ୍ତାନ ପାଇଁ ସବୁଠାରୁ ବଡ଼ ଭୟ ଥିଲା ଭାରତୀୟ ନୌସେନାର ‘ଏୟାରକ୍ରାଫ୍ଟ କ୍ୟାରିଅର୍‌’ (ବିମାନବାହୀ ଜାହାଜ) ଆଇଏନ୍‌ଏସ୍‌ ବିକ୍ରାନ୍ତ। ବମ୍ବେ ନାଭାଲ୍‌ ଡକ୍‌ରେ ରହୁଥିବା ବିକ୍ରାନ୍ତକୁ ସେତେବେଳେ ଯୁଦ୍ଧର ଆବଶ୍ୟକତାକୁ ଦେଖି ନୌବାହିନୀ ବିଶାଖାପାଟଣା ଉପକୂଳକୁ ପଠାଇ ଦେଇଥିଲା। ଏ ଖବର ପାକିସ୍ତାନ ପାଖରେ ପହଞ୍ଚି ଯାଇଥିଲା। ବିକ୍ରାନ୍ତକୁ ନଷ୍ଟ କରିଦେଲେ ଭାରତୀୟ ନୌସେନାର ମେରୁଦଣ୍ଡ ଭାଙ୍ଗି ଦେଇ ହେବ ବୋଲି ପାକିସ୍ତାନ ଜାଣିଥିଲା। ତେଣୁ ସେତେବେଳେ ପାକିସ୍ତାନ ନିଜର ସବୁଠାରୁ ଶକ୍ତିଶାଳୀ ସବ୍‌ମେରାଇନ୍‌(ବୁଡ଼ାଜାହାଜ) ପିଏନ୍‌ଏସ୍‌ ଘାଜିକୁ ବିକ୍ରାନ୍ତ ପଛରେ ଲଗାଇଥିଲା। ଘାଜି ପାକିସ୍ତାନରୁ ବାହାରି ବିକ୍ରାନ୍ତକୁ ଖୋଜି ଖୋଜି କୋଚିନ୍‌, ମାଡ୍ରାସ୍‌ ବନ୍ଦରରେ ନପାଇ ପାଣି ତଳେ ତଳେ ବିଶାଖାପାଟଣା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ନାଭାଲ୍‌ ଡକ୍‌ର ପ୍ରବେଶପଥରେ ପ୍ରାୟ ୪୦ ଫୁଟ୍‌ ପାଣି ତଳେ ଲୁଚିକି ରହିଥିଲା, ବିକ୍ରାନ୍ତ ବାହାରିଲେ ଆକ୍ରମଣ କରିବ ବୋଲି। ଡିସେମ୍ବର ୪ ତାରିଖ ରାତିରେ ଆଇଏନ୍‌ଏସ୍‌ ରାଜପୁତ୍‌ ବିଶାଖାପାଟଣା ଡକ୍‌ରୁ ଯୁଦ୍ଧ ପାଇଁ ବାହାରିଥିଲା। ଡକ୍‌ୟାର୍ଡରୁ ବାହାରିବା ବେଳେ ରାଜପୁତ୍‌ର ରାଡାର୍‌ରେ ମାତ୍ର ଗୋଟିଏ ମାଇଲ୍‌ ଦୂରରେ ପାଣି ତଳେ ଲୁଚି ରହିଥିବା ଘାଜି ଦିଶିଥିଲା। ଘାଜିକୁ ଦେଖି ସନ୍ଦେହ ହେବାରୁ ତା ସମ୍ପର୍କରେ ଜାଣିବା ପାଇଁ ରାଜପୁତ୍‌ ତା ପାଖକୁ ‘ମେସେଜ୍‌ ପଠାଇଥିଲା। ଯୁଦ୍ଧବେଳେ ପ୍ରତିଦିନ ଆମର ସ୍ବତନ୍ତ୍ର ‘କୋଡ୍‌’ ବ୍ୟବହାର ହୋଇଥାଏ। ଘାଜି ଆମ ‘କୋଡ୍‌ ଜାଣି ନଥିବାରୁ ରାଜପୁତ୍‌ ପଠାଇଥିବା ‘ମେସେଜ୍‌’ର ଠିକ୍‌ ଉତ୍ତର ଦେଇ ପାରି ନଥିଲା। ଫ୍ଲିଟ୍‌ କମ‌ାଣ୍ଡର୍‌ ଭାବେ ମୋର ସ୍ପଷ୍ଟ ନିର୍ଦ୍ଦେଶ ଥିଲା, ଯେଉଁଠି ସନ୍ଦେହ ହେବ, ଅପେକ୍ଷା ନକରି ତୁରନ୍ତ ଆକ୍ରମଣ କରିଦେବ। ତେଣୁ ରାଜପୁତ୍‌ ତୁରନ୍ତ ପାଣିତଳେ ଲୁଚିଥିବା‌ ଘାଜି ଉଦ୍ଦେଶ୍ୟରେ ଦୁଇଟି ‘ଡେପ୍‌ଥ’ ଚାର୍ଜ‌୍ ମାରିଥିଲା। ତାହା ଘାଜିକୁ ପାଣି ତଳେ ଧ୍ବଂସ କରି ଦେଇଥିଲା ଓ ୯୩ଜଣ ଅଫିସର୍‌/ନୌସୈନିକଙ୍କ ସହ ଘାଜି ପାଣିତଳେ ଶେଷ ହୋଇଯାଇଥିଲା।

ଫ୍ଲିଟ୍‌ କମାଣ୍ଡର୍‌ ଭାବେ ମୋ ନେତୃତ୍ବରେ ଏହି ବିରାଟ ସଫଳତା ମିଳିଥିଲା। ଏହା ପରେ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଥିଲା। ବଙ୍ଗୋପସାଗର ଦେଇ ପୂର୍ବ ପାକିସ୍ତାନକୁ କୌଣସି ସାମଗ୍ରୀ ବା ଯୁଦ୍ଧ ସାହାଯ୍ୟ ପହଞ୍ଚି ନ ପାରିବାର ସମସ୍ତ ବ୍ୟବସ୍ଥା ଆମେ କରିଥିଲୁ, ଯାହାକୁ ସମଗ୍ର ବିଶ୍ବ ସ୍ବୀକାର କରିଥିଲା। ୧୬ ତାରିଖରେ ମୁଁ ବିକ୍ରାନ୍ତରୁ ଗୋଟିଏ ହେଲିକପ୍ଟର ମଗାଇଥିଲି ଚିଟଗଞ୍ଜ୍‌ ବନ୍ଦରକୁ ଯିବା ପାଇଁ। ଚିଟଗଞ୍ଜ୍‌ରେ ପହଞ୍ଚି ସେଠାକାର ପାକିସ୍ତାନ ‘ନାଭାଲ୍‌ ଅଫିସର୍‌-ଇନ୍‌-ଚାର୍ଜ‌’ଙ୍କୁ ହଟାଇ ମୁଁ ମାସଟିଏ ସେଠାକାର ଦାୟିତ୍ବ ନେଇଥିଲି। ଯୁଦ୍ଧରେ ଆମେ ପାକିସ୍ତାନର ୧୫ଟି ଜାହାଜ ଅକ୍ତିଆର କରିଥିଲୁ, ଯାହାକୁ ଯୁଦ୍ଧର କିଛିଦିନ ପରେ ଫେରାଇ ଦିଆଯାଇଥିଲା। ଯୁଦ୍ଧରେ ମୋତେ ମିଳିଥିବା ସଫଳତା ପାଇଁ ମୋତେ ପରବର୍ତ୍ତୀ ସମୟରେ ପରମ ବିଶିଷ୍ଟ ସେବା ମେଡାଲ(ପିଭିଏସ୍‌ଏମ୍‌) ମିଳିଥିଲା। ପରେ ପରେ ମୁଁ ଭାଇସ୍‌ ଆଡମିରାଲ୍‌ ଭାବେ ପଦୋନ୍ନତି ପାଇ ଇଷ୍ଟର୍ଣ୍ଣ ନାଭାଲ୍‌ କମାଣ୍ଡ୍‌ର ଫ୍ଲାଗ୍‌ ଅଫିସର୍‌ କମାଣ୍ଡିଂ-ଇନ୍‌-ଚିଫ୍‌ ଭାବେ ଦାୟିତ୍ବ ତୁଲାଇ ଚାକିରିରୁ ଅବସର ନେଇଥିଲି। ବତ୍ତର୍ମାନ ମୋତେ ୯୯ ବର୍ଷ ପୂରି ୧୦୦ ବର୍ଷ ହେବାକୁ ଯାଉଛି। ହେଲେ ୧୯୭୧ ମସିହା ଯୁଦ୍ଧର ବିଜୟ କଦାପି ଭୁଲି ହେବନାହିଁ।

ପ୍ରସ୍ତୁତି: ସଚ୍ଚିକାନ୍ତ ନାଥ

ସମ୍ବନ୍ଧିତ ଖବର