ତୁଝେ ସଲାମ୍‌: ‘ଅଧଘଣ୍ଟା ଭିତରେ ଭାରତର ୬ ଯୁଦ୍ଧବିମାନ ପ୍ରଳୟ ରଚିଲା’

୧୯୭୧ ମସିହା ଯୁଦ୍ଧ ବିଜୟର ୫୦ବର୍ଷ ପୂର୍ତ୍ତି ଅବସରରେ ସ୍ବତନ୍ତ୍ର ଉତ୍ସବ ଆୟୋଜନ କରୁଛି ଦେଶ। ସେହି ଐତିହାସିକ ଯୁଦ୍ଧ ଯେତିକି ଲୋମହର୍ଷକ, ସେତିକି ଗୌରବବର୍ଦ୍ଧକ ଥିଲା ଦେଶ ପାଇଁ। ଯୁଦ୍ଧରେ ଜଳ, ସ୍ଥଳ ଓ ବାୟୁ ସେନା ସାମିଲ୍‌ ହୋଇଥିଲେ। ଫଳସ୍ବରୂପ, ପାକିସ୍ତାନଠାରୁ ଅଲଗା ହୋଇ ସ୍ବତନ୍ତ୍ର ବାଂଲାଦେଶ ଗଠନ ହୋଇଥିଲା। ସେହି ଯୁଦ୍ଧରେ ଲଢ଼ି ଦେଶ ପାଇଁ ବିଜୟର ଭେଟି ଦେଇଥିବା ବୀର ଯବାନଙ୍କୁ ସମ୍ମାନ ଜଣାଇବା ‘ସମ୍ବାଦ’ ପକ୍ଷରୁ ଏକ ସ୍ବତନ୍ତ୍ର ପ୍ରୟାସ… ‘ତୁଝେ ସଲାମ୍‌।’ ଯୁଦ୍ଧ ସମୟରେ ସେମାନେ କିଭଳି ବୀରତ୍ବର ସହିତ ଲଢ଼ିଥିଲେ, ଆଜି ତାହାର ସ୍ମୃତି ରୋମନ୍ଥନ କରୁଛନ୍ତି ବୀର ଯବାନ। ଏହି କ୍ରମରେ ବାଲେଶ୍ବରର ରାଣୀପାଟଣା ବ୍ୟାଙ୍କ୍‌କଲୋନିରେ ରହୁଥିବା ବାୟୁସେନାର ଅବସରପ୍ରାପ୍ତ କର୍‌ପରୋଲ୍‌ ଗୋପାଳକୃଷ୍ଣ ଦାସ ଯାହା କୁହନ୍ତି……

କର୍‌ପରୋଲ୍‌ ଗୋପାଳକୃଷ୍ଣ ଦାସ
(ଅବସରପ୍ରାପ୍ତ)

‘୧୯୬୫ ମସିହାରେ ମୁଁ ବାୟୁ ସେନା (ସିପିଏଲ୍‌ କର୍‌ପୋରାଲ୍‌, ଆର୍ମରୀ ଡିଭିଜନ୍)ରେ ଯୋଗ ଦେଇଥିଲି। ଯୁଦ୍ଧ ବିମାନରେ ମାରଣାସ୍ତ୍ର ଖଞ୍ଜିବା ଥିଲା ମୋ କାମ। ବାୟୁସେନାରେ ଯୋଗଦେବାର ଠିକ୍ ୬ ବର୍ଷ ପରେ ୧୯୭୧ ମସିହାରେ ପାକିସ୍ତାନ ଦ୍ବିତୀୟଥର ପାଇଁ ଭାରତ ଉପରେ ଆକ୍ରମଣ କଲା। ସେଦିନର ସେହି ଲୋମଟାଙ୍କୁରା ସ୍ମୃତି ମନେପକେଇଲେ ଆଜି ବି ଦେହ ଶୀତେଇ ଉଠେ।

୧୯୭୧ ମସିହା ଡିସେମ୍ବର ୩ ତାରିଖ ରାତି ପ୍ରାୟ ୨ଟା। ଗୁଜୁରାଟ ଜାମନଗର ଏୟାରଫୋର୍ସ ମିଲିଟାରୀ ବେସ୍‌ରେ ଶୁଭିଲା କୋଳାହଳ। ପଡ଼ୋଶୀ ଯବାନ୍‌ଙ୍କ ଡାକରେ ହଠାତ୍‌ ନିଦ ଭାଙ୍ଗିଗଲା। ଜାଣିବାକୁ ପାଇଲି ଜାମନଗର ଏୟାରଫୋର୍ସ ବିମାନଘାଟି ଉପରେ ପାକିସ୍ତାନର ବି-୫୭ ଯୁଦ୍ଧଜାହାଜ ୧୦୦୦ ପାଉଣ୍ଡ ଓଜନର ୩ଟି ବୋମା ନିକ୍ଷେପ କରି ଆକାଶରେ ଘୂରି ବୁଲୁଛି। ସେପଟେ ଏୟାରଗନ୍‌ରୁ ତୁହାକୁତୁହା ଗୁଳିବର୍ଷଣ ବି ଚାଲିଥିଲା। କିଛି ଜାଣି ହେଉନଥିଲା କି ବୁଝି ହେଉନଥିଲା। ପତ୍ନୀ ପାର୍ବତୀ ଓ ୯ ମାସର ଶିଶୁକନ୍ୟାକୁ ଧରି ସାମ୍‌ନାରେ ଖୋଳାଯାଇଥିବା ଟ୍ରେଞ୍ଚ୍‌କୁ ଗଲାବେଳକୁ ସ୍ତ୍ରୀ ଭୟରେ କମ୍ପି ଉଠି ଟ୍ରେଞ୍ଚ୍‌କୁ ଯିବା ଲାଗି ମନାକଲେ। ଫଳରେ କ୍ୱାର୍ଟର ଭିତରେ ଭଗବାନଙ୍କ ଭରସାରେ ରହି ରାତି ପାହିବାକୁ ଅପେକ୍ଷା କଲୁ। ସେହି ସମୟରେ ପୁନା ଏୟାରବେସ୍‌ରୁ ୨ଟି ଭାରତୀୟ ବୋମାବର୍ଷୀ ବି-୫୮ ଯୁଦ୍ଧବିମାନ ବିଧ୍ବଂସକାରୀ ଆରଡିଏକ୍ସ ଓ ଟିଏନ୍‌ଟି ବୋମା ନେଇ ଜାମନଗର ଏୟାରବେସ୍‌ରେ ଅବତରଣ କଲା। ସୂର୍ଯ୍ୟ ଉଦୟ ପୂର୍ବରୁ ଆରମ୍ଭ ହେଲା ଭାରତୀୟ ବାୟୁସେନାର ପ୍ରତିଶୋଧ ପର୍ବ। ଗ୍ରୁପ୍ କ୍ୟାପ୍‌ଟେନ୍‌ ଉଇଲସନ୍‌ଙ୍କ ନେତୃତ୍ବରେ ଅନ୍ୟ ୪ଟି ହଣ୍ଟର ଜେଟ୍ ବିମାନ ଗୋଳାବାରୁଦ ନେଇ ପାକିସ୍ତାନର କରାଚି ଅଭିମୁଖେ ଉଡ଼ାଣ ଭରିଲା। ସହକର୍ମୀ ଯବାନ୍‌ଙ୍କ ସହିତ ଆମେ ସମସ୍ତେ କ୍ବାର୍ଟର ଉପରେ ରହି ଭାରତୀୟ ଯୁଦ୍ଧବିମାନ କରାଚିରୁ ଫେରିବା ରାସ୍ତାକୁ ଅନାଇ ବସିଥିଲୁ। ମାତ୍ର ଅଧଘଣ୍ଟା ମଧ୍ୟରେ ଭାରତର ୬ଟି ଯୁଦ୍ଧବିମାନ କରାଚି ସହରରେ ପ୍ରଳୟ ରଚିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇ ସୁରକ୍ଷିତ ଭାବେ ଜାମନଗର ଏୟାରବେସ୍‌କୁ ଫେରି ଆସିଲା। ସମସ୍ତଙ୍କ ମୁହଁରୁ ଆନନ୍ଦରେ ବାହାରିଆସିଲା ଜୟହିଦ୍ ଡାକରା।

ସେଇଦିନଠାରୁ ଅବିରତ ୨୪ ଘଣ୍ଟା ଧରି ଡ୍ୟୁଟି କରିବାକୁ ପଡ଼ିଲା। ୮ ତାରିଖ ମଧ୍ୟାହ୍ନ ସାଢ଼େ ଗୋଟାଏ ସମୟରେ ଗଛ ଛାଇରେ ବସି ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ହଠାତ୍ ପାକିସ୍ତାନର ଦୁଇଟି ଜେଟ୍ ଫାଇଟର୍‌ ଜାମନଗର ଏୟାରବେସ୍ ଉପରେ ଅତର୍କିତ ଆକ୍ରମଣ କଲେ। ରନ୍‌ୱେ ଉପରେ ଥିବା ଭାରତୀୟ ଯୁଦ୍ଧବିମାନ ଉପରେ ଗୋଳାବର୍ଷଣ ଯୋଗୁଁ ସେଥିରେ ନିଆଁ ଲାଗି ଯାଇଥିଲା। ଏହାର ଠିକ୍‌ ଅଧଘଣ୍ଟା ପୂର୍ବରୁ ଆରବସାଗର ଉପକୂଳରେ ଥିବା ଦ୍ବାରିକା ଓପି (Observation Post)ରୁ ଅନ୍ୟ ଦୁଇଟି ପାକିସ୍ତାନୀ ଯୁଦ୍ଧବିମାନ ଜାମନଗର ଅଭିମୁଖେ ଆସୁଥିବା ସୂଚନା ପାଇ ଗ୍ରୁପ୍ କ୍ୟାପଟେନ୍ ଉଇଲସନ୍‌ ୨ଟି ଭାରତୀୟ ଜେଟ୍ ମିଗ୍-୧୯କୁ ପଠାଇ ସାରିଥିଲେ। ଫଳରେ ଜାମନଗର ଏୟାରବେସ୍ ଉପରେ ୪ଟି ଯୁଦ୍ଧବିମାନର ଘମାଘୋଟ ଯୁଦ୍ଧ ଦେଖିବାକୁ ମିଳିଥିଲା। ଭାରତୀୟ ପାଇଲଟ୍‌ଙ୍କ ବିଚକ୍ଷଣ ବୁଦ୍ଧି ଓ ପରାକ୍ରମ ଯୋଗୁଁ ପାକିସ୍ତାନର ଗୋଟିଏ ଲଢ଼ୁଆ ବିମାନ ଆକାଶମାର୍ଗରେ ଧ୍ବଂସ ହୋଇ ଯାଇଥିବା ବେଳେ ଅନ୍ୟଟି ସେଠାରୁ ଛତ୍ରଭଙ୍ଗ ଦେଇଥିଲା। ୭୧ ଯୁଦ୍ଧରେ ପୂର୍ବ ପାକିସ୍ଥାନ ପୃଥିବୀ ମାନଚିତ୍ରରୁ ସବୁଦିନ ପାଇଁ ଲିଭିଗଲା। ଯାହା ଏବେ ବାଂଲାଦେଶ ନାମରେ ପରିଚିତ। ଭାରତର ଷଣ୍ଢୁଆସୀ ଆକ୍ରମଣରେ ପାକିସ୍ତାନର ଲକ୍ଷାଧିକ ସୈନ୍ୟ ଭାରତର ସେନାବାହିନୀ ପାଖରେ ଆତ୍ମସମର୍ପଣ କରିଥିଲେ, ଯାହାକି ମୋ ଜୀବନରେ ଏକ ଅଲିଭା ସ୍ମରଣୀୟ ସ୍ମୃତି ହୋଇରହିଛି। ’

ପ୍ରସ୍ତୁତି: କବିତା ପାତ୍ର

ସମ୍ବନ୍ଧିତ ଖବର