୧୯୭୧ ମସିହା ଯୁଦ୍ଧରେ ବିଜୟର ୫୦ତମ ପୂର୍ତ୍ତି ଅବସରରେ ସାରାଦେଶରେ ସ୍ବତନ୍ତ୍ର ଉତ୍ସବର ଅାୟୋଜନ କରାଯାଉଛି। ଦେଶ ପାଇଁ ଏହି ଐତିହାସିକ ଯୁଦ୍ଧ ଯେତିକି ଲୋମହର୍ଷକ ଥିଲା, ସେତିକି ଗୌରବବର୍ଦ୍ଧକ ବି ଥିଲା। ଯୁଦ୍ଧରେ ଜଳ,ସ୍ଥଳ ଓ ବାୟୁସେନା ସାମିଲ୍ ହୋଇଥିଲେ। ଫଳସ୍ବରୂପ ପାକିସ୍ତାନଠାରୁ ଅଲଗା ହୋଇ ସ୍ବତନ୍ତ୍ର ବାଂଲାଦେଶ ପ୍ରତିଷ୍ଠା ଲାଭ କରିଥିଲା। ସେହି ଯୁଦ୍ଧରେ ଲଢ଼ି ଦେଶ ପାଇଁ ବିଜୟ ଭେଟି ଦେଇଥିବା ବୀର ଯବାନଙ୍କୁ ସମ୍ମାନ ଜଣାଇବା ପାଇଁ ‘ସମ୍ବାଦ’ ପକ୍ଷରୁ ଏକ ସ୍ବତନ୍ତ୍ର ପ୍ରୟାସ...‘ତୁଝେ ସଲାମ୍’। ଏହି କ୍ରମରେ ପ୍ରଥମେ ଯବାନ ପରେ ଲ୍ୟୁଟିନ୍ୟାଣ୍ଟ ଓ ଶେଷରେ ମେଜର ଭାବେ ଅବସର ମୟୂରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳର ଡି.ଏନ୍. ଦାସ ଯାହା କୁହନ୍ତି....।
‘୧୯୭୧ ଭାରତ-ପାକ୍ ଯୁଦ୍ଧ ସମୟରେ ପୂର୍ବ ପାକିସ୍ତାନର ଗଙ୍ଗାସାଗର ଯୁଦ୍ଧ ଆଜିବି ମୋ ଆଖି ଆଗରେ ନାଚିଯାଉଛି। ଯୁଦ୍ଧ ଆରମ୍ଭ ହୋଇସାରିଥାଏ। ମୁକ୍ତି ବାହିନୀ ଓ ଭାରତୀୟ ସେନା ମିଳିତ ଭାବେ ପୂର୍ବ ପାକିସ୍ତାନ ଭିତରେ ରହି ଲଢ଼େଇ କରୁଥା’ନ୍ତି। ନଭେମ୍ବର ଶେଷବେଳକୁ ଏହି ମିଳିତ ସେନା ପୂର୍ବ ପାକିସ୍ତାନର ବହୁ ସୈନ୍ୟବାହିନୀ ଘାଟି ଉପରେ ଆକ୍ରମଣ କଲେ। ସେତେବେଳେ ମୁଁ ‘ ୧୪ ଗାର୍ଡ ରେଜିମେଣ୍ଟ’ରେ ଯବାନ ଥାଏ। ମୋ ବାଟାଲିୟନ ଆକ୍ରମଣ କରି ଢଲାଇ ଚା ବଗିଚାରେ ଥିବା ପାକିସ୍ତାନୀ ପୋଷ୍ଟକୁ କବ୍ଜା କଲା। ବଙ୍ଗଳା ଦେଶକୁ ସ୍ବାଧୀନ କରିବାକୁ ହେଲେ ଗଙ୍ଗାସାଗର ରେଳଷ୍ଟେସନକୁ ଡିସେମ୍ବର ୩ ତାରିଖ ସୁଦ୍ଧା ଦଖଲ କରିବାକୁ ଇଷ୍ଟର୍ଣ୍ଣ କମାଣ୍ଡ ପାଇଁ ନିର୍ଦ୍ଦେଶ ଆସିଲା। ଆମେ ମୁକ୍ତିବାହିନୀ ସହ ମିଶି ଗଙ୍ଗାସାଗରରେ ପ୍ରବେଶ କଲୁ। ଶତ୍ରୁପକ୍ଷର ମୁକାବିଲା କରିବା ପାଇଁ ରଣନୀତି ଆରମ୍ଭ ହେଲା।
ମୁଁ ସେମାନଙ୍କ ଅବସ୍ଥିତି ଓ ସୁରକ୍ଷା ଢାଞ୍ଚାର ନକ୍ସା ତିଆରି କରି ବାଟାଲିୟନକୁ ଦେଲି। ମୁଁ ଦେଖିଲି ପାକିସ୍ତାନୀ ସୈନ୍ୟମାନେ ରେଳଲାଇନ ଉପରେ ୱାଗନକୁ ଧକ୍କା ମାରୁଛନ୍ତି। ତେଣୁ ଆମେ ନିଶ୍ଚିତ ହେଲୁ ଯେ ପାକିସ୍ତାନୀ ସେନା ରେଳଲାଇନ ଉପରେ ଆଣ୍ଟି ଟ୍ୟାଙ୍କ୍ କିମ୍ବା ଆଣ୍ଟି ପର୍ସନାଲ ମାଇନ୍ସ ଲଗାଇ ନାହାନ୍ତି। ଏହି ରିପୋର୍ଟ ଆଧାରରେ ରେଳ ଲାଇନ୍ ବାମ ପଟରୁ ଆକ୍ରମଣ କରିବାକୁ ସ୍ଥିର ହେଲା। ସେହି ଅନୁଯାୟୀ ଆମେ ଅଗରତାଲା ଠାରୁ କିଛି ଦୂରରେ ଦୁକୁଲି ଗାଁରେ ରହିଲୁ ଏବଂ ଡିସେମ୍ବର ୧ ସନ୍ଧ୍ୟାରେ ବାହାରି ୭ଟା ସୁଦ୍ଧା ଅନ୍ତର୍ଜାତୀୟ ସୀମାରେଖା ପାର୍ କଲୁ। ଆମର ଗତିବିଧି ଉପରେ ପାକିସ୍ତାନର ନଜର ହଟାଇବା ପାଇଁ ରାସ୍ତାର ଡାହାଣ ପଟେ ଥିବା ଏକ ପାକିସ୍ଥାନୀ ପୋଷ୍ଟ ଉପରେ ୧୯-ପଞ୍ଜାବ ରେଜିମେଣ୍ଟର ଏକ କମ୍ପାନୀ ଆକ୍ରମଣ କଲା। ଏହାକୁ ଦଖଲ ମଧ୍ୟ କଲା।
ସେହି ୨ ତାରିଖ ମଧ୍ୟରାତ୍ରିରେ ଗଙ୍ଗାସାଗର ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରାଗଲା। ଠିକ୍ ରାତି ୨ଟା ୩୦ମିନିଟ୍ ସମୟରେ ଆରମ୍ଭ ହେଲା ଅଭିଯାନ। ପୋଲ ପାରି ହେଲାପରେ ପାକିସ୍ଥାନୀ ସୈନ୍ୟଙ୍କ ଆଡ଼ୁ ଆକ୍ରମଣ ଆରମ୍ଭ ହେଲା। ପାକିସ୍ଥାନୀ ଗୁଳିରେ ସ୍କାଉଟ୍ ଗାର୍ଡସମ୍ୟାନ କେସର ଦେବ ସହିଦ୍ ହେଲେ। ଏହି ସମୟରେ ହଠାତ୍ କେହି କିଛି ବୁଝିବା ଆଗରୁ ଆମ ଭିତରୁ ଜଣେ ପାକିସ୍ତାନୀ ସେନା ଆଡ଼କୁ ଦୌଡିଲା ଏବଂ ବଙ୍କର ଉପରେ ଗ୍ରେନେଡ ଫିଙ୍ଗିଦେଲା। ଗ୍ରେନେଡ ମାଡ଼ରେ ବଙ୍କର ଧ୍ବସ୍ତ ହୋଇଗଲା। ଗ୍ରେନେଡ୍ ଫିଙ୍ଗିଥିବା ଯବାନ ଆମ କମ୍ପାନୀ ପାଖକୁ ଆସିବାରୁ କମ୍ପାନୀ କମାଣ୍ଡର ମେଜର ଓମ୍ ପ୍ରକାଶ କୋହଲି ସାହେବ ପଚାରିଲେ, ୟେ କୌନ୍ ହୈ। ସାଥୀ ଯବାନ କହିଲେ, ୟେ ଅଲ୍ଲୀ ଉସ୍ତାଦ ହୈ। ଆଲବର୍ଟ ଏକ୍କାଙ୍କୁ କମ୍ପାନୀରେ ସମସ୍ତେ ଅଲ୍ଲୀ ଉସ୍ତାଦ ଡାକୁଥିଲେ। ତାଙ୍କ ଅପୂର୍ବ ବୀରତ୍ବ ଯୋଗୁ ଆମେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଗଲୁ। ଏହାପରେ ଆମ ତରଫରୁ ଆକ୍ରମଣ ଆରମ୍ଭ ହେଲା ଏବଂ ଏଥିରେ ବହୁ ସଂଖ୍ୟାରେ ପାକିସ୍ତାନୀ ପ୍ରାଣ ହରାଇଲେ। ପାଖପାଖି ୨ ଘଣ୍ଟା ଧରି ଘମାଘୋଟ ଲଢେଇ ଜାରି ରହିବା ପରେ ପାକିସ୍ଥାନୀ ସୈନ୍ୟ ଗଙ୍ଗାସାଗର ଛାଡ଼ି ପଳାୟନ କଲେ।
ଏହାପରେ ବିଜୟ ଉଲ୍ଲାସ ସହ ଆମେ ଗଙ୍ଗାସାଗର ଷ୍ଟେସନ ଆଡ଼କୁ ଫେରୁଥିଲୁ। ହଠାତ୍ ଏକ ଦୁଇମହଲା କୋଠା ଭିତରେ ଲୁଚି ରହିଥିବା ପାକିସ୍ତାନୀ ସୈନ୍ୟ ଆଖିବୁଜା ଗୁଳିମାଡ଼ କଲେ। ଫଳରେ, ଅାମର ୪ ଜଣ ସୈନ୍ୟ ପ୍ରାଣ ହରାଇଲେ। ଏହି ସମୟରେ ପୁଣିଥରେ ବୀରତ୍ବ ଦେଖାଇଲେ ଆଲବର୍ଟ ଏକ୍କା। ସେହି ଦୁଇ ମହଲା କୋଠା ଉପରକୁ ଚିତା ବାଘ ପରି ଚଢ଼ିଗଲେ ଓ ଗ୍ରେନେଡ ଫିଙ୍ଗିଲେ। ଗ୍ରେନେଡ ମାଡ଼ରେ ଜଣେ ପାକିସ୍ଥାନୀ ଗନ୍ମ୍ୟାନ୍ ପ୍ରାଣ ହରାଇଲେ, ଆଉଜଣେ ଆହତ ହେଲେ। ଏତିକି ବେଳେ ଆଲବର୍ଟଙ୍କ ଉପରକୁ ଗୁଳିବର୍ଷା ହେଲା। ସେ ଗୁରୁତର ଅବସ୍ଥାରେ ଏକ ପାକିସ୍ଥାନୀ ଲାଇଟ୍ ମେସିନ୍ ଗନ୍କୁ ଧରି ତଳକୁ ଡିଆଁ ମାରିଲେ। ମୁଁ ଓ ସୁବେଦାର ଅଜିତ ସିଂ ତଳେ ଥିଲୁ। ମୁଁ ସଙ୍ଗେ ସଙ୍ଗେ ଆଲବର୍ଟଙ୍କୁ ମୋରଫିଆ ଇଞ୍ଜେକସନ୍ ଦେଲି। ବ୍ୟାଗ୍ରୁ ପାଣି ପିଇବାକୁ ଦେଲା ବେଳକୁ ସେ ଆଖି ବୁଜିଦେଇଥିଲେ। ଯୁଦ୍ଧ କ୍ଷେତ୍ରରେ ଭାବପ୍ରବଣ ହେବାର ସମୟ ନଥିଲା। ମୁଁ ସଙ୍ଗେ ସଙ୍ଗେ ପୋଜିସନ୍ ନେଲି ଓ ପାକିସ୍ଥାନୀ ତୋପ ମାଡ଼ର ଜବାବ ଦେଲି। କିଛି ସମୟ ପରେ ଗୋଟିଏ ବୋମାର ସ୍ପିଲଣ୍ଟର ଆସି ମୋ ଜଙ୍ଘରେ ବାଜିଲା ଓ ମୁଁ ଆହତ ହେଲି। ଗାର୍ଡସ୍ ମ୍ୟାନ ବିକେ ତିୱାରୀ ମୋତେ ଆମ ପୋଷ୍ଟକୁ ନେଲେ। ସୁଇପର ମିର୍ଚି ଲାଲ୍ ମୋତେ କାନ୍ଧରେ ବୋହି ୩ କିମି ନେଲାପରେ ଆମ୍ବୁଲାନ୍ସରେ ଗୌହାଟୀ ହସ୍ପିଟାଲ ଓ ପରେ କଲିକତା ହସ୍ପିଟାଲରେ ପହଂଚିଲି। ଏହି ଘମାଘୋଟ ଯୁଦ୍ଧରେ ୨୫ ପାକିସ୍ତାନୀ ସୈନ୍ୟ ମଲେ, ୬ ବନ୍ଦୀ ହେଲେ। ପରେ ଲାନ୍ସ ନାଏକ ଆଲବର୍ଟ ଏକ୍କାଙ୍କୁ ପରମ ବୀରଚକ୍ରରେ ସମ୍ମାନିତ କରାଗଲା।’ ‘ ଝାଡ଼ଖଣ୍ଡର ବୀର ଆଲବର୍ଟଙ୍କ ସମାଧିରୁ ମାଟି ଆଣି ମୁଁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛି। ଆଲବର୍ଟଙ୍କ ପରି ବୀରଙ୍କ ସାଥୀ ହୋଇ ଲଢ଼ିବା ମୋତେ ସବୁବେଳେ ଗୌବରାନ୍ବିତ କରିଛି।’
ପ୍ରସ୍ତୁତି: ଯଶିପୁରରୁ ବିରଞ୍ଚି ନାରାୟଣ ସାହୁ