୧୯୭୧ ମସିହା ଯୁଦ୍ଧରେ ବିଜୟର ୫୦ତମ ପୂର୍ତ୍ତି ଅବସରରେ ସାରାଦେଶରେ ସ୍ବତନ୍ତ୍ର ଉତ୍ସବର ଅାୟୋଜନ କରାଯାଉଛି। ଦେଶ ପାଇଁ ଏହି ଐତିହାସିକ ଯୁଦ୍ଧ ଯେତିକି ଲୋମହର୍ଷକ ଥିଲା, ସେତିକି ଗୌରବବର୍ଦ୍ଧକ ବି ଥିଲା। ଯୁଦ୍ଧରେ ଜଳ, ସ୍ଥଳ ଓ ବାୟୁସେନା ସାମିଲ୍ ହୋଇଥିଲେ। ଫଳସ୍ବରୂପ ପାକିସ୍ତାନଠାରୁ ଅଲଗା ହୋଇ ସ୍ବତନ୍ତ୍ର ବାଂଲାଦେଶ ପ୍ରତିଷ୍ଠା ଲାଭ କରିଥିଲା। ସେହି ଯୁଦ୍ଧରେ ଲଢ଼ି ଦେଶ ପାଇଁ ବିଜୟ ଭେଟି ଦେଇଥିବା ବୀର ଯବାନଙ୍କୁ ସମ୍ମାନ ଜଣାଇବା ପାଇଁ ‘ସମ୍ବାଦ’ ପକ୍ଷରୁ ଏକ ସ୍ବତନ୍ତ୍ର ପ୍ରୟାସ...‘ତୁଝେ ସଲାମ୍’। ଏହି କ୍ରମରେ ଗ୍ରୁପ୍ କ୍ୟାପଟେନ୍ ବିରଜା ପ୍ରସାଦ ପଟ୍ଟନାୟକ ଯାହା କୁହନ୍ତି....।
/sambad/media/post_attachments/wp-content/uploads/2022/01/war-scaled.jpg)
୧୯୬୪ ମସିହାରେ ମାତ୍ର ୧୯ ବର୍ଷ ବୟସରେ ମୁଁ ଭାରତୀୟ ବାୟୁସେନାରେ କମିସନ୍ ଅଫିସର୍ ଭାବେ ସାମିଲ ହେବାର ମାତ୍ର ବର୍ଷକ ପରେ ୧୯୬୫ ମସିହା ଯୁଦ୍ଧରେ ଭାଗ ନେଇଥିଲି। ୧୯୭୧ ମସିହା ଯୁଦ୍ଧ ଲଢ଼ିବା ବେଳକୁ ୧୯୬୫ ମସିହା ଯୁଦ୍ଧର ସେଇ ଅଭିଜ୍ଞତା ବେଶ୍ କାମରେ ଆସିଥିଲା। ପାକିସ୍ତାନକୁ ଦୃଢ଼ ଜବାବ ଦେବା ଓ ତାଙ୍କ ରଣକ୍ଷେତ୍ରକୁ ଧ୍ବସ୍ତ ବିଧ୍ବସ୍ତ କରିବା ଅତି ସହଜ ହୋଇଥିଲା।
୧୯୭୧ ମସିହା ଆରମ୍ଭରୁ ହିଁ ଭାରତ-ପାକିସ୍ତାନ ସମ୍ପର୍କରେ ପରିବର୍ତ୍ତନ ପରିଲକ୍ଷିତ ହେବା ଆରମ୍ଭ ହୋଇଯାଇଥିଲା। ପ୍ରତି ଯୁଦ୍ଧ ଭଳି ୧୯୭୧ ଯୁଦ୍ଧରେ ବି ଦେଶ ତିନିଟି ପ୍ରାକ୍ ଅବସ୍ଥା ଦେଇ ଯାଇଥିଲା, ସେତେବେଳେ ଆମେ ନିଜକୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରିନେଇଥିଲୁ। ପ୍ରଥମ ପର୍ଯ୍ୟାୟରେ ଭାରତ-ପାକିସ୍ତାନ ରାଷ୍ରଦୂତସ୍ତରରେ ତିକ୍ତତା ଓ ଦ୍ବିତୀୟ ପର୍ଯ୍ୟାୟରେ ଗଣମାଧ୍ୟମରେ ଦେଶର ସମ୍ପର୍କରେ ଆସୁଥିବା ତିକ୍ତତାକୁ ନେଇ ପ୍ରବଳ ଚର୍ଚ୍ଚା ହୋଇଥିଲା। ଏହା ଭିତରେ ତିନିବାହିନୀ ନିଜକୁ ପ୍ରସ୍ତୁତ କରିନେଇଥିଲେ ଓ ତୃତୀୟ ପର୍ଯ୍ୟାୟରେ ସୀମାର ଅତି ନିକଟକୁ ସେନାବାହିନୀ ସୈନିକମାନଙ୍କୁ ସ୍ଥାନାନ୍ତର (ଟ୍ରୁପ୍ସ ମୋବିଲାଇଜେସନ୍) ଆରମ୍ଭ କରିଥିଲେ। ସ୍ଥଳସେନାର ‘ଟ୍ରୁପ୍ସ ମୋବିଲାଇଜେସନ୍’ ସହ ବାୟୁସେନା ନିଜର ସମସ୍ତ ସରଞ୍ଜାମ ସହ ‘ଫରୱାର୍ଡ ଏୟାର୍ବେସ୍’ (ସୀମାର ୧୦/୧୫ କିଲୋମିଟର ଭିତରେ ଥିବା ଉଡ଼ାଣସ୍ଥଳ)କୁ ସ୍ଥାନାନ୍ତର ହୋଇଥିଲା। ମୁଁ ସେତେବେଳେ ଦେଶର ପଶ୍ଚିମ ସୀମାରେ ଅମ୍ବାଲାଠାରେ ସୁଖୋଇ-୨୨ ଉଡ଼ାଉଥିଲି। ୧୯୭୧ ମସିହା ଅକ୍ଟୋବର-ନଭେମ୍ବର ବେଳକୁ ଆମେ ‘ଫରୱାର୍ଡ୍ ଏୟାର୍ବେସ୍’କୁ ଯିବା ଆରମ୍ଭ କରିଦେଇଥିଲୁ। ‘ଫରୱାର୍ଡ ଏୟାର୍ବେସ୍’ରେ ଆମର ପ୍ରତ୍ୟେକ କାର୍ଯ୍ୟକଳାପ-ରୁଟିନ୍ ବଦଳିଯାଇଥିଲା। ଯେକୌଣସି ସମୟରେ ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ଥିବାରୁ ଆମେ ତିନିଟି ଗ୍ରୁପ୍ରେ ବିଭକ୍ତ ହୋଇ ‘ଓଆର୍ପି’ (ଅପରେସନ୍ ରେଡିନେସ୍ ପ୍ଲାଟଫର୍ମ୍) ପ୍ରସ୍ତୁତ ରଖୁଥିଲୁ। ପ୍ରଥମ ଗ୍ରୁପ୍ଟି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଯୁଦ୍ଧବିମାନ ଭିତରେ ବେଲ୍ଟ ବାନ୍ଧି ବସୁଥିଲେ। ଆକ୍ରମଣର ସୂଚନା ପାଇବା କ୍ଷଣି ମାତ୍ର ୧୫/୨୦ ସେକେଣ୍ଡ ଭିତରେ ସେମାନେ ଆକ୍ରମଣ ପାଇଁ ଉଡ଼ିଯାଉଥିଲେ। ଦ୍ବିତୀୟଟି ପାଇଲଟ୍ ପୋଷାକ ସହ ପ୍ରସ୍ତୁତ ଓ ତୃତୀୟଟି ବିଶ୍ରାମଗୃହରେ ରହୁଥିଲେ।
/sambad/media/post_attachments/wp-content/uploads/2022/01/war-22.jpg)
ଯୁଦ୍ଧ ଆରମ୍ଭ ହେବାର କିଛିଦିନ ପୂର୍ବରୁ ମୁୀଁ ନିୟମିତ ସୁଖୋଇ ଉଡ଼ାଇ ଭାରତ-ପାକିସ୍ତାନ ସୀମାର ଫଟୋଗ୍ରାଫି(ଫଟୋ ରେକନାଇସାନ୍ସ) କରିଥିଲି, ଯାହାକି ଯୁଦ୍ଧ ସମୟରେ ବୋମା ଓ ରକେଟ୍ ମାଡ଼ କରିବାକୁ ଆମକୁ ବେଶ୍ ସାହାଯ୍ୟ କରିଥିଲା। ଯୁଦ୍ଧରେ ଆମର ପ୍ରଥମ ଟାର୍ଗେଟ୍ ଥିଲା ପାକିସ୍ତାନର ଏୟାରପୋର୍ଟ, ବ୍ରିଜ୍, ଟ୍ରେନ୍, ଆର୍ମି କାଫିଲା ଓ ମିଲିଟାରି ଷ୍ଟେସନ୍କୁ ଧ୍ବଂସ କରିବା। ମୁଁ ସୁଖୋଇ ନେଇ ରଫିକି, ସରଗୋଡ଼ା ଓ ଇସଲାମାବାଦ୍ ପର୍ଯ୍ୟନ୍ତ ସୀମାର ପ୍ରାୟ ୩ଶହ କିଲୋମିଟର ଭିତରକୁ ଯାଇ ବୋମାମାଡ଼ କରିଥିଲି। ପ୍ରତି ମୁହୂର୍ତ୍ତରେ ଶତ୍ରୁପକ୍ଷର ଆକ୍ରମଣ ଆଶଙ୍କା ଥିଲେ ବି ସେ ସମୟରେ ସେଥିପ୍ରତି ଚିନ୍ତା କରିବାର ଅବକାଶ ନଥିଲା। କେବଳ ଗୋଟିଏ ସୂତ୍ର; ଶତ୍ରୁ ତୁମକୁ ମାରିବା ପୂର୍ବରୁ ତୁମେ ତାକୁ ମାରି ଶେଷ କରିଦିଅ। ସେୟା ହିଁ ଆମେ କରୁଥିଲୁ। ଥରଟିଏ ମୋ ଜାହାଜକୁ ଆକ୍ରମଣ ହୋଇଥିଲା, ଗୁଳି ବି ବାଜିଥିଲା, ହେଲେ ବିଶେଷ କିଛି କ୍ଷତି ହେବା ପୂର୍ବରୁ ମୁଁ ଫେରି ଆସିଥିଲି। ସେମାନେ ଆମର ତିନିଟି ଏୟାର୍କ୍ରାଫ୍ଟ ରକେଟ୍ ମାରି ନଷ୍ଟ କରିଦେଇଥିଲେ। ହେଲେ, ଆମେ ତାଙ୍କର ସମ୍ପୂର୍ଣ୍ଣ ଏଆର୍ଫୋର୍ସକୁ ଅକାମି (ରିଟିନ୍ଅଫ୍) କରିବା ଅବସ୍ଥାକୁ ପହଞ୍ଚାଇ ଦେଇଥିଲୁ। ଯୁଦ୍ଧର ଶେଷଦିନ ମୁଁ ଓ ଅନ୍ୟ ୭ଜଣ ୮ଟି ଏୟାର୍କ୍ରାଫ୍ଟ ନେଇ ଲାହୋର କ୍ୟାଣ୍ଟନ୍ମେଣ୍ଟ୍ରେ ଆଖିବୁଜା ବୋମାମାଡ଼ କରିଥିଲୁ। ୧୯୭୧ ଯୁଦ୍ଧରେ ବିଜୟଲାଭ କରିବା ସହ ଆମ ସ୍କ୍ବାର୍ଡନ୍କୁ ଗୋଟିଏ ମହାବୀରଚକ୍ର, ୪ଟି ବୀରଚକ୍ର, ୨ଟି ବାୟୁସେନା ମେଡାଲ୍ ଓ ୨ଟି ବିଶିଷ୍ଟ ସେବା ମେଡାଲ ମିଳିଥିଲା। ସେ ଯୁଦ୍ଧର ବିଜୟ ସାରା ଜୀବନ ଭୁଲି ହେବନାହିଁ।
ପ୍ରସ୍ତୁତି: ସଚ୍ଚିକାନ୍ତ ନାଥ