ତୁଝେ ସଲାମ୍: ଢାକା ରାଜଭବନରେ ପାକିସ୍ତାନ ଲେଫ୍ଟନାଣ୍ଟ୍ ଜେନରାଲ୍ଙ୍କୁ ବନ୍ଦୀ କରିଥିଲୁ
୧୯୭୧ ଯୁଦ୍ଧ ବିଜୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରୁଛି ଦେଶ। କିନ୍ତୁ ସେହି ଐତିହାସିକ ଯୁଦ୍ଧରେ ଦେଶ ପାଇଁ ଲଢ଼ି ଦେଶବାସୀଙ୍କୁ ବିଜୟ ଭେଟି ଦେଇଥିବା ବୀର ଯବାନଙ୍କୁ ସମ୍ମାନ ଜଣାଇବା ଏବଂ ଯୁଦ୍ଧ ଲଢିଥିବା କିଛି ଓଡ଼ିଆ ବୀର ଯବାନଙ୍କ ସ୍ମୃତିଅନୁଭୂତିକୁ ପାଠକମାନଙ୍କ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ‘ସମ୍ବାଦ’ର ଏହି ସ୍ୱତନ୍ତ୍ର ପ୍ରୟାସ…. ‘ତୁଝେ ସଲାମ୍’
Sambad is now on WhatsApp
Join and get latest news updates delivered to you via WhatsApp
୧୯୭୧ ବେଳକୁ ବର୍ତ୍ତମାନର ବାଂଲାଦେଶ ଅର୍ଥାତ୍ ପୂର୍ବର ପୂର୍ବ ପାକିସ୍ତାନ ନାଗରିକମାନଙ୍କ ଗଣତାନ୍ତ୍ରିକ ଅଧିକାର ଓ ଇଚ୍ଛାକୁ ବଳପୂର୍ବକ ଦବାଇବାକୁ ଚେଷ୍ଟା କରିଥିଲା ପାକିସ୍ତାନ। ଏହା ବିରୋଧରେ ସେଠାରେ ମୁଣ୍ଡ ଟେକିଥିଲା ପିପୁଲ ଅଫ୍ ଇଷ୍ଟ୍ ପାକିସ୍ତାନ(ପିଇପି) ସଂଗଠନ। ପିଇପି ପାକିସ୍ତାନ ସେନା ସହ ଅବିରତ ଲଢ଼ିଥିଲା। ପୂର୍ବ ପାକିସ୍ତାନର ନାଗରିକମାନଙ୍କୁ ଅଧିକାର ଦେବାପାଇଁ ତତ୍କାଳୀନ ଭାରତ ସରକାର ସେମାନଙ୍କୁ ତାଲିମ ଓ ଅସ୍ତ୍ରଶସ୍ତ୍ର ଦେବାର ନିଷ୍ପତ୍ତି ନେଇଥିଲା। ଭାରତୀୟ ସେନାର ଅଧିକାରୀମାନେ ଗାଉଁଲି ମୁସଲମାନଙ୍କ ବେଶରେ ପୂର୍ବ ପାକିସ୍ତାନରେ ପଶି ବିଭିନ୍ନ ଗ୍ରାମରେ ‘ପିଇପି’ କ୍ୟାଡେଟ୍ମାନଙ୍କୁ ଯୁଦ୍ଧକୌଶଳର ତାଲିମ ଦେଇଥିଲେ। ତାଲିମ ପାଇବାପରେ ଏହି କ୍ୟାଡେଟ୍ମାନେ ‘ମୁକ୍ତି ବାହିନୀ’ ଭାବେ ପରିଚିତ ହେଲେ।
ଲେଫ୍ଟନାଣ୍ଟ ଜେନେରାଲ୍ ସଗତ ସିଂଙ୍କ ନେତୃତ୍ବରେ ୪ କର୍ପସ୍କୁ ବାଂଲାଦେଶର ପୂର୍ବ ସୀମା (ତ୍ରିପୁରା ଓ ମିଜୋରାମ୍) ପଟୁ ଢାକା ଅଭିମୁଖେ ବଢ଼ିବା ପାଇଁ ଭାରତୀୟ ସେନା ନିର୍ଦ୍ଦେଶ ଦେଇଥିବାବେଳେ ମେଜର୍ ଜେନେରାଲ୍ ଗନ୍ସାଲ୍ଭେଙ୍କ ନେତୃତ୍ବରେ ଫାଇଭ୍ ମାଉଣ୍ଟେନ୍ ଡିଭ୍ ତ୍ରିପୁରା ପଟୁ ବାଂଲାଦେଶକୁ ପଶିବା ପାଇଁ ଆଦେଶ ଦିଆଗଲା। ମୁଁ ଓ ‘ଇଏମ୍ଇ’ (ଇଲେକ୍ଟ୍ରୋନିକ ଆଣ୍ଡ ମେକାନିକାଲ ଇଞ୍ଜିନିୟରିଂ)ର ଅନ୍ୟମାନେ ଏହି ଟିମ୍ରେ ଥିଲୁ। ଆମେ ୧୯୭୧ ନଭେମ୍ବର ୪ର୍ଥ ସପ୍ତାହବେଳକୁ ନିର୍ଦ୍ଧାରିତ ପୋଜିସନ୍ରେ ପହଞ୍ଚି ଯାଇଥିଲୁ। ଏହି ସମୟରେ ଚୀନ୍ ପଟୁ ମଧ୍ୟ ଆକ୍ରମଣର ଆଶଙ୍କା ରହିଥିଲା। ସେଇଥିପାଇଁ, ଆମ ଫାଇଭ୍ ମାଉଣ୍ଟେନ୍ ଡିଭ୍ ଚୀନ୍ ସେନାର ‘ଏନ୍ଇଏଫ୍ଏ (ନର୍ଥ ଇଷ୍ଟ୍ ଫ୍ରଣ୍ଟିଅର୍ ଏଜେନ୍ସି) ଆକ୍ରମଣକୁ ପ୍ରତିହତ କରିବାକୁ ନିୟୋଜିତ ହୋଇଥିଲା। ଆମର ଗୋଟିଏ ବ୍ରିଗେଡ୍ ଓ ଦୁଇଟି ଆର୍ଟିଲରି ରେଜିମେଣ୍ଟ୍ ପଛରେ ସୀମାକୁ ଜଗିଥିବାବେଳେ ଆମେ ଇଂଜିନିୟର୍ମାନଙ୍କ ସହ ପୋଲ ତିଆରି ଯନ୍ତ୍ରପାତି, ଇନ୍ଫେଣ୍ଟ୍ରି, ଆର୍ଟିଲରି ଓ ଅନ୍ୟମାନଙ୍କୁ ନେଇ ତ୍ରିପୁରା ଅଭିମୁଖେ ବାହାରିଲୁ। ମୁଁ ସେତେବେଳେ ଏକ ‘ଇଏମ୍ଇ’ ୱାର୍କସପ୍ର ଅଫିସର୍ କମାଣ୍ଡିଙ୍ଗ୍ ଥାଏ। ଡିସେମ୍ବର ୧୦ ତାରିଖ ଦିନ ଚାନ୍ଦପୁର କବ୍ଜା କରିବା ପରେ ଆମ କର୍ପ୍ସ୍ କମାଣ୍ଡର୍ ଲେଫଟନାଣ୍ଟ ଜେନେରାଲ୍ ସଗତ୍ ସିଂ ହେଲିକପ୍ଟରରେ ଢାକା ଉପର ଦେଇ ଯାଉଥିବାବେଳେ ଖବର ପାଇଲେ ଯେ, ୧୪ ତାରିଖ ପୂର୍ବାହ୍ନ ୧୧ଟା ବେଳେ ଢାକାସ୍ଥିତ ରାଜ୍ୟପାଳଙ୍କ ବଙ୍ଗଳାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ। ସେଥିରେ ଆମେରିକାର ରାଜଦୂତ ବି ସାମିଲ ହେବାର ସମ୍ଭାବନା ରହିଛି। ସେହି ୧୦ ତାରିଖ ପୂର୍ବାହ୍ନରେ ଆମ କର୍ପ୍ସ କମାଣ୍ଡର୍ ଢାକା ନିକଟରେ ଥିବା ଫାଇଭ୍ ଡିଭ୍ ମୁଖ୍ୟାଳୟରେ ଏକ ଜରୁରୀ ବୈଠକ ଡକାଇଲେ। ସେଥିରେ ମୁକ୍ତିବାହିନୀ କମାଣ୍ଡର୍ମାନେ ବି ଯୋଗଦେଇଥିଲେ। ମୁଁ ‘ଇଏମ୍ଇ’ ପକ୍ଷରୁ ସେ ବୈଠକରେ ଯୋଗ ଦେଇଥିଲି। ଯୋଜନା ମୁତାବକ, ୩ଟି ‘ମାଉଣ୍ଟେନ୍ ଗନ୍’କୁ ଖୋଲାଯାଇ (ଡିସମେଣ୍ଟାଲ୍ କରାଯାଇ) ଡଙ୍ଗାରେ ରାଜ୍ୟପାଳଙ୍କ ଘର ପାଖକୁ ପଠାଯିବାର ବ୍ୟବସ୍ଥା କରାଗଲା। ତୋପଗୁଡ଼ିକୁ ଖୋଲିବା ଓ ଯୋଡ଼ିବା ଦାୟିତ୍ୱ ‘ଇଏମ୍ଇ’ ସୈନିକମାନଙ୍କୁ ଦିଆଗଲା। ଡଙ୍ଗାରେ ଖୋଲାଯାଇଥିବା ‘ମାଉଣ୍ଟେନ୍’ ଗନ୍ଗୁଡ଼ିକ ସହ ଡଙ୍ଗାରେ ‘ଗନ୍ ସ୍ପେସାଲିଷ୍ଟ୍’ ଓ ମୁକ୍ତିବାହିନୀ ସୈନିକମାନେ ବି ଗଲେ। ମୁକ୍ତିବାହିନୀ ସୈନିକ ଓ ତାଙ୍କ କମାଣ୍ଡରମାନେ ଡଙ୍ଗାଗୁଡିକୁ ବାଟ କଢ଼ାଇ ନେଲେ। ସମ୍ପୂର୍ଣ୍ଣ ମିସନ୍ରେ ଦୁଇଜଣ ଅଫିସର୍ ଯାଇଥିଲେ, ଯେଉଁମାନଙ୍କ ଭିତରୁ ଜଣେ କ୍ୟାପଟେନ୍ ‘ଗନ୍ ପଏଣ୍ଟ୍’ରେ ଓ ଜଣେ ମେଜର୍ ରେଡିଓ ଅପରେଟର୍ଙ୍କୁ ନେଇ ‘ଅବଜରଭେସନ’ ପୋଷ୍ଟ୍ରେ ଥିଲେ। ମୁଁ ମୁଖ୍ୟ ବେସ୍ରୁ ସେମାନଙ୍କ ସହିତ ନିୟମିତ ଯୋଗାଯୋଗରେ ରହିଲି।
୧୪ ଡିସେମ୍ବର ପାହାନ୍ତା ପହରରେ ଆମ ଡଙ୍ଗାଗୁଡ଼ିକ ଢାକାଠାରୁ ୬ କିଲୋମିଟର ଦୂର ଜଙ୍ଗଲିଆ ଜାଗାରେ ପହଞ୍ଚି ଥିଲା। ସକାଳ ୬ଟା ପୂର୍ବରୁ ଆମର ସବୁ ତୋପ ପୁଣି ଯୋଡ଼ାଯାଇ ଆକ୍ରମଣ ଓ ମୁକାବିଲା ପାଇଁ ପ୍ରସ୍ତୁତ ହୋଇଯାଇଥିଲା। ଆମ ଅବଜରଭେସନ୍ ପୋଷ୍ଟ୍ ରାଜଭବନଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥିଲା। ମେଜର୍ ବାଇନୋକୁଲାର୍ ସାହାଯ୍ୟରେ ରାଜଭବନର ଗତିବିଧି ଉପରେ ନଜର ରଖିଥିଲେ। ୧୪ ତାରିଖ ପୂର୍ବାହ୍ନ ୧୧ଟା ବେଳେ ରାଜ୍ୟପାଳଙ୍କ ଘରେ ବୈଠକ ହେବାକୁ ଥିଲା। ସେଥିରେ ପୂର୍ବ ପାକିସ୍ତାନର ଲେଫ୍ଟନାଣ୍ଟ ଜେନେରାଲ ଏ.ଏ.କେ ନିଆଜି, ଆମେରିକାର ରାଜଦୂତ ଓ ସିଭିଲିଆନ ଅଧିକାରୀମାନେ ଯୋଗଦେବାର ଥିଲା। ଏହି ବୈଠକରୁ ଆମେରିକାର ସପ୍ତମ ନୌଭେଳା (ସେଭେନ୍ଥ ଫ୍ଲିଟ୍)ର ସହଯୋଗ ନେଇ ନିଷ୍ପତ୍ତି ହେବାକୁ ଥିଲା। ହେଲେ ବୈଠକର ଠିକ୍ ଘଣ୍ଟାଏ ପୂର୍ବରୁ ଆମର ୩ଟି ‘ମାଉଣ୍ଟେନ୍ ଗନ୍’ ରାଜ୍ୟପାଳଙ୍କ ଘର ଉପରକୁ ଗୋଳାବର୍ଷଣ ଆରମ୍ଭ କରିଦେଲେ। କିଛିକ୍ଷଣ ଭିତରେ ସେଠାରେ ଥିବା ଲେଫ୍ଟନାଣ୍ଟ୍ ଜେନେରାଲ୍ ନିଆଜିଙ୍କ ସମେତ ଅନ୍ୟ ସମସ୍ତେ ଆମ ଘେରାଉ ଭିତରେ ଥିଲେ। ଆତ୍ମସମର୍ପଣ ଛଡ଼ା ସେମାନଙ୍କ ନିକଟରେ ଆଉ କୌଣସି ବିକଳ୍ପ ନଥିଲା। ଆମେରିକାର ସପ୍ତମ ନୌଭେଳା ଓ ଅନ୍ୟମାନେ ଦେଇଥିବା ସାହାଯ୍ୟର ଆଶ୍ବାସନା ବି ପାଇବାର ଆଶା ମଉଳି ଯାଇଥିଲା। ମାତ୍ର ୩ଟି ମାଉଣ୍ଟେନ୍ ଗନ୍ରୁ ଗୋଳା ବର୍ଷଣ ହେଉଥିଲେ ବି ରାଜଭବନ ଭିତରେ ଥିବା ଅଧିକାରୀମାନଙ୍କର ଧାରଣା ହୋଇଥିଲା ଯେ ଭାରତୀୟ ସେନାର ପୂରା ବ୍ରିଗେଡ଼୍ ସେମାନଙ୍କୁ ଘେରିଯାଇଛି। ବାଧ୍ୟହୋଇ ଲେଫ୍ଟନାଣ୍ଟ୍ ଜେନେରାଲ୍ ନିଆଜି ଭାରତୀୟ ସେନାମୁଖ୍ୟ ଜେନେରାଲ୍ ସାମ୍ ମାନେକ୍ସାଙ୍କୁ ଖବର ପଠାଇଲେ ଆତ୍ମସମର୍ପଣ ପାଇଁ। ତା’ ପରଦିନ ୯୩ ହଜାର ସୈନିକଙ୍କ ସହ ପାକିସ୍ତାନର ଲେଫଟନାଣ୍ଟ ଜେନେରାଲ୍ ନିଆଜି ଭାରତୀୟ ସେନାର ଲେଫଟନାଣ୍ଟ ଜେନେରାଲ୍ ଜଗଜିତ୍ ସିଂ ଅରୋରାଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଦେଶ ପାଇଁ ଏତେ ବଡ଼ ବିଜୟ ଆଣି ପାରିଥିବାରୁ ସାରାଜୀବନ ମୁଁ ଓ ଅନ୍ୟମାନେ ନିଶ୍ଚୟ ଗର୍ବ ଅନୁଭବ କରିବୁ।
ପ୍ରସ୍ତୁତି: ସଚ୍ଚିକାନ୍ତ ନାଥ