ତୁଝେ ସଲାମ୍‌: ରକେଟ୍‌ ମାଡ଼ ହେବ ବୋଲି ୫୦ ଫୁଟ୍‌ ଉଚ୍ଚରେ ଉଡ଼ୁଥିଲୁ

୧୯୭୧ ମସିହା ଯୁଦ୍ଧରେ ବିଜୟର ୫୦ତମ ପୂର୍ତ୍ତି ଅବସରରେ ସାରାଦେଶରେ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଉଛି। ଦେଶ ପାଇଁ ଏହି ଐତିହାସିକ ଯୁଦ୍ଧ ଯେତିକି ଲୋମହର୍ଷକ ଥିଲା, ସେତିକି ଗୌରବବର୍ଦ୍ଧକ ବି ଥିଲା। ଯୁଦ୍ଧ‌ରେ ଜଳ,ସ୍ଥଳ ଓ ବାୟୁସେନା ସାମିଲ୍‌ ହୋଇଥିଲେ। ଫଳସ୍ବରୂପ ପାକିସ୍ତାନଠାରୁ ଅଲଗା ହୋଇ ସ୍ବତନ୍ତ୍ର ବାଂଲାଦେଶ ପ୍ରତିଷ୍ଠା ଲାଭ କରିଥିଲା। ସେହି ଯୁଦ୍ଧରେ ଲଢ଼ି ଦେଶ ପାଇଁ ବିଜୟ ଭେଟି ଦେଇଥିବା ବୀର ଯବାନଙ୍କୁ ସମ୍ମାନ ଜଣାଇବା ପାଇଁ ‘ସମ୍ବାଦ’ ପକ୍ଷରୁ ଏକ ସ୍ବତନ୍ତ୍ର ପ୍ରୟାସ…‘ତୁଝେ ସଲାମ୍‌’। ଏହି କ୍ରମରେ ଉଇଙ୍ଗ୍‌ କମାଣ୍ଡର୍‌ ବିରଜା ଶଙ୍କର ସିଂହଦେଓ ଯାହା କୁହନ୍ତି….।

ଉଇଙ୍ଗ୍‌ କମାଣ୍ଡର୍‌ ବିରଜା ଶଙ୍କର ସିଂହଦେଓ, (ଅବସରପ୍ରାପ୍ତ)

ପ୍ରତ୍ୟେକ ସୈନିକ ନିଜ ଚାକିରିକାଳରେ ଅନ୍ତତଃପକ୍ଷେ ଥରଟିଏ ଦେଶପାଇଁ ଲଢ଼ିବାକୁ ଇଚ୍ଛା ରଖିଥାଏ। କହିବ‌ା ଅନାବଶ୍ୟକ, ଯୁଦ୍ଧରେ ଜିତି ଦେଶ ଓ ଦେଶବାସୀଙ୍କୁ ବିଜୟ ଭେଟି ଦେବାକୁ ବି ପ୍ରତ୍ୟେକ ସୈନିକ ଚାହେଁ। ହେଲେ, ସବୁ ସୈନିକଙ୍କୁ ସେ ସୁଯୋଗ ମିଳେନା। ମୁଁ ଭାଗ୍ୟବାନ ଯେ, ମୋତେ ୧୯୭୧ ମସିହାରେ ଦେଶପାଇଁ ଲଢ଼ିବାର ଓ ବିଜୟୀ ହେବାର ସୌଭାଗ୍ୟ ମିଳିଛି। ସାରା ଜୀବନ ଏଥିପାଇଁ ଗର୍ବିତ ଅନୁଭବ କରିବି।

କଲିକତାର ବ୍ରିଟିଶ ସ୍କୁଲ୍‌, ଢ଼େଙ୍କାନାଳର ବିବି ହାଇସ୍କୁଲ, କଟକର ରେଭେନ୍‌ସା କଲିଜିଏଟ୍‌ ସ୍କୁଲ ଓ ରେଭେନ୍‌ସା କଲେଜ ପରେ ୧୯୬୫ ମସିହାରେ ମୁଁ ବାୟୁସେନାରେ ଯୋଗ ଦେଇଥିଲି। ସାଢ଼େ ୪ବର୍ଷ ତାଲିମ ନେବା ପରେ ୧୯୬୯ ମସିହାରେ କମିସନ୍‌ଡ ଅଫିସର୍‌ ଭାବେ ଯୋଧପୁରସ୍ଥିତ ବାୟୁସେନାର ୧୦୭ ହେଲିକପ୍ଟର୍‌ ୟୁନିଟ୍‌ରେ ପାଇଲଟ୍‌ ଭାବେ ଯୋଗଦେଲି। ଆଜମେର୍‌ ଓ ଜୟସଲମେର୍‌ ସେକ୍ଟର୍‌ରେ ଆମର ନିୟମିତ ଉଡ଼ାଣ ହେଉଥିଲା। ୧୯୭୧ ମସିହା ଆରମ୍ଭରୁ ପାକିସ୍ତାନ ସହ ସମ୍ପର୍କ କ୍ରମାଗତ ଭାବେ ଖରାପ ହେବା‌କୁ ଲାଗିଥିଲା। ସେନାବାହିନୀ ଉଭୟ ପଟରେ ସଜାଗ ହେଲେ, ଆମେ ‘ଫରୱାର୍ଡ ବେସ୍‌’କୁ ସ୍ଥାନାନ୍ତର ହେଇଗଲୁ। ଏହା ଭିତରେ ଡିସେମ୍ବର ୩ତାରିଖ ରାତିରେ ପାକିସ୍ତାନ ଅପ୍ରତ୍ୟାଶିତ ଭାବେ ଆମର ଏକାଧିକ ଶିବିର ଉପରେ ଆକ୍ରମଣ କରିଥିଲା। ସେଇ ରାତିରେ ହିଁ ଆମେ କଡ଼ା‌ ଜବାବ୍‌ ଦେବାକୁ ପ୍ରସ୍ତୁତ ହୋଇଯାଇଥିଲୁ। ରାତି ପାହିବା କ୍ଷଣି ଭାରତୀୟ ବାୟୁସେନା ପାକିସ୍ତାନ ସୀମାରେ ପଶି ରକେଟ୍‌ ଓ ବୋମା ମାଡ଼ କରିଥିଲା। ବାୟୁସେନା ଯେତେ ଯେତେ ପାକିସ୍ତାନ ସୀମା ଭିତରକୁ ଯାଇ ରକେଟ୍‌-ବୋମାମାଡ଼ କରୁଥିଲା, ସ୍ଥଳସେନା ସେତେ ଭିତରକୁ ପଶି ପାକିସ୍ତାନ ମାଟିକୁ ଦଖଲ କରୁଥିଲା। ମୁଁ ଏମ୍‌ଆଇ-୪ ହେଲିକାପ୍ଟର୍‌ ଉଡାଉଥିଲି। ମୋ ଦାୟିତ୍ବ ଥିଲା ପାକିସ୍ତାନ ସୀମା ଭିତରକୁ ପଶିଥିବା ଭାରତୀୟ ସେନାକୁ ଖାଦ୍ୟ, ପାନୀୟ ଯୋଗାଇବା ଓ ସେଠାରୁ ଆମ ମୃତାହତ ସୈନିକ ଓ ପାକିସ୍ତାନର ଯୁଦ୍ଧବନ୍ଦୀଙ୍କୁ ଆମ ଦେଶକୁ ‌ଆଣିବା। ଦୈନିକ ୫/୬ଘଣ୍ଟା ଉଡ଼ି ପାକିସ୍ତାନ ଭିତରକୁ ଯିବା ଓ ଫେରିବା ସେତେବେଳର ନିୟମିତ କାମ ଥିଲା। ଆମର ଗୋଟିଏ ହେଲିକାପ୍ଟର୍‌ ଓ ୪ଟି ବିମାନକୁ ପାକିସ୍ତାନ ସେନା ଆକ୍ରମଣ କରି ନଷ୍ଟ କରିଥିଲା। ରକେଟ୍‌ ମାଡ଼ରୁ ବର୍ତ୍ତିବା ପାଇଁ ଆମକୁ ମାତ୍ର ୫୦ଫୁଟ୍‌ ଉଚ୍ଚରେ ଅତି ବିପଦସଂକୁଳ ସ୍ଥିତିରେ ଉଡ଼ିବାକୁ ପଡ଼ୁଥିଲା। ଏକାଧିକ ହେଲିକାପ୍ଟର ଓ ଯୁଦ୍ଧବିମାନ ଉପରେ ରକେଟ୍‌ ମାଡ଼ କରାଯାଇଥିଲେ ବି ମୋ ହେଲିକାପ୍ଟର୍‌ ସେଥିରୁ ରକ୍ଷା ପାଇଯାଇଥିଲା।

wionews.com

ପ୍ରତିଥର ସେପଟୁ ଭାରତ ମାଟିକୁ ଫେରିବା ବେଳେ ଆମ ଫାମିଲି କ୍ବାର୍ଟର୍ସରୁ ସ୍ତ୍ରୀଲୋକମାନଙ୍କଠାରୁ ଖବର ମିଳୁଥିଲା, ‘ଆମେ ସମସ୍ତ ଘରେ ଭଲରେ ଅଛୁ, ତୁମେ ନିଶ୍ଚିନ୍ତ ହୋଇ ଦେଶ ପାଇଁ ଲଢ଼। ଏଇ ଧାଡ଼ି କେତେଟା ଆମ ମନୋବଳ ବଢ଼ାଇବା ପାଇଁ ଯଥେଷ୍ଟ ଥିଲା। ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ପକେଟ ଖର୍ଚ୍ଚରୁ ଯୁଦ୍ଧକ୍ଷେତ୍ରରେ ଥିବା ସୈନିକମାନଙ୍କ ପାଇଁ ଗୋଟିଏ ବିମାନ ଭର୍ତ୍ତି କରି ଚକଲେଟ୍‌ ଓ ପ୍ରତି ଚକଲେଟ୍‌ ସହ ଶୁଭେଚ୍ଛା ବାର୍ତ୍ତା ସେତେବେଳର ବାୟୁସେନା ମୁଖ୍ୟ ଏୟାର୍‌ ଚିଫ୍‌ ମାର୍ସଲ୍‌ ପ୍ରତାପ ଚନ୍ଦ୍ର ଲାଲ୍‌ଙ୍କ ପତ୍ନୀଙ୍କ ମାଧ୍ୟମରେ ପଠାଇଥିଲେ। ସାରା ଦେଶ ଯେ ଆମ ସହ ମିଶି ଯୁଦ୍ଧ ଲଢ଼ୁଛି ବୋଲି ଏହା ପ୍ରମାଣ କରିଥିଲା।

ଡିସେମ୍ବର ୧୬ ତାରିଖରେ ଯୁଦ୍ଧ ବିରତି ଘୋଷଣା କରାଯାଇ ପୂର୍ବ ପାକିସ୍ତାନରେ ସମର୍ପଣ ହସ୍ତାକ୍ଷର କରାଯାଇଥିଲା। ହେଲେ, ପଶ୍ଚିମ ସୀମାରେ ପ୍ରକୃତ ଯୁଦ୍ଧ ବିରତି ୧୭ ତାରିଖରେ ହୋଇଥିଲା। ଯୁଦ୍ଧର ପାକିସ୍ତାନର ମେରୁଦଣ୍ଡ ଭାଙ୍ଗି ଯାଇଥିଲା, ସେମାନେ ମୁଣ୍ଡ ଟେକି କଥା ହେବା ସ୍ଥିତିରେ ବି ନଥିଲେ। ହେଲେ, ଏହା ସତ୍ତ୍ବେ ସେମାନେ ଧୋକା ଦେବା ଛାଡ଼ି ନଥିଲେ। ଆମେ ତାଙ୍କର ସମସ୍ତ ଯୁଦ୍ଧବନ୍ଦୀଙ୍କୁ ଭଲରେ ରଖିଥିଲୁ, ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏ କୋରାନ୍‌ ବି ଦେଇଥିଲୁ। ସିମ୍‌ଲା ଚୁକ୍ତି ପରେ ଜେନେଭା ଆଇନ ଅନୁସାରେ ସମସ୍ତଙ୍କୁ ତାଙ୍କ ଦେଶକୁ ଫେରାଇ ଦେଇଥିଲୁ। ହେଲେ, ସେମାନେ ପାଖାପାଖି ଶହେ ଭାରତୀୟ ଯୁଦ୍ଧବନ୍ଦୀଙ୍କୁ ଫେରାଇଥିଲେ ବି ଆମର ୫୪ଜଣ ସାଥୀଙ୍କର କିଛି ଖବର ମିଳିଲାନି। ସେ ୫୪ଜଣଙ୍କୁ ପାକିସ୍ତାନ ହତ୍ୟା କରିଛି ବୋଲି ଆମର ପୁରା ବିଶ୍ବାସ, ଯାହା ଆମ ପାଇଁ ବହୁତ କଷ୍ଟଦାୟକ ଥିଲା। ଏପରିକି ସେମାନଙ୍କ ନିଜ ସେନାର ଦୁଇଜଣ ବଙ୍ଗୀୟ ହିନ୍ଦୁ ସୈନିକଙ୍କୁ ଆମ ପାଖକୁ ପଠାଇ ପଛରୁ ଗୁଳି ମାରିବା ଦେଖିଛୁ। ପୂର୍ବ ପାକିସ୍ତାନ ଚାହୁଁଥିଲା ପଶ୍ଚିମ ପାକିସ୍ତାନର ଯୁଦ୍ଧବନ୍ଦୀଙ୍କୁ ଭାରତ ପୂର୍ବ ପାକିସ୍ତାନ ଲୋକଙ୍କୁ ଦେଇଦେଉ ଓ ସେମାନେ ନିଜ ଉପରେ ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନିଅନ୍ତୁ। କାରଣ, ଯୁଦ୍ଧବନ୍ଦୀ ହୋଇଥିବା ଅଧିକାଂଶ ପଶ୍ଚିମ ପାକିସ୍ତାନ ସୈନିକ, ପୂର୍ବ ପାକିସ୍ତାନର ପୁରୁଷଙ୍କୁ ହତ୍ୟା କରି ସେମାନଙ୍କ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ଏକ ଅତ୍ୟାଚାରୀ ରାଷ୍ଟ୍ର ଓ ନିର୍ଲଜ ସୈନିକଙ୍କ କବଳରୁ ପୂର୍ବ ପାକିସ୍ତାନକୁ ମୁକ୍ତ କରି ସ୍ବାଧୀନତା ଦେବା ପାଇଁ ହୋଇଥିବା ଯୁଦ୍ଧର ସୈନିକ ଭାବେ ସବୁଦିନ ଗର୍ବ ଅନୁଭବ କରିବି।

ପ୍ରସ୍ତୁତି: ସଚ୍ଚିକାନ୍ତ ନାଥ

ସମ୍ବନ୍ଧିତ ଖବର