୧୯୭୧ ମସିହା ଯୁଦ୍ଧରେ ବିଜୟର ୫୦ତମ ପୂର୍ତ୍ତି ଅବସରରେ ସାରାଦେଶରେ ସ୍ବତନ୍ତ୍ର ଉତ୍ସବର ଅାୟୋଜନ କରାଯାଉଛି। ଦେଶ ପାଇଁ ଏହି ଐତିହାସିକ ଯୁଦ୍ଧ ଯେତିକି ଲୋମହର୍ଷକ ଥିଲା, ସେତିକି ଗୌରବବର୍ଦ୍ଧକ ବି ଥିଲା। ଯୁଦ୍ଧ‌ରେ ଜଳ,ସ୍ଥଳ ଓ ବାୟୁସେନା ସାମିଲ୍‌ ହୋଇଥିଲେ। ଫଳସ୍ବରୂପ ପାକିସ୍ତାନଠାରୁ ଅଲଗା ହୋଇ ସ୍ବତନ୍ତ୍ର ବାଂଲାଦେଶ ପ୍ରତିଷ୍ଠା ଲାଭ କରିଥିଲା। ସେହି ଯୁଦ୍ଧରେ ଲଢ଼ି ଦେଶ ପାଇଁ ବିଜୟ ଭେଟି ଦେଇଥିବା ବୀର ଯବାନଙ୍କୁ ସମ୍ମାନ ଜଣାଇବା ପାଇଁ ‘ସମ୍ବାଦ’ ପକ୍ଷରୁ ଏକ ସ୍ବତନ୍ତ୍ର ପ୍ରୟାସ...‘ତୁଝେ ସଲାମ୍‌’। ଏହି କ୍ରମରେ କମାଣ୍ଡର୍‌ ଦୀନବନ୍ଧୁ ଶର୍ମା (ଅବସରପ୍ରାପ୍ତ)ଯାହା କୁହନ୍ତି....।

Advertisment

publive-image କମାଣ୍ଡର୍‌ ଦୀନବନ୍ଧୁ ଶର୍ମା (ଅବସରପ୍ରାପ୍ତ)

ଦେଶ ପାଇଁ ଯୁଦ୍ଧ ଲଢ଼ିବା ଓ ବିଜୟ ପ୍ରାପ୍ତ କରିବାର ସୌଭାଗ୍ୟ ଅଳ୍ପସଂଖ୍ୟକ ସୈନିକଙ୍କୁ ମିଳିଥାଏ। ଆଉ, ଯାହା ହାତ ଧରି ଚାଲିବା ଠାରୁ ଆରମ୍ଭ କରି ଯୁଦ୍ଧ କୌଶଳ ଶିଖିଥିବ, ତାଙ୍କ ସହ ମିଶି ଯୁଦ୍ଧ ଲଢ଼ିବାର ସୌଭାଗ୍ୟ ହାତଗଣତି କିଛି ସୈନିକଙ୍କୁ ମିଳିଥାଏ। ମୁଁ ସେହିଭଳି ଜଣେ ସୌଭାଗ୍ୟବାନ୍‌ ସୈନିକ, ଯିଏ ନିଜ ବାପା (ରିଅର୍‌ ଆଡମିରାଲ୍‌ ଶ୍ରୀହରିଲାଲ ଶର୍ମା)ଙ୍କ ସହ ମିଶି ବଙ୍ଗୋପସାଗରରେ ୧୯୭୧ ମସିହା ଯୁଦ୍ଧ ଲଢ଼ିଥିଲି ଓ ଦେଶ ପାଇଁ ବିଜୟ ଆଣିଥିଲି।

ଭୁବନେଶ୍ବର ଷ୍ଟିୱାର୍ଟ ସ୍କୁଲ୍‌ ଓ ପରେ ଲଣ୍ଡନ୍‌ରୁ ପଢ଼ା ଶେଷ କରି ମୁଁ ଏନ୍‌ଡିଏରେ ଯୋଗ ଦେଇଥିଲି। ସେତେବେଳେ ବାପା ନୌସେନାରେ ଥିବାରୁ ମୁଁ ନୌସେନାରେ ଯୋଗଦେବାକୁ ଇଚ୍ଛା ରଖିଥିଲି। ଏନ୍‌ଡିଏ ପରେ ୧୯୬୭ରେ ଆଇଏନ୍‌ଏସ୍‌ ତୀର୍‌ରେ କ୍ୟାଡେଟ୍‌ ଟ୍ରେନିଂ ଓ ପରେ ପରେ ଆଇଏନ୍‌ଏସ୍‌ ମହୀଶୂର ଓ ଆଇଏନ୍‌ଏସ୍‌ ଖୁକ୍‌ରୀରୁ ମିଡସିପ୍‌ମ୍ୟାନ୍‌ ଟ୍ରେନିଂ ସାରି ୧୯୬୮ ମସିହାରେ ଆଇଏନ୍‌ଏସ୍‌ କାବେରୀର ‘ଗନରି ଅଫିସର୍‌ (ତୋପ ଅଧିକାରୀ)’ ଭାବେ ଯୋଗଦେଲି। ପ୍ରାୟ ବର୍ଷକ ପରେ କୋଚିନ୍‌ରେ‘ନେଭିଗେସନ୍‌ ଓ ଡିରେକ୍ସନ୍‌ରେ ସୁପର୍‌ ସ୍ପେସାଲିଷ୍ଟ୍‌ କୋର୍ସ କରୁଥିବା ବେଳେ ପାକିସ୍ତାନ ସହ ଯୁଦ୍ଧ ସ୍ଥିତି ଆସିଗଲା ଓ ଆମ କୋର୍ସ ଅଧାରୁ ବାତିଲ୍ କରି ସମସ୍ତଙ୍କୁ ଯୁଦ୍ଧ କ୍ଷେତ୍ରକୁ ପଠାଇ ଦିଆଗଲା। ମୁଁ ବିଶାଖାପାଟଣା ଯାଇ ‘ପୋର୍ଟ ଡିଫେନ୍‌ସ ହେଡ୍‌କ୍ବାର୍ଟର୍‌’ର ଦାୟିତ୍ବ ତୁଲାଇଲି। ହେଲେ, ମାତ୍ର ୨ସପ୍ତାହ ନପୂରୁଣୁ ମୋତେ ଆଇଏନ୍‌ଏସ୍‌ ରାଜପୁତ୍‌ର ନେଭିଗେସନ୍‌ ଓ ଅପରେସନ୍‌ସ ଅଫିସର ଭାବେ ନିଯୁ୍କ୍ତି ଦିଆଗଲା। ସେତେବେଳେ ମୁଁ ଲେଫଟନାଣ୍ଟ ଥାଏ ଓ ମୋ ବାପା ରିଅର୍‌ ଆଡମିରାଲ୍‌ ଶ୍ରୀହରିଲାଲ ଶର୍ମା ଇଷ୍ଟର୍ଣ୍ଣ ଫ୍ଲିଟ୍‌ର ଫ୍ଲାଗ୍‌ ଅଫିସର୍‌ କମାଣ୍ଡିଂ ଭାବେ ଆଇଏନ୍‌ଏସ୍‌ ବିକ୍ରାନ୍ତରେ ଯୁଦ୍ଧ କରୁଥାଆନ୍ତି। ବାପା ସମ୍ପୂର୍ଣ୍ଣ ଫ୍ଲିଟ୍‌ର ମୁଖ୍ୟ ଥିଲେ ବି ଘର ସହ ଯୋଗାଯୋଗର କୌଣସି ସୁଯୋଗ ନଥିଲା। ଆଉ, ଆମେ ଦୁହେଁ ବଙ୍ଗୋପସାଗରେ ଲଢ଼ୁଥିବା ବେଳେ ମୋ ମା ବିଶାଖାପାଖଣାରେ ପ୍ରତି ମୁହୂର୍ତ୍ତରେ ଆଶଙ୍କା ଭିତରେ ରହୁଥିଲେ।

publive-image Firstpost

ଡିସେମ୍ବର ୩ତାରିଖ ରାତି ପ୍ରାୟ ୧୨ଟାରେ ଆମେ ଭାଇଜାଗ୍‌ ପୋର୍ଟ ଛାଡ଼ିବା ବେଳେ ପାକିସ୍ତାନର ସବ୍‌ମେରାଇନ୍‌ ପିଏନ୍‌ଏସ୍‌ ଘାଜି ଭାଇଜାଗ୍‌ ପୋର୍ଟ ନିକଟରେ ପାଣି ତଳେ ବୁଡ଼ିକି ରହିଥିଲା। ଆମେ ଘାଜିକୁ କେତେଟା ସିଗ୍‌ନାଲ୍‌ ପଠାଇଲୁ, ଜାଣିବା ପାଇଁ ତାହା କେଉଁ ପକ୍ଷର ଜାହାଜ ବୋଲି। ହେଲେ, ସେପଟୁ କିଛି ଉତ୍ତର ମିଳିଲାନି। ଯୁଦ୍ଧ ସମୟର ନିୟମ ମୁତାବକ ଆମ କମାଣ୍ଡିଂ ଅଫିସର୍‌ କ୍ୟାପଟେନ୍‌ ଇନ୍ଦର୍‌ ସିଂ ତୁରନ୍ତ ନିର୍ଦ୍ଦେଶ ଦେଲେ ତା’ ଉପରକୁ ଡେପ୍‌ଥ ଚାର୍ଜ ମାରିବା ପାଇଁ। ଆମ ଜାହାଜ ତା ଉପରକୁ ୩ଟା ଡେପ୍‌ଥ ଚାର୍ଜ ମାରି ପୂର୍ବ ପାକିସ୍ତାନ ଅଭିମୁଖେ ବଙ୍ଗୋପସାଗରକୁ ବାହାରି ଯାଇଥିଲା। ପରଦିନ ସକାଳେ ଭାଇଜାଗ୍‌ର ଧୀବରମାନେ ସମୁଦ୍ରରୁ ପିଏନ୍‌ଏସ୍‌ ଘାଜିର ଭଗ୍ନାବଶେଷ ଓ କେତେଜଣ ନୌସୈନିକଙ୍କ ମୃତଦେହ ଠାବ କରିବା ପରେ ଯାଇ ଆମେ ଜାଣିଥିଲୁ ଯେ ଆମ ରାତିରେ ଯାହାକୁ ଡେପ୍‌ଥ ଚାର୍ଜ ମାରିଥିଲୁ ତାହା ପିଏନ୍‌ଏସ୍‌ ଘାଜି ଥିଲା। ସେଇ ଆକ୍ରମଣରେ ପିଏନ୍‌ଏସ୍‌ ଘାଜି ଧ୍ବଂସ ପାଇବା ସହ ସେଥିରେ ଥିବା ପାକିସ୍ତାନର ୯୩ଜଣ ନୌସୈନିକ ପାଣିତଳେ ଜୀବନ ହରାଇଥିଲେ।

ଆମ ଟିମ୍‌ରେ ସେତେବେଳେ ୧୪ଟି ଜାହାଜ ଥିଲା, ଯାହାର କାମ ଥିଲା ପୂର୍ବ ପାକିସ୍ତାନ ସହ ସମୁଦ୍ରପଥର ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ କରିବା। ଅନୱାର୍‌ ବକ୍ସ ନାମକ ଜାହାଜରେ ୫ଶହ ପାକିସ୍ତାନୀ ସୈନିକ ଲୁଚି ପଳାଇବାବେଳେ ଆମେ ତାଙ୍କୁ ସମୁଦ୍ରରେ ଧରି ଗିରଫ କରିଥିଲୁ, ଯାହା ଯୁଦ୍ଧରେ ଏକ ବିରାଟ ସଫଳତା ଥିଲା। ପୂର୍ବ ପାକିସ୍ତାନର ଚିଟଗଞ୍ଜ୍‌ ନିକଟରେ ପହଞ୍ଚିବା ପରେ ଆମ ଜାହାଜ ରାଜପୁତ୍‌କୁ ଆଇଏନ୍‌ଏସ୍‌ ବିକ୍ରାନ୍ତର ନେଭିଗେଟିଂ ଅଫିସର୍‌ଙ୍କଠାରୁ ସିଗ୍‌ନାଲ୍‌ ଆସିଲା, ଯେଉଁଥିରେ ଲେଖାଥିଲା ମୋତେ ତୁରନ୍ତ ସେଠାକୁ ଯିବା ପାଇଁ। ସିନିୟର୍‌ ଜାହାଜର ନିର୍ଦ୍ଦେଶ ଥିବାରୁ ଆମ ଜାହାଜରୁ ଗୋଟେ ବୋଟ୍‌ ସମୁଦ୍ରକୁ ଓହ୍ଲାଇ ମୁଁ ତୁରନ୍ତ ୫/୬ କିଲୋମିଟର ଦୂରରେ ଥିବା ଆଇଏନ୍‌ଏସ୍‌ ବିକ୍ରାନ୍ତକୁ ଗଲି। ସେଠାରେ ପହଞ୍ଚିବା ପରେ ବିକ୍ରାନ୍ତର ନେଭିଗେଟିଂ ଅଫିସର୍‌ ମୋତେ ଆଡମିରାଲ୍‌ଙ୍କ କ୍ୟାବିନ୍‌କୁ ଯାଇ ବାପାଙ୍କୁ ଭେଟିବାକୁ କହିଲେ। (ବାପା ଫ୍ଲାଗ୍‌ ଅଫିସର୍‌ କମାଣ୍ଡିଂ ଥିବାରୁ ବିକ୍ରାନ୍ତରେ ରହି ସମ୍ପୂର୍ଣ୍ଣ ଫ୍ଲିଟ୍‌କୁ ପରିଚାଳନା କରୁଥିଲେ)। ମୁଁ ବାପାଙ୍କ ପାଖକୁ ଗଲି ଓ ମାତ୍ର ୧୦ମିନିଟ୍‌ ଭିତରେ ପୁଣି ଆମ ଜାହାଜକୁ ଫେରି ଆସିଥିଲି। ଏକାଠି ସମୁଦ୍ରରେ ଲଢ଼ୁଥିଲେ ବି ସେଇ ଗୋଟିଏ ଥର ମୁଁ ଯୁଦ୍ଧ ଭିତରେ ‌ବାପାଙ୍କୁ ଭେଟିବାର ସୁଯୋଗ ପାଇଥିଲି। ଯୁଦ୍ଧ ପରେ ମୁଁ ବାପାଙ୍କ ଫ୍ଲାଗ୍‌ ଲେଫ୍‌ଟନାଣ୍ଟ ହେବାର ସୁଯୋଗ ପାଇଲି। ନିଜ ବାପାଙ୍କ ଫ୍ଲାଗ୍‌ ଲେଫ୍ଟନାଣ୍ଟ ହେବାର ସୌଭାଗ୍ୟ ଭାରତୀୟ ନୌସେନାରେ କେବଳ ଦୁଇଜଣଙ୍କୁ ମିଳିଥିବାର ରେକର୍ଡ ଅଛି, ସେଥିରୁ ମୁଁ ଜଣେ। ଏହା ପରେ ପଦୋନ୍ନତି ପାଇ ମୁମ୍ବାଇର ନାଭାଲ୍‌ ଅଫିସର୍‌-ଇନ୍‌-ଚାର୍ଜ‌୍ ଭାବେ ନୌବାହିନୀରୁ ଅବସର ନେଇଥିଲେ ବି ୧୯୭୧ ମସିହା ଯୁଦ୍ଧର ଅନୁଭୂତିକୁ ନେଇ ସାରା ଜୀବନ ଗର୍ବ କରୁଥିବି।

ପ୍ରସ୍ତୁତି: ସଚ୍ଚିକାନ୍ତ ନାଥ