୧୯୮୭ ଓସିଏସ୍‌ ବିବାଦ ମାମଲା: ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ

କଟକ: ୧୯୮୭ ମସିହା ଓଡିଶା ସିଭିଲ ସର୍ଭିସ(ଓସିଏସ) ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ସଂପର୍କିତ ମାମଲାରେ ହାଇକୋର୍ଟ ପ୍ରଦାନ କରିଥିବା ରାୟ ସୁପ୍ରିମକୋର୍ଟରେ କାଏମ ରହିଛି। ୨୦୧୪, ଜାନୁଆରି ୨୧ ତାରିଖରେ ହାଇକୋର୍ଟ ପ୍ରଦାନ କରିଥିବା ରାୟର ପୁନର୍ବିଚାର ପାଇଁ ସରକାର ରିଭ୍ୟୁ ପିଟିସନ୍‌ ଦାଖଲ କରିଥିଲେ। ହାଇକୋର୍ଟରେ ୨୦୧୭, ଅଗଷ୍ଟ ୨୮ରେ ରିଭ୍ୟୁ ପିଟିସନ୍‌ ଖାରଜ ହେବା ପରେ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ଜଷ୍ଟିସ ମଦନ ବି.ଲୋକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ସ୍ପେଶାଲ ଲିଭ୍‌ ପିଟିସନ୍‌ ଖାରଜ କରିଛନ୍ତି। ଏ ସଂପର୍କିତ ଅଦାଲତ ଅବମାନନା ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ଥିବା ସୁପ୍ରିମକୋର୍ଟରେ ପିଟିସନ୍‌ ଖାରଜ ହେବା ପରେ ସରକାର ଅଡୁଆ ପରିସ୍ଥିତିରେ ପଡିଛନ୍ତି। ସୁପ୍ରିମକୋର୍ଟରେ ପ୍ରତିପକ୍ଷଙ୍କ ତରଫରୁ ଆଇନଜୀବୀ ଅଭୟ କୁମାର ବେହେରା, ପ୍ରଭୁ ପିତ୍ୟାର୍ଥୀ କୁମାର ପଣ୍ଡିତ ଓ ସୌନକ ଏସ୍‌.ଦାସ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୭ମସିହାରେ ଓଡିଶା ପ୍ରଶାସନିକ ସେବା ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ୯୪ଜଣ କୃତକାର୍ଯ୍ୟ ହୋଇଥିଲେ। କ୍ଲାସ-୨ ପଦବିରେ ନିଯୁକ୍ତି ପାଇଁ ମନୋନୀତ କେତେକ ପ୍ରାର୍ଥୀଙ୍କୁ କିନ୍ତୁ ପରବର୍ତ୍ତୀ ସମୟରେ କ୍ଲାସ-୩ ପଦବିରେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଏପରି ନିଷ୍ପତ୍ତିକୁ କେତେକ ପ୍ରାଥ୍ରୀ ୧୯୯୦ରେ ସ୍ୟାଟରେ ଚାଲେଞ୍ଜ କରିଥିଲେ। ୨୦୦୫, ମାର୍ଚ୍ଚ ୨୨ରେ ସ୍ୟାଟ ମାମଲାର ଶୁଣାଣି କରି ଏହାକୁ ଅଗ୍ରାହ୍ୟ କରିଥିଲେ। ମାମଲା ବିଚାରାଧୀନ ଥିବା ବେଳେ ସରକାର ଏହି ଆବେଦନକାରୀଙ୍କୁ କ୍ଲାସ-୨ପଦବିରେ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ମାମଲା ବିଚାରାଧୀନ ଥିବା ଅବସ୍ଥାରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନଥିଲା।

ଅନ୍ୟପକ୍ଷରେ ସ୍ୟାଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲା ବିଚାରାଧୀନ ଥିବା ବେଳେ ସମାନ ପରିସ୍ଥିତିରେ ଥିବା ଅନ୍ୟ ଦୁଇ ଜଣଙ୍କୁ ସରକାର କ୍ଲାସ-୨ ପଦବିରେ ନିଯୁକ୍ତି ପ୍ରଦାନ କରିଥିଲେ। ଏଭଳି ଘଟଣା ସଂପର୍କରେ ଆବେଦନକାରୀ ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରିଥିଲେ। ୨୦୧୪, ଜାନୁଆରି ୨୧ରେ ହାଇକୋର୍ଟ ମାମଲାର ଶୁଣାଣି କରି ସ୍ୱତନ୍ତ୍ର ପଦବୀ ସୃଷ୍ଟି କରି ଆବେଦନକାରୀଙ୍କୁ ୨ମାସ ମଧ୍ୟରେ ନିଯୁକ୍ତି ପ୍ରଦାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସରକାର ଏ ନେଇ କୌଣସି ପଦକ୍ଷେପ ନେଇ ନଥିଲେ। ୨୦୧୪, ଜାନୁଆରି ୨୧ ତାରିଖର ନିର୍ଦ୍ଦେଶର ପୁନର୍ବିଚାର ପାଇଁ ସରକାର ୨୦୧୫ରେ ହାଇକୋର୍ଟରେ ରିଭ୍ୟୁ ପିଟିସନ୍‌ ଦାଖଲ କରିଥିବା ବେଳେ ଆବେଦନକାରୀ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର