ଭୁବନେଶ୍ବର(କେଶବ ପାଣି): ଦଶମ ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଉଛନ୍ତି। ୬୦%ରୁ ଅଧିକ ନମ୍ବର ରଖି ଭଲ ବିଦ୍ୟାଳୟରେ ପଢ଼ିବାକୁ ସିଟ୍ ପାଉଛନ୍ତି। ମାତ୍ର ଦୁଇବର୍ଷ ଧରି ଶିକ୍ଷା ଗ୍ରହଣ କରିବା ପରେ ଦ୍ବାଦଶ ଶ୍ରେଣୀ ଡେଇଁ ପାରୁନାହାନ୍ତି। କଥାଟା ଅଡ଼ୁଆ ଲାଗୁଥିଲେ ମଧ୍ୟ ଭୁବନେଶ୍ବରରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜଗୁଡ଼ିକରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ବିଜେବି, ରମାଦେବୀ, ବେସିକ୍ ସାଇନ୍ସ, ରାଜଧାନୀ, ମହର୍ଷି; ପ୍ରତିବର୍ଷ ସବୁଠି ସମାନ ଫଳ ଦେଖିବାକୁ ମିଳୁଛି। ଗୋଟିଏ ପଟେ ସହରର ନାମକରା ବିଦ୍ୟାଳୟରେ ପଢ଼ୁଥିବାରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରୁଛନ୍ତି। ହେଲେ ଫଳ ପ୍ରକାଶ ବେଳକୁ ସବୁ କିଛି ଓଲଟି ଯାଉଛି। ମେଧାବୀମାନେ ଧୀରେ ଧୀରେ ପାଠପଢ଼ାରୁ ଦୂରେଇ ଯାଉଛନ୍ତି।
ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଦ୍ବାଦଶ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳାଫଳ ଉପରେ ନଜର ପକାଇଲେ, ଏହାର ଏକ ସ୍ପଷ୍ଟ ଚିତ୍ର ଆସିପାରିବ। ୨୦୨୩ରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ୨୦୨୦-୨୧ ଶିକ୍ଷାବର୍ଷରେ ନାମ ଲେଖାଇଥିଲେ। ବିଭିନ୍ନ ପର୍ଯ୍ୟାୟ ନାମଲେଖା ପରେ ସର୍ବନିମ୍ନ କଟ୍-ଅଫ୍-ମାର୍କ ଯେତିକି ରହିଥିଲା, ତା’ଠାରୁ ଅଧିକ ନମ୍ବର ରଖିଥିବା ପିଲାମାନେ କଲେଜକୁ ଆସିଥିଲେ। ସେହି ଅନୁଯାୟୀ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଥା ଦେଖିଲେ, ସାଧାରଣ ବର୍ଗର କଳାରେ ୭୬.୪୦%, ବିଜ୍ଞାନ ୮୮.୩୩%, ବାଣିଜ୍ୟରେ ୭୩.୬୭% ସର୍ବନିମ୍ନ କଟ୍-ଅଫ୍-ମାର୍କ ରହିଥିଲା। ଅନୁସୂଚିତ ଜନଜାତି(ଏସ୍ଟି) ବର୍ଗ କଳାରେ ୫୮.୧୭%, ବିଜ୍ଞାନରେ ୭୧.୮୦%, ବାଣିଜ୍ୟରେ ୩୩%, ଅନୁସୂଚିତ ଜାତି(ଏସ୍ସି) ବର୍ଗ କଳାରେ ୬୬.୫୦%, ବିଜ୍ଞାନରେ ୮୧.୧୭% ଓ ବାଣିଜ୍ୟରେ ୫୦.୫୦% କଟ୍-ଅଫ୍-ମାର୍କ ରହିଥିଲା। ଅର୍ଥାତ୍ ଏହି ମାର୍କଠାରୁ ଅଧିକ ନମ୍ବର ରଖିଥିବା ଦଶମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀ ଏଠାରେ ନାମ ଲେଖାଇଥିଲେ। ଫଳ ବାହାରିଲା ବେଳକୁ ବିଜ୍ଞାନରେ ପଞ୍ଜୀକରଣ କରିଥିବା ୫୩୨ଜଣଙ୍କ ମଧ୍ୟରୁ ୪୫୪ଜଣ ପାସ୍ କରିଛନ୍ତି। ଦଶମରେ ୮୮.୩୩%ରୁ ଅଧିକ ନମ୍ବର ରଖିଥିବା ବାକି ୭୮ଜଣ ମେଧାବୀ ଦ୍ବାଦଶ ଶ୍ରେଣୀରେ ଫେଲ୍ ହୋଇଛନ୍ତି। ସେହିପରି ବାଣିଜ୍ୟରେ ପଞ୍ଜୀକରଣ କରିଥିବା ୩୬୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୨୬ ଓ କଳାରେ ୪୯୯ଜଣ ଫର୍ମପୂରଣ କରିଥିବା ବେଳେ ୪୬୪ଜଣ କୃତକାର୍ଯ୍ୟ ହୋଇଛନ୍ତି। ତିନୋଟି ଯାକ ବିଭାଗର ଛାତ୍ରଛାତ୍ରୀଙ୍କ ତଥ୍ୟକୁ ଦେଖିଲେ, ୧୪୦୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨୪୪ ପାସ୍ ଏବଂ ବାକି ୧୫୬ଜଣ ଫେଲ୍ ହୋଇଛନ୍ତି।
ସେହିପରି ବେସିକ୍ ସାଇନ୍ସ କଥା ଯଦି ଦେଖିବା, ସାଧାରଣ ବର୍ଗରେ ୮୪.୫୦%ରୁ ଅଧିକ ନମ୍ବର ରଖି ଏଠାରେ ନାମ ଲେଖାଇ ପରୀକ୍ଷା ଦେଇଥିବା ୩୭୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୩୯ଜଣ ପ୍ରଥମ, ୭୭ଜଣ ଦ୍ବିତୀୟ, ୧୩ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ବାକି ୪୬ଜଣ ଫେଲ୍। ରମାଦେବୀ ମହିଳା ମହିଳା ଉଚ୍ଚ ବିଦ୍ୟାଳୟରେ ମଧ୍ୟ ସମାନ ଅବସ୍ଥା। କଳାରେ ୭୧% ଓ ବିଜ୍ଞାନରେ ୮୨.୧୭%ରୁ ଅଧିକ ନମ୍ବର ରଖିଥିବା ପିଲା ଏଠାରେ ନାମ ଲେଖାଇଥିଲେ। ବିଜ୍ଞାନରେ ୩୮୨ ପିଲାଙ୍କ ମଧ୍ୟରୁ ୩୩୯ ଓ କଳାରେ ୪୯୦ ପିଲାଙ୍କ ମଧ୍ୟରୁ ୪୬୭ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନ୍ୟତମ ପ୍ରମୁଖ କଲେଜ ରାଜଧାନୀରେ ୨୦୨୦-୨୧ଶିକ୍ଷାବର୍ଷରେ କଳାରେ ୭୦.୫୦%, ବିଜ୍ଞାନରେ ୮୦%, ବାଣିଜ୍ୟରେ ୬୬.୬୦%ରୁ ଅଧିକ ନମ୍ବର ରଖିଥିବା ସାଧାରଣ ବର୍ଗର ପିଲାମାନେ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିଲେ। ଦ୍ବାଦଶ ଶ୍ରେଣୀ କଳା ବିଭାଗରେ ୨୪୭ଜଣ ପରୀକ୍ଷା ଦେଇଥିବା ବେଳେ ୨୧୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟରେ ୧୨୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୯ଜଣ ପାସ୍ କରିଥିବା ବେଳେ ବିଜ୍ଞାନରେ ୩୮୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୦ରୁ ଅଧିକ ପିଲା ଫେଲ୍ ହୋଇଛନ୍ତି। ମହର୍ଷି କଲେଜରେ କଳାରେ ୬୭.୩୩%, ବିଜ୍ଞାନରେ ୬୪.୮୦% କଟ୍-ଅଫ୍-ମାର୍କ ରଖିଥିବା ପିଲାମାନେ ନାମ ଲେଖାଇଥିଲେ। ତେବେ ଚଳିତବର୍ଷ ପରୀକ୍ଷା ଫଳ ପ୍ରକାଶ ବେଳକୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି। ଏହାବ୍ୟତୀତ ସିଟି ଓମେନ୍ସ କଲେଜ, ଦେବରାୟ କଲେଜ, କମଳା ନେହରୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭଲ ନମ୍ବର ରଖିଥିବା ମେଧାବୀ ଛାତ୍ରଛାତ୍ରୀ ଏକାଦଶରେ ନାମ ଲେଖାଇଥିଲେ ମଧ୍ୟ ଦ୍ବାଦଶରେ ଫେଲ ହୋଇଥିବା ନଜରକୁ ଆସିଛି।
ଏନେଇ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରଞ୍ଜନ କୁମାର ବଳଙ୍କ କହିବା କଥା, ବହୁସଂଖ୍ୟକ ଏସ୍ଟି ଓ ଏସ୍ସି ବର୍ଗର ପିଲାମାନେ ଏଥର ଫେଲ୍ ହୋଇଛନ୍ତି। ସିଟ୍ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ପରେ କମ୍ କଟ୍-ଅଫ୍-ମାର୍କରେ ବି ସେମାନଙ୍କୁ ସିଟ୍ ମିଳି ଯାଉଛି। ନାମ ଲେଖାଉଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ ପାଠପଢ଼ା ପ୍ରତି ସେତେଟା ଆଗ୍ରହ ଦେଖାଉ ନାହାନ୍ତି। କ୍ଲାସରେ ଅନୁପସ୍ଥିତ ରହୁଛନ୍ତି। ଯେଉଁଥିପାଇଁ ଏଭଳି ଫଳ ହେଉଛି। ଏଥର ସାଧାରଣ ବର୍ଗର ଯେତିକି ପିଲା ଫେଲ୍ ହୋଇଛନ୍ତି, ସେମାନେ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବାକୁ ଫର୍ମପୂରଣ କରିଛନ୍ତି। ଶିକ୍ଷାବିତ୍ ପ୍ରଫେସର୍ ବାସୁଦେବ ଛାଟୋଇଙ୍କ କହିବାନୁଯାୟୀ, ଦଶମ ପରେ ପିଲାମାନେ ପାଠପଢ଼ାଠାରୁ ଅନ୍ୟମନସ୍କ ହୋଇଯାଆନ୍ତି। ଖରାପ ପିଲାଙ୍କ ସହ ମିଶିବା, କ୍ଲାସରୁମ୍ ପାଠପଢ଼ା ଅପେକ୍ଷା କୋଚିଂ ଉପରେ ଅଧିକ ଗୁରୁତ୍ବ ଦେବା, ପାଠପଢ଼ାରେ ପରସ୍ପର ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା କରିବା ବଦଳରେ ଗୋଷ୍ଠୀ ତିଆରି କରିବା ପରି ବିଭିନ୍ନ କାର୍ଯ୍ୟକଳାପରେ ଲିପ୍ତ ରହିଥା’ନ୍ତି। ପରିବାରଠାରୁ ଦୂରରେ ରହୁଥିବାରୁ ଆକଟ ବି ସେତେଟା ନଥାଏ। ଏଥିପାଇଁ ସେମାନଙ୍କ ପାଠପଢ଼ା ପ୍ରଭାବିତ ହୋଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/BJB-college-692x430-1.jpg)