୧୦ ପ୍ରକଳ୍ପରେ ୯୨ ହଜାର କୋଟି ନିବେଶ
ଚଣ୍ଡିଖୋଲରେ ଦେଶର ବୃହତ ପେଟ୍ରୋଲିୟମ୍ ରିଜର୍ଭ
ପାରାଦୀପରେ ଏଲ୍ପିଜି ଆମଦାନି ସୁବିଧା ଶୀଘ୍ର
୬ ବର୍ଷରେ ୨୫ଟି ପ୍ରକଳ୍ପର କାର୍ଯ୍ୟ ଶେଷ
ଭୁବନେଶ୍ବର : ଓଡ଼ିଶାରେ ତୈଳ ଓ ଗ୍ୟାସ୍ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ସଚିବ ତରୁଣ କାପୁର। ସେ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କୁ ଭେଟି ମଧ୍ୟ ବିଭିନ୍ନ ପ୍ରକଳ୍ପ ଅଗ୍ରଗତି ବିଷୟରେ ଆଲୋଚନା କରିଛନ୍ତି। ଉଭୟ ପକ୍ଷ ମଧ୍ୟରେ ଆଲୋଚନା ସଫଳ ହୋଇଛି ଓ ପ୍ରକଳ୍ପଗୁଡ଼ିକୁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି ମୁଖ୍ୟ ସଚିବ କହିଛନ୍ତି। ଏହି ଅବସରରେ ଇଣ୍ଡିଆନ୍ ଅଏଲ୍ର ଅଧ୍ୟକ୍ଷ ଏସ୍ ଏମ୍ ବୈଦ୍ୟ, ନିର୍ଦେଶକ (ଏଚ୍ଆର୍) ରଞ୍ଜନ କୁମାର ମହାପାତ୍ର, ତୈଳ ଉଦ୍ୟୋଗଗୁଡ଼ିକର ରାଜ୍ୟସ୍ତରୀୟ ସଂଚାଳକ ଶୁଭଜିତ ଘୋଷ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଶ୍ରୀ କାପୁର ସୂଚନା ଦେଇ କହିଛନ୍ତି ଯେ ଓଡ଼ିଶାରେ ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ତରଫରୁ ୬୯ଟି ପ୍ରକଳ୍ପରେ ୨ ଲକ୍ଷ ୧୩ ହଜାର ୨୦୯ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିଗତ ଛଅ ବର୍ଷ ମଧ୍ୟରେ ୪୩,୩୨୨ କୋଟି ଟଙ୍କା ବିନିଯୋଗରେ ୨୫ଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି ଓ ୭୭,୩୩୧ କୋଟି ଟଙ୍କା ମୂଲ୍ୟରେ ୩୪ଟି ପ୍ରକଳ୍ପର କାମ ଚାଲୁ ରହିଛି। ୧୦ଟି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୯୨,୫୫୭ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ ବୋଲି ଆକଳନ କରାଯାଇଛି। ଯାଜପୁରର ଚଣ୍ଡିଖୋଲରେ ଇଣ୍ଡିଆନ୍ ଅଏଲ୍ ସ୍ଥାପନ କରିବାକୁ ଥିବା ଦେଶର ସର୍ବବୃହତ ପେଟ୍ରୋଲିୟମ୍ ରିଜର୍ଭ ପାଇଁ ବିଭାଗୀୟ ମନ୍ତ୍ରଣାଳୟ ସବୁ ପ୍ରକାର ବ୍ୟବସ୍ଥା କରିଥିବା ବେଳେ ରାଜ୍ୟ ସରକାର ଏଥିରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦ୍ୟୋୟ ମିସନରେ ରାଜ୍ୟର ତୈଳ ଓ ଗ୍ୟାସ୍ ପ୍ରକଳ୍ପର କାମ ତ୍ବରାନ୍ବିତ ହେଉଥିବାରୁ ସେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି।
ଓଡ଼ିଶାରେ ସରକାରୀ ତୈଳ ଉଦ୍ୟୋଗଗୁଡ଼ିକର ୨୦୬୮ଟି ରିଟେଲ୍ ଆଉଟ୍ଲେଟ୍, ୯୫୨ ଏଲ୍ପିଜି ବିତରକ ଓ ୧୬୧ କିରାସିନି ଡିଲର୍ସିପ୍ ରହିଛି। ଉଜ୍ଜ୍ବଳା ଯୋଜନାରେ ଓଡ଼ିଶାରେ ୪୭.୩୬ ଲକ୍ଷ ହିତାଧିକାରୀ ଉପକୃତ ହୋଇଛନ୍ତି। ପାରଦୀପ ଠାରେ ଚଳିତ ବର୍ଷ ମେ’ ୨ରେ ଏଲ୍ପିଜି ଆମଦାନି ସୁବିଧା ଶୀଘ୍ର କାର୍ଯ୍ୟକ୍ଷମ ହେବ। ରାୟଗଡ଼ା ଓ ଖୋର୍ଦ୍ଧା ଠାରେ ଦୁଇଟି ଏଲ୍ପିଜି ପ୍ଲାଣ୍ଟ୍ ନିର୍ମାଣ କରାଯାଉଛି। ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ବ୍ରହ୍ମପୁରରେ, ବିପିସିଏଲ୍ ସଦାଶିବପୁର ଓ ଝାରସୁଗୁଡ଼ାରେ ତିନିଟି ପେଟ୍ରୋଲ୍ ତୈଳ ଲୁବ୍ରିକ୍ୟାଣ୍ଟ୍ ଟର୍ମିନାଲ୍ ସ୍ଥାପନ କରାଯାଉଛି। ବିପିସି ତରଫରୁ ବରଗଡ଼ରେ ଏକ ବାୟୋ ଇଥାନଲ୍ ପ୍ଲାଣ୍ଟ୍ ସ୍ଥାପନ କରାଯାଉଛି। ତୈଳ ଉଦ୍ୟୋଗଗୁଡ଼ିକ ରାଜ୍ୟରେ ଇଥାନଲ୍ ମିଶ୍ରିତ ଏମ୍ଏସ୍ ଯୋଗାଣ ଆରମ୍ଭ କରିଛନ୍ତି ଓ ୨୦୨୧-୨୨ ଆର୍ଥିକ ବର୍ଷରେ ୧୦% ଏମ୍ଏସ୍ରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରାଯିବ ବୋଲି ସେ କହିଛନ୍ତି। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲ୍ପିଜି ପାଇପ୍ଲାଇନ୍କୁ ପାଟନା-ମୁଜାଫରପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ। କଟକ ଓ ଖୋର୍ଦ୍ଧା ଆଦି ସହରରେ ଗ୍ୟାସ ବିତରଣ ପାଇଁ ଗେଲ୍, ଆଦାନି ଓ ଭାରତ ପେଟ୍ରୋ ରିସୋର୍ସ କାର୍ଯ୍ୟ କରୁଛନ୍ତି। ସିବିଜି ପ୍ଲାଣ୍ଟ୍ ପାଇଁ ୧୨ ଲେଟର ଅଫ୍ ଇଣ୍ଟେଣ୍ଟ୍ ଜାରି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ଏହି ଅବସରରେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ ସୁନ୍ଦରଗଡ଼, ଅନୁଗୁଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଦେଇ ଯାଉଥିବା ଗ୍ୟାସ୍ ପାଇପ୍ଲାଇନ୍ ପାଇଁ ୬୫ କିମି ପାଇଁ ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ଅନୁମତି ସହ ଅନ୍ୟାନ୍ୟ ଆବଶ୍ୟକୀୟ ମଞ୍ଜୁରି ମିଳିସାରିଛି। ଆଜିର ବୈଠକରେ ବୋକାରୋ-ଅନୁଗୁଳ ପାଇପ୍ଲାଇନ୍, ପାରାଦୀପ-ହାଇଦ୍ରାବାଦ ପାଇପ୍ଲାଇନ୍, ପାରାଦୀପ-ସୋମନାଥପୁର-ହଳଦିଆ ପାଇପ୍ଲାଇନ୍ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଯେଉଁ ଜମି ତଳେ ପାଇପ୍ଲାଇନ୍ ଯାଉଛି ସେମାନଙ୍କୁ କ୍ଷତିପୂରଣ ସହାୟତା ବଣ୍ଟନ, ଜଙ୍ଗଲ ଅନୁମତି ଏବଂ ଅନ୍ୟାନ୍ୟ ଆଇନଗତ ମଞ୍ଜୁରି ଉପରେ ଆଲୋଚନା ହୋଇ ସେଗୁଡ଼ିକର ସମାଧାନ କରାଯାଇଥିଲା। ପାରାଦୀପର ପିସିପିଆଇଆର୍ ଓ ପ୍ଲାଷ୍ଟିକ୍ ପାର୍କ ଅଗ୍ରଗତିର ସମୀକ୍ଷା କରାଯାଇଥିଲା। କୃଷି ବର୍ଜ୍ୟରୁ ଗ୍ୟାସ୍ ଉତ୍ପାଦନ କରିବା ଲାଗି ଆପିକଲ୍ ମାଧ୍ୟମରେ ଶ୍ରୀ ମଡେଲ୍ ଗାଇଡ୍ଲାଇନ୍ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି।
ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ଇଡ୍କୋ ସିଏମ୍ଡି ସଞ୍ଜୟ ସିଂହ, ପରିବେଶ ନିର୍ଦେଶକ ସୁଶାନ୍ତ ନନ୍ଦ, ଇପିକଲ୍ର ଏମ୍ଡି ଏନ୍ ବି ଜାୱାଲେ, ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଅଭୟ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।