ଘରେ କଳାକନା ବୁଲାଇଲେ ଚୋର: ନେଇଗଲେ ୨ ଲକ୍ଷ ୨୦ ହଜାର, ସୁନାଗହଣା

ବ୍ରହ୍ମବରଦା: ଯାଜପୁର ସଦର ଥାନା ଝାଲପଡ଼ା ପଞ୍ଚାୟତ ନୀଳକଣ୍ଠପୁର ଗ୍ରାମ ବଣୁଆସାହିର ଗିରିଧାରୀ ଖୁଣ୍ଟିଆଙ୍କ ଘରେ ଦୁର୍ବୃତ୍ତମାନେ କଳାକନା ବୁଲାଇ ଦେଇଛନ୍ତି। ପରିବାରର ଲୋକମାନେ ଏକ ବିବାହ କାର୍ଯ୍ୟରେ ବାହାରକୁ ଯାଇଥିବାବେଳେ ଏହାର ସୁଯୋଗ ନେଇ ଲୁଟେରାମାନେ ଘରେ ପଶିଥିଲେ। ବାକ୍ସ ଓ ଆଲମାରି ଭାଙ୍ଗି ସୁନାଗହଣା ସହ ନଗଦ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି।

ଏକ ବିବାହ କାର୍ଯ୍ୟ ପାଇଁ ଗିରିଧାରୀ ତାଙ୍କ ଘରେ ସୁନାଗହଣା ସହିତ ନଗଦ ୨ ଲକ୍ଷରୁ ଅଧିକ ଟଙ୍କା ରଖିଥିଲେ। ଘରେ କେହି ନଥିବାର ସୁଯୋଗ ଦେଖି ଚୋରମାନେ ଗତକାଲି ବିଳମ୍ବିତ ରାତିରେ ଆଲମାରି ଭାଙ୍ଗି ଗହଣା ନେଇଯାଇଥିଲେ। ବାକ୍ସ ଓ ଆଟାଚିକୁ ଘରଠାରୁ କିଛି ଦୂରରେ ଭାଙ୍ଗି ସେଥିରେ ଥିବା ନଗଦ ଟଙ୍କାକୁ ଚୋରାଇଛନ୍ତି। ୨ଟି ହାର, ୨ଟି ମୁଦି, କାନଫୁଲ ସମେତ ୬ ଭରି ସୁନାଗହଣା ସହ ନଗଦ ୨ଲକ୍ଷ ୨୦ହଜାର ଟଙ୍କା ଚୋରି ହୋଇଥିବା ସେ ଯାଜପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ସଦର ପୁଲିସ ସନ୍ଧାନୀ କୁକୁର ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର