ଏମିତି ଚାଲିଛି ରାଉରକେଲା ଆର୍‌ଟିଓ ଅଫିସ୍; ବିନା ଇନ୍ୟୁରାନ୍ସରେ ଗଡୁଛି ୨.୨୧ ଲକ୍ଷ ଗାଡି!

ଚାଲାଣ କଟାଯାଇଛି, କିନ୍ତୁ ତଥ୍ୟ ନାହିଁ
ସହରରେ ୩ ଲକ୍ଷ ୮ ହଜାର ୬୩୫ଟି ଦୁଇ ଚକିଆ ଗାଡି

ରାଉରକେଲା : ରାଉରକେଲା ପରିବହନ କାର୍ଯ୍ୟାଳୟରେ ପୁଣି ଆରମ୍ଭ ହୋଇଯାଇଛି ଦଲାଲରାଜ। କାର୍ଯ୍ୟାଳୟରେ ଠିକା କାମ କରୁଥିବା କିଛି କରିତକର୍ମା କର୍ମଚାରୀ ଦଲାଲଙ୍କ ସହ ମିଶି ଗାଡି ଚାଳକଙ୍କୁ ମନଇଚ୍ଛା ଲୁଟୁଛନ୍ତି। କେବଳ ଲୁଟୁ ନାହାନ୍ତି ଗାଡି ଚାଳକଙ୍କୁ ମାସ ମାସ ଧରି ଅଫିସକୁ ଦୌଡାଉଛନ୍ତି। ତା’ ପରେ ବି ଲୋକଙ୍କ କାମ କରୁ ନାହାନ୍ତି। ଜଣେ କି ଦୁଇ ଜଣ ନୁହେଁ ଏମିତି ଅନେକ ଗାଡ଼ି ଚାଳକ ଶୋଷଣର ଶିକାର ହେଉଛନ୍ତି।

ଟ୍ରାକ୍ଟର ପରିମିଟ୍‌, ଓନରସିପ୍‌ ପରିବର୍ତ୍ତନ ପାଇଁ ଆର୍‌ଟିଓ ଅଫିସ୍‌ରେ କାର୍ଯ୍ୟରତ ଜଣେ ଅସ୍ଥାୟୀ କର୍ମଚାରୀଙ୍କ ଜରିଆରେ ଜଗଦା ଅଞ୍ଚଳର ହୀରା ସାହୁ ଜଣେ ଏଜେଣ୍ଟଙ୍କୁ ୧୧,୫୦୦ ଟଙ୍କା ଦେଇଥିଲେ। ଏଜେଣ୍ଟ ଜଣକ ତାଙ୍କ ଟଙ୍କା ଫେରାଇଲେ ନାହିଁ କି କାଗଜପତ୍ର ଦେଲେ ନାହିଁ। ଶେଷରେ ପୁଲିସ ଧମକ ଦେବା ପରେ ଏଜେଣ୍ଟ ଜଣକ କାଗଜପତ୍ର ଫେରାଇଲେ କିନ୍ତୁ ଟଙ୍କା ଦେଲେ ନାହିଁ। ସେମିତି ଆଉ ଜଣେ ଟ୍ରାକ୍ଟର ମାଲିକ ହେଲେ ନୂଆଗାଁର ବସନ୍ତ ମୁଣ୍ଡାରୀ। ନିଜର ଗାଡିର କାଗଜପତ୍ର ପାଇଁ ଆର୍‌ଟିଓ ଅଫିସ୍‌ରେ ପହଞ୍ଚି ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଦେଖା କରିଥିଲେ। କର୍ମଚାରୀ ଜଣକ ଏଠି ବିନା ଏଜେଣ୍ଟରେ କାମ ହୋଇ ପାରିବ ନାହିଁ ବୋଲି ବସନ୍ତକୁ ରୋକ୍‌ଠୋକ୍‌ ଶୁଣାଇଥିଲେ। କେବଳ ହୀରା କି ବସନ୍ତ ନୁହେଁ ଦୈନିକ ଏମିତି ଅନେକ ଗାଡି ଚାଳକ କିଛି ଏଜେଣ୍ଟଙ୍କ ଲୁଟ୍‌ର ଶିକାର ହେଉଛନ୍ତି। ବିଭାଗୀୟ ଅଧିକାରୀ ସବୁ ଜାଣୁଥିଲେ ହେଁ ଏଜେଣ୍ଟଙ୍କ ଟଙ୍କା ମୋହର ପ୍ରତିବାଦ କରି ଚୁପ୍‌ ରହୁଛନ୍ତି।

ସେମିତି ସହରରେ ବିନା ଇନ୍ୟୁରାନ୍ସରେ ମାଳ ମାଡ ଗାଡ଼ି ଗଡୁଛି। ବଡ ବଡ ସରକାରୀ ବାବୁମାନେ ଚଢ଼ୁଥିବା ଅଧିକାଂଶ ଗାଡିରେ ଇନ୍ୟୁରାନ୍ସ କି ପଲ୍ୟୁସନ୍‌ ନାହିଁ। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ। ଏମିତି ଭାବେ ସହରରେ ଗତ ୨୦୧୩ରୁ ୨୦୨୧ ଏପ୍ରିଲ ୧୦ ମଧ୍ୟରେ ୨ ଲକ୍ଷ ୨୧ ହଜାର ୧୧ଟି ଗାଡି ବିନା ଇନ୍ୟୁରାନ୍ସରେ ଚାଲୁଥିଲା ବୋଲି ବିଭାଗ ତଥ୍ୟ ଦେଉଛି। କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏମାନଙ୍କ ବିରୋଧରେ ଚାଲାଣ କଟାଯାଇଛି। କିନ୍ତୁ କେତେ ଗାଡି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଚାଲାଣ କଟାଯାଇଛି ? ଏହାର କୌଣସି ତଥ୍ୟ ପରିବହନ କାର୍ଯ୍ୟାଳୟ ପାଖରେ ନାହିଁ। ଯଦି ୨ ଲକ୍ଷ ୨୧ ହଜାର ୧୧ ଗାଡି ବିନା ପଲ୍ୟୁସନ୍‌ରେ ଚାଲୁଛି ବୋଲି ବିଭାଗ କହି ପାରୁଛି । ତେକେ କେତେ ଗାଡ଼ି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଏହାର ଉତ୍ତର କାହିଁକି ନାହିଁ ? ଏମିତି ପ୍ରଶ୍ନ ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ। ତେଣୁ ବିଭାଗ ପକ୍ଷରୁ ଦିଆଯାଉଥିବା ତଥ୍ୟର ସତ୍ୟତା ଅଛି କି ନାହିଁ ତାହା ବି ତଦନ୍ତ ସାପେକ୍ଷ । ଏଥିରୁ ରାଉରକେଲା ପରିବହନ ବିଭାଗ କାର୍ଯ୍ୟାଳୟ ‌କେମିତି ଚାଲିଛି ସ୍ପଷ୍ଟ ବାରି ହୋଇ ପଡୁଛି।

ରାଉରକେଲା ପରିବହନ କାର୍ଯ୍ୟାଳୟରେ ଅତ୍ୟାବଧି ୩ ଲକ୍ଷ ୮ ହଜାର ୬୩୫ ଦୁଇ ଚକିଆ ଗାଡି ପଞ୍ଜିକରଣ ହୋଇଛି। ୩୮,୪୬୫ଟି ଚାରି ଚକିଆ (ଘରୋଇ), ୪ ହଜାର ୬୧୪ଟି ଟ୍ରାକ୍ଟର ଓ ଟ୍ରେଲର, ୪, ୦୫୮ଟି ବସ୍‌, ଟ୍ୟାକ୍ସି, ମାକ୍ସ ଇତ୍ୟାଦି ପଞ୍ଜିକରଣ ହୋଇଛି। ସେମିତି ୨୫ ହଜାର ୬୪ଟି ମାଲବାହୀ ଗାଡି, ୧୬୩ଟି କଲେଜ ବସ୍‌, ୧୬୧ଟି ଆମ୍ବୁଲାନ୍ସ ପଞ୍ଜିକରଣ ହୋଇଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି। ସୂଚନାଯୋଗ୍ୟ, ତତ୍କାଳୀନ ଏସ୍‌ପି ସାର୍ଥକ ଷଡଙ୍ଗୀଙ୍କ ସମୟରେ ଗାଡ଼ି ଚାଳକଙ୍କୁ ଲୁଟୁଥିବା କିଛି ଏଜେଣ୍ଟଙ୍କୁ ଉଦିତନଗର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ସମ୍ବନ୍ଧିତ ଖବର